ଗୁଣି ସନ୍ଦେହରେ ଆକ୍ରମଣ, ୩ ଗିରଫ; ଗାଁ’ରେ ବୁଲିଲା ଖଟ

ପୁଲିସ ଅବହେଳାକୁ ଦାୟୀ କଲେ ସରପଞ୍ଚ

ଫିରିଙ୍ଗିଆ: ଗୁଣି ସନ୍ଦେହରେ କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅଧୀନ ଲୁହୁରୁସାହି ଗ୍ରାମରେ ଅପି ବିନ୍ଧାଣି ନାମକ ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଗୁରୁତର ଅବସ୍ଥାରେ ଅପିଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପରିବାର ପକ୍ଷରୁ ଏ ନେଇ ଗୋଛାପଡ଼ା ଥାନାରେ ଏତଲା ଦିଆଯିବା ପରେ ପୁଲିସ ଗ୍ରାମରେ ପହଞ୍ଚି ଅଭିଯୁକ୍ତ ଶିବ ବିନ୍ଧାଣି, ପୈଠ ବିନ୍ଧାଣି ଓ ମିଲୁ ବିନ୍ଧାଣିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ମିଳିଥିବା ସୂଚନାରୁ ଜଣାପଡ଼ିଛି, ଗୁଣିଗାରେଡ଼ି ସନ୍ଦେହରେ ଲୁହୁରୁସାହିର କିଛି ଲୋକ କାସିନିପଦର ପଞ୍ଚାୟତ ଭାଲୁରୁ ଗାଁ’ରୁ ଖଟବିଦ୍ୟା ଡକାଇଥିଲେ। ଖଟ ଦେବତା ଉଭା ହୋଇ ଗ୍ରାମର ଅପି ବିନ୍ଧାଣି ଗୁଣି କରୁଥିବା ଚିହ୍ନଟ କରିଥିଲା। ତେବେ ଗ୍ରାମରେ ଖଟ ବିଦ୍ୟା ଅଣାଯାଇଥିବା ଖବର ପାଇବା ମାତ୍ରେ ତୁରନ୍ତ ସଲାଗୁଡ଼ା ସରପଞ୍ଚ ରୋହିତ କହଁର ଏ ସଂପର୍କରେ ଗୋଛାପଡ଼ା ଥାନାକୁ ଖବର ଦେଇଥିଲେ। ହେଲେ ପୁଲିସ ଏହାକୁ ହାଲ୍‌କା ଭାବେ ଗ୍ରହଣ କରିଥିଲା। ପୁଲିସର ବିଳମ୍ବ ପଦକ୍ଷେପ ଯୋଗୁ ଗ୍ରାମରେ ଖଟବିଦ୍ୟା ବୁଲିବା ସହ ଏକ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା ବୋଲି ସରପଞ୍ଚ ଅଭିଯୋଗ କରିଛନ୍ତି।

ଏହି ସମୟରେ ଗ୍ରାମର କିଛି ଲୋକ ମିଳିତ ହୋଇ ଅପିଙ୍କୁ ଆକ୍ରମଣ କରିଥିଲେ। ବିଭିନ୍ନ ସମୟରେ ଥାନାକୁ ଖବର ଦିଆଯାଉ ଥିଲେ ମଧ୍ୟ ପୁଲିସ ଠିକ୍ ସମୟରେ ପହଞ୍ଚୁନାହିଁ ବୋଲି ସରପଞ୍ଚ ଶ୍ରୀ କହଁର କ୍ଷୋଭର ସହ କହିଛନ୍ତି। ଏହି ଘଟଣାରେ ଯେଉଁମାନେ ସଂପୃକ୍ତ ଅଛନ୍ତି ପୁଲିସ ନିରପେକ୍ଷ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ କରିବାକୁ ସେ ଦାବି କହିଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ୯ରେ ଗୋଛାପଡ଼ା ଥାନା ଅଧୀନ ଲୁଇସିଂ ପଞ୍ଚାୟତ ଗୁମାଲଦଣି ଗ୍ରାମର ୱାର୍ଡମେମ୍ବର ଦମ୍ପତିଙ୍କୁ ଗୁଣିଗାରେଡ଼ି ସନ୍ଦେହରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା।

ସମ୍ବନ୍ଧିତ ଖବର