ବୁର୍ଲା ଡାକ୍ତରଖାନାରେ ଆଉ ଜ‌ଣେ କରୋନା ସନ୍ଦିଗ୍ଧ, ରକ୍ତ ନମୁନା ଗଲା କୋଲକାତା

ସମ୍ବଲପୁର/ଡୁଙ୍ଗୁରିପାଲି/ ବିନିକା: ବୁର୍ଲା ବୀର ସୁରେନ୍ଦ୍ର ସାଏ ଡାକ୍ତରଖାନାରେ ଭର୍ତ୍ତି ଆଉ ଜଣେ କରୋନା ସଂଦିଗ୍ଧଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ମେଡିକାଲ ରିସର୍ଚ ସେଣ୍ଟରକୁ ପଠାଯାଇଥିବା ଏବଂ ‌ ସେଠାରୁ କୋଲକାତା ପଠାଯାଇଥିବା ଭିମସାର୍‌ ଛାତି-ଯକ୍ଷ୍ମା ବିଭାଗ ମୁଖ୍ୟ ଡା. ଏସ.ପୋଥାଲ ସୂଚନା ଦେଇଛନ୍ତି । ଆସନ୍ତାକାଲି ସଂଧ୍ୟା ସୁଦ୍ଧା ରିପୋର୍ଟ ଆସିଯିବ ବୋଲି ସେ କହିଛନ୍ତି। ସଂପୃକ୍ତ ଯୁବକଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି। କାଶ, ସର୍ଦ୍ଦି ମଧ୍ୟ ନିୟନ୍ତ୍ରଣରେ ରହିଥିବା ଡାକ୍ତର କହିଛନ୍ତି।

ସୂଚନା ଅନୁଯାୟୀ, ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍‌ ଅଂଚଳର ୩୩ ବର୍ଷର ଏହି ଯୁବ ବ୍ୟବସାୟୀ ୨୩ ତାରିଖ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଦୁବାଇ ଯାଇଥିଲେ। ୨୪ ତାରିଖ ଦୁବାଇ ସହଜ ଏୟାରପୋର୍ଟ ଓହ୍ଲାଇ ୨୫ ତାରିଖ ଦୁବାଇ ସ୍ଥିତ ହୋଟେଲ କ୍ରାଉନ‌ରେ ଏକ ମିଟିଂରେ ଯୋଗ ଦେଇଥିଲେ। ୨୬ ତାରିଖ ଦୁବାଇରୁ ଦିଲ୍ଲୀ ଏୟାରପୋର୍ଟରେ ଓହ୍ଳାଇ ୨୭ ତାରିଖରେ ଏକ ଟ୍ରେନ ଯୋଗେ ନିଜ ଗାଁକୁ ଫେରି ଆସିଥିଲେ। ଦିଲ୍ଲୀ ଏୟାରପୋର୍ଟରେ ତାଙ୍କ ରକ୍ତ ନମୁନା ସଂଗ୍ରହ ହୋଇ ସ୍କ୍ରିନିଂ ହୋଇଥିଲା। ଏହା ନେଗେଟିଭ ବାହାରିଥିଲା। ତେବେ ଗତ ୧ ତାରିଖ ତାଙ୍କୁ ଜ୍ବର ହେବା ସହ କାଶ ଓ ସର୍ଦ୍ଦି ହେବା ଯୋଗୁଁ ସେ ଡୁଙ୍ଗୁରିପାଲି ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିଲେ। କରୋନା ଭାଇରସ୍‌ ସନ୍ଦେହ କରି ମଙ୍ଗଳବାର ରାତିରେ ତାଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅଧିକ ଅନୁସନ୍ଧାନ ପାଇଁ ଏକ ୩ ଜଣିଆ ଡାକ୍ତରୀ ଦଳ ତାଙ୍କ ଗାଁକୁ ଯାଇଥିଲେ।

ଫେବ୍ରୁଆରି ୨୬ ତାରିଖରେ ଇନଫ୍ଲୁଏଞ୍ଜା ରୋଗରେ ପୀଡ଼ିତ ସୁନ୍ଦରଗଡ଼ର ଜଣେ ଯୁବକଙ୍କ ରକ୍ତ ନମୁନା ମଧ୍ୟ କରୋନା ସନ୍ଦେହରେ କୋଲକାତା ପଠାଯାଇଥିଲା। ମାତ୍ର ଏହାର ରିପୋର୍ଟ ନେଗେଟିଭ ଆସିଥିଲା। ସେ ଇନଫ୍ଲୁଏଞ୍ଜାରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ଆଇସୋଲେସନ ୱାର୍ଡରେ ଚିକିତ୍ସାଧୀନ ସୁନ୍ଦରଗଡ଼ର ସଂପୃକ୍ତ ରୋଗୀଙ୍କ ରକ୍ତନମୁନା ମଧ୍ୟ ଦ୍ବିତୀୟ ଥର ପାଇଁ ଆଜି ପରୀକ୍ଷା ପାଇଁ କୋଲକାତା ପଠାଯାଇଛି ବୋଲି ଡା.ପୋଥାଲ କହିଛନ୍ତି।

ସୁବର୍ଣ୍ଣପୁର ଜିଲ୍ଲାର ଏହି ସଂଦିଗ୍ଧ କରୋନା ରୋଗୀଙ୍କ ସହିତ ତାଙ୍କ ସ୍ତ୍ରୀ ମଧ୍ୟ ବୁର୍ଲା ଡାକ୍ତରଖାନା ଆସିଛନ୍ତି। ତାଙ୍କ ସମେତ ସଂଦିଗ୍ଧ ରୋଗୀଙ୍କ ପରିବାରକୁ ଅନ୍ୟ କାହା ସହିତ ମିଳିମିଶା ନ କରି ଘରେ ରହିବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି। ଏହି କାରଣରୁ ଯୁବକଙ୍କ ସ୍ତ୍ରୀଙ୍କୁ ଘରକୁ ଚାଲିଯିବାକୁ କୁହାଯାଉଥିଲା। ମାତ୍ର ମହିଳାଜଣକ ଘରକୁ ନଯାଇ ଏକ ବନ୍ଦ ଗାଡ଼ିରେ ଡାକ୍ତରଖାନା ପ୍ରାଙ୍ଗଣରେ ରହିଛନ୍ତି। ସେ କାହା ସହିତ ମିଳାମିଶା କରୁ ନାହାନ୍ତି।

ସମ୍ବନ୍ଧିତ ଖବର