ନୂଆଦିଲ୍ଲୀ : ମହିଳାଙ୍କୁ ହକ୍ ଦେବାକୁ ସଂସଦରେ ଦାବି ଉଠାଇଲା ବିଜେଡି । କେନ୍ଦ୍ର ସରକାର ଖୁବଶୀଘ୍ର ମହିଳା ସଂରକ୍ଷଣ ବିଲ୍ ପାରିତ କରିବାକୁ ଦାବି କରିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ଉଭୟ ବିଧାନସଭା ଓ ଲୋକସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ କରିବାକୁ ଦାବି କରିଛନ୍ତି ସସ୍ମିତ । ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ମହିଳା ସଶକ୍ତିକରଣର କଥା କହୁଥିବା ବେଳେ ମହିଳା ସଂରକ୍ଷଣ ବିଲ୍ କାହିଁକି ପାରିତ କରୁନାହନ୍ତି ସେ ନେଇ ପ୍ରଶ୍ନ ଉଠାଇଛନ୍ତି ସସ୍ମିତ ।  ଆଉ ଏଥିପାଇଁ ରାଜ୍ୟସଭାରେ ନବୀନ ସରକାରଙ୍କ ଉଦାହରଣ ଦେଇଛନ୍ତି ସସ୍ମିତ ପାତ୍ର।

Advertisment

ମହିଳା ସଶକ୍ତିକରଣର କଥା ସବୁ ରାଜନୈତିକ ଦଳର ମୁଖ୍ୟ ଏଜେଣ୍ଡା ରହିଥିଲେ ମଧ୍ୟ କେବଳ ନବୀନ ସରକାର ମହିଳା ସଂରକ୍ଷଣ ଉପରେ ଗୁରୁତ୍ୱ ଦେଇଆସିଛନ୍ତି, ଯାହାର ଝଲକ ଗତ ନିର୍ବାଚନ ଗୁଡିକରେ ଦେଖିବାକୁ ମିଳିଛି । ୨୦୧୯ ଲୋକସଭା ନିର୍ବାଚନରେ ୨୧ ଆସନରୁ ୭ ଆସନରେ ମହିଳାଙ୍କୁ ପ୍ରାର୍ଥୀ କରି ନବୀନ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଥିଲେ । ଏହାଛଡା ପଞ୍ଚାୟତରାଜ ନିର୍ବାଚନ ବ୍ୟବସ୍ଥାରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ କରି ନବୀନ ସରକାର ଅନ୍ୟ ରାଜ୍ୟ ଗୁଡିକ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।

ଏହାପୂର୍ବରୁ ଉଭୟ ସଂସଦ ଓ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ବିଧାନସଭାରେ ମହିଳା ସଂରକ୍ଷଣ ବିଲ୍ ପାରିତ କରିଥିଲେ ନବୀନ ସରକାର । ଆଉ ଏହି ବିଲକୁ ସଂସଦରେ ପାରିତ କରିବାକୁ ଅଣ୍ଟା ଭିଡିଥିଲା ବିଜେଡି ।  ଏଥିପାଇଁ ଦେଶର ଅନ୍ୟ ରାଜନୈତିକ ଦଳର ସମର୍ଥନ ମଧ୍ୟ ଲୋଡିଥିଲା । ନବୀନଙ୍କ ଏଭଳି ପ୍ରୟାସକୁ ଦେଶର ଅଧିକାଂଶ ଦଳ ସମର୍ଥନ ମଧ୍ୟ କରିଥିଲେ । ତେବେ ଲୋକସଭାରେ ଏହି ବିଲ୍ ଉପସ୍ଥାପନ ହେବା ପୂର୍ବରୁ ସାଧାରଣ ନିର୍ବାଚନ ପାଇଁ ବିଗୁଲ ବାଜିଥିଲା ।

ଆଉ ଯେତେବେଳେ ସାଧାରଣ ନିର୍ବାଚନ ପରେ ସଂସଦର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି ସେତେବେଳେ ପୁଣିଥରେ ମହିଳା ସଂରକ୍ଷଣ ବିଲ୍ ପାରିତ କରିବାକୁ ଅଣ୍ଟା ଭିଡିଛି ବିଜେଡି । କେନ୍ଦ୍ର ସରକାର ମଧ୍ୟ ଏହି ବିଲକୁ ସମର୍ଥନ କରିବା ସହ ଖୁବଶୀଘ୍ର ପାରିତ କରନ୍ତୁ ବୋଲି କହିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ।  ରାଜ୍ୟସଭା ସାଂସଦ ଭାବେ ନିଜ ପ୍ରଥମ ଅଭିଭାଷଣରେ ଏଭଳି ପ୍ରସଙ୍ଗ ଉଠାଇଥିବାରୁ ସସ୍ମିତଙ୍କୁ ମଧ୍ୟ ଭୁରି ଭୁରି ପ୍ରଂଶସା କରିଛନ୍ତି ଗୃହର ଅଧ୍ୟକ୍ଷ ଭେଙ୍କିୟା ନାଇଡୁ ।