ରାଉରକେଲା: ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ସନ୍ଦେହଜନକ ମୃତ୍ୟୁ ପ୍ରସଙ୍ଗ ଜାତୀୟ ମାନବାଧିକାର ଆୟୋଗଙ୍କ ନିକଟରେ ପହଞ୍ଚିଛି। ଆୟୋଗ ଏକ ଦଳ ଗଠନ କରି ଏହି ସ୍ପର୍ଶକାତର ମାମଲାର ତଦନ୍ତ କରାଇବା ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି। ଏହାସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ୫୦ ଲକ୍ଷ ଟଙ୍କା ଦେବାକୁ ଦୃଷ୍ଟି ଆକର୍ଷଣ କରାଯାଇଛି। ଏନେଇ ‘ନ୍ୟାୟ ପାଇଁ ଲଢେଇ ପରିବାର’ର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ ଜାତୀୟ ମାନବ ଅଧିକାର କମିସନରେ ମାମଲା (କେସ୍‌ ନମ୍ବର-୩୯୨/୨୦୨୩) ଦାଏର କରିଛନ୍ତି। ଏହି ମାମଲାରେ ରାଉରକେଲା ଏସ୍‌ପି ଏବଂ ପୁଲିସ ଡିଜିଙ୍କୁ ପକ୍ଷଭୁକ୍ତ କରାଯାଇଛି।
Advertisment
ଏତଲାରେ ଉଲ୍ଲେଖ ହୋଇଛି, ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରାଜଗାଙ୍ଗପୁର ବ୍ଲକ ରମାବାହାଲ ଗାଁର ସୁସ୍ମିତା ମିଞ୍ଜ ସହକାରୀ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ। ଗତ ୧୯ ତାରିଖରେ ସୁସ୍ମିତାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ଏହି ଘଟଣା ବରିଷ୍ଠ ଅଧିକାରୀ ମାନେ ସଂଶ୍ଲିଷ୍ଟ ଥିବାନେଇ ପରିବାରବର୍ଗ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ଶ୍ୱାସରୁଦ୍ଧ ହେବାରୁ ତାଙ୍କର ମୃତ୍ୟୁ ହୋଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି। ତେବେ ସୁସ୍ମିତାଙ୍କ ଶରୀରରେ ଏକାଧିକ ସ୍ଥାନରେ କ୍ଷତ ଚିହ୍ନ ରହିଥିବାରୁ ସନ୍ଦେହ ବଢ଼ିବାରେ ଲାଗିଛି। ଘଟଣାର ନିରପେକ୍ଷ ତଦନ୍ତ ପାଇଁ ସୁନ୍ଦରଗଡ଼ ଜିଲ୍ଲାରୁ ଆରମ୍ଭ କରି ସାରା ରାଜ୍ୟରେ ବିଭିନ୍ନ ସଂଗଠନ ଦାବି କରୁଛନ୍ତି। ଏହି ଘଟଣାର ନିରପେକ୍ଷ ତଦନ୍ତ ହେଲେ ହିଁ ପ୍ରକୃତ ସତ୍ୟାସତ୍ୟ ପଦାକୁ ଆସିବ ଓ ଦୋଷୀ ଉଚିତ ଦଣ୍ଡ ପାଇବେ। ଏଣୁ ଏନେଇ ବିହିତ ପଦକ୍ଷେପ ନେବାକୁ ଜାତୀୟ ମାନବାଧିକାର କମିସନଙ୍କୁ ନିବେଦନ କରାଯାଇଛି। ଉଲ୍ଲେଖଯୋଗ୍ୟ, ସୁସ୍ମିତା ମୃତ୍ୟୁ ପ୍ରସଙ୍ଗ ନେଇ ଅସନ୍ତୋଷ ବ୍ୟାପକ ହେବାରେ ଲାଗିଛି। ବିଭିନ୍ନ ଆଦିବାସୀ ସଂଘ ସମେତ ସ୍ବେଚ୍ଛାସେବୀ ସଂଗଠନ ମାନେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଛନ୍ତି। ନ୍ୟାୟ ପାଇଁ  ଘେରଉ, ବିକ୍ଷୋଭ ବି କରୁଛନ୍ତି। ବିଭିନ୍ନ ରାଜନୈତିକ ଦଳ ଓ ନେତୃବୃନ୍ଦ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସିବିଆଇ ତଦନ୍ତ ଦାବି କରୁଛନ୍ତି। ଏମିତିକି ଆସନ୍ତା ୩ ତାରିଖରେ ବିଶାଳ ଆନ୍ଦୋଳନ ସହ ଏସ୍‌ପି ଅଫିସ ଘେରଉ ତଥା ଉଚ୍ଚ ନ୍ୟାୟାଳୟରେ ଜନସ୍ବାର୍ଥ ମାମଲା ରୁଜୁ କରିବାକୁ ଆଦିବାସୀ ନେତା ​ଜର୍ଜ ତିର୍କି ଚେତାବନୀ ଦେଇଛନ୍ତି।