ଦୁର୍ନୀତି ସନ୍ଦେହ: ଅଧିକାରୀଙ୍କ ଗୋଦାମ ମୋହ ଛାଡ଼ୁନି

ପଦାକୁ ଆସିଲା ଯୋଗାଣ ବିଭାଗର ଗୁମର

ସୁନ୍ଦରଗଡ଼: ସୁନ୍ଦରଗଡ ଜିଲ୍ଲାରେ ଅନେକ ଅଧିକାରୀ ବର୍ଷ ବର୍ଷ ଧରି ଗୋଟିଏ ପଦବୀରେ ଅଛନ୍ତି। ବିଶେଷ କରି ଯୋଗାଣ ବିଭାଗରେ ଏହା ଅଧିକ ରହିଛି। ଗୋଦାମଗୁଡିକରେ ଥିବା ଅଧିକାରୀମାନଙ୍କୁ ଏବେ ଗୋଦାମ ମୋହ ଛାଡୁନି। ପଦୋନ୍ନତି ମିଳିଲେ ବି ଗୋଦାମ ଛାଡି ଯାଉନଥିବା ଦୃଷ୍ଟିଗୋଚର ହୋଇଥିବାରୁ ଦୁର୍ନୀତି ସନ୍ଦେହ ଦୃଢ଼ୀଭୂତ ହେଉଛି। ତଳୁ ଉପର ପର୍ଯ୍ୟନ୍ତ ଅନେକ ଅଧିକାରୀ ଏଥିରେ ସମ୍ପୃକ୍ତ ଥିବାରୁ ଯୋଗାଣ ବିଭାଗରେ ଏଭଳି କାରନାମା ହେଉଥିବା ଅଭିଯୋଗ ହୋଇଛି। ଏହି ବିଭାଗର ଏଭଳି ଗୁମର ଏବେ ପଦାକୁ ଆସିବାରେ ଲାଗିଛି।

ରାଉରକେଲା ଚାଉଳ ସଂଗ୍ରହ କେନ୍ଦ୍ର (ଆରଆରସି) ନିରୀକ୍ଷକ (ପିଆଇ) ଭାବେ ରାକେଶ କୁମାର ମହାପାତ୍ର ୬ ବର୍ଷ ହେଲା କାମ କରୁଛନ୍ତି। ତାଙ୍କୁ ଗତ ସେପ୍ଟେମ୍ବର ୨୪ ତାରିଖରେ ଯୋଗାଣ ନିରୀକ୍ଷକ ଭାବେ ପଦୋନ୍ନତି ଦିଆଯାଇ ସମ୍ବଲପୁରରେ ଯୋଗ ଦେବାକୁ ଓଡ଼ିଶା ରାଜ୍ୟ ଖାଉଟି ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଥିଲେ।  ଏହା ମଧ୍ୟରେ ଆଦେଶକୁ ୪ ମାସ ଅତିକ୍ରମ କଲାଣି।  କିନ୍ତୁ ସେ ଉଚ୍ଚ ପଦରେ ଯୋଗ ଦେବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ଅନ୍ୟପଟେ ଜିଲ୍ଲା ଯୋଗାଣ ଅଧିକାରୀ ମଧ୍ୟ ତାଙ୍କୁ ଏଯାଏ ରିଲିଭ୍‌ କରିନାହାନ୍ତି। ସେହିପରି ଅନ୍ୟ ଜଣେ ପିଆଇ ହେଲେ ବେଦବ୍ୟାସ କେନ୍ଦ୍ରର ବିନୟ ମାରାଣ୍ଡି।

ସେ ମଧ୍ୟ ଏଠାରେ ୬ ବର୍ଷ ବିତାଇଲେଣି। କିନ୍ତୁ ଏଯାଏ ତାଙ୍କର ବଦଳି ହେଉନି। କେବଳ ଏ ଦୁଇ କର୍ମଚାରୀ ନୁହନ୍ତି, ୮ଟି ଚାଉଳ ସଂଗ୍ରହ କେନ୍ଦ୍ରର ଅନେକ କର୍ମଚାରୀଙ୍କ ବଦଳି ବର୍ଷ ବର୍ଷ ଧରି ହେଉ ନାହିଁ ବା କେବେ ବଦଳି ‌ହେଲେ କୌଣସି ମତେ ତାକୁ ବାତିଲ କରିବାରେ ସକ୍ଷମ ହେଉଛନ୍ତି। ଚର୍ଚ୍ଚା ହେଉଛି, ବାବୁମାନଙ୍କ ଗୋଦାମ ମୋହ ଛାଡ଼ୁନି। ଅଭିଯୋଗ ରହିଛି,  ଯୋଗାଣ ବିଭାଗର ଚାଉଳ ସଂଗ୍ରହ କେନ୍ଦ୍ର ବ୍ୟାପକ ଅନିୟମିତତା ଓ ଦୁର୍ନୀତିର ଗନ୍ତାଘର। ବିଭିନ୍ନ ରାଇସ୍‌ ମିଲ୍‌ ପଏଣ୍ଟରୁ ଏହି କେନ୍ଦ୍ରକୁ ପିଡିଏସ୍‌ ଚାଉଳ ଓ ଏଫସିଆଇରୁ ଗହମ ଆସି ଜମା ହୋଇଥାଏ।

ଏହା ପରେ ଏଠାରୁ ବିଭିନ୍ନ ପଞ୍ଚାୟତ ଓ ସୁଲଭ ମୂଲ୍ୟ ଦୋକାନକୁ ଟ୍ରକ ଯୋଗେ ଯୋଗାଣ ହୋଇଥାଏ।  ଏହିକ୍ରମରେ ଏଲ-୧ ଓ ଏଲ-୨ ଠିକାଦାରଙ୍କ ଏସବୁ ଗୋଦାମ ସହ ସିଧାସଳଖ ସମ୍ପୃକ୍ତ ରହୁଛି। ଫଳରେ  ପିଡିଏସ ଯୋଗାଣରେ ଅନିୟମିତତା, ଓଭରଲୋଡିଂ ଓ ହଡ଼ପ କାରବାର  ଏଇଠି ବେଧଡ଼କ ଚାଲୁଛି। ଏପରିକି ମିଲ୍‌ ପଏଣ୍ଟରୁ ଆସିବାକୁ ଥିବା କଷ୍ଟମ ମିଲିଂ ଚାଉଳକୁ ଗୋଦାମକୁ ନଆଣି ସେବାଟେ  ସିଧାସଳଖ ପଞ୍ଚାୟତକୁ ପହଞ୍ଚାଇ କାଗଜପତ୍ରରେ ପରିବହନ ଖର୍ଚ୍ଚର ବିପୁଳ ଅର୍ଥ ହଡ଼ପ କରାଯାଉଥିବାର ଅଭିଯୋଗ ରହିଛି। ଏଥିରୁ କେନ୍ଦ୍ର ଦାୟିତ୍ବରେ ଥିବା କର୍ମଚାରୀ ମାଲାମାଲ୍‌ ହୋଇଥାନ୍ତି। ସେହି ସୂତ୍ରରେ ବିଭାଗୀୟ ଅନ୍ୟ ଅଧିକାରୀମାନଙ୍କ ହାତ ମଧ୍ୟ ଚିକ୍କଣ ହୋଇଥାଏ। ତେଣୁ ଜଣେ ଜଣେ କର୍ମଚାରୀ ବହୁ ବର୍ଷ ଧରି ଗୋଟିଏ କେନ୍ଦ୍ର ବା ଗୋଦାମ ଦାୟିତ୍ବ ଛାଡ଼ି ଯିବାକୁ ଚାହାନ୍ତି ନାହିଁ। ଏଥିପାଇଁ ପଦୋନ୍ନତିକୁ ମଧ୍ୟ ଏଡ଼ାଇ ଦେବାକୁ ପଛାଉ ନାହାନ୍ତି।

ସମ୍ବନ୍ଧିତ ଖବର