ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ଜଣେ ଅଟକ

କୋରେଇ: କୋରେଇ ଥାନା ଅନ୍ତର୍ଗତ ସାଦକପୁର ପଞ୍ଚାୟତ ମାଳଦା ଗ୍ରାମର ମୁସ୍‌ଲିମ୍ ବସ୍ତିରେ ଆଜି ଅପରାହ୍ଣରେ ଜଣେ ଯୁବକଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ମୃତ ଯୁବକ ଏହି ଗ୍ରାମର ସେକ୍ ସେରଉଦ୍ଦିନଙ୍କ ପୁଅ ସେକ୍ ଗୁଲଫମ (୩୦)। କୌଣସି କାରଣରୁ ତାଙ୍କର ଜଣେ ସମ୍ପର୍କୀୟ ଗୁଲଫମଙ୍କୁ ଆକ୍ରମଣ କରିଥିବା ଚର୍ଚ୍ଚା ହେଉଛି। ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ତାର ବାପାଙ୍କୁ ପୁଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ସୂଚନା ଅନୁଯାୟୀ, ଆଜି ଅପରାହ୍ଣରେ ସେକ୍ ସେରଉଦ୍ଦିନଙ୍କ ପରିବାରରେ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଜଣେ ସମ୍ପର୍କୀୟ ଗୁଲଫମର ମୁଣ୍ତକୁ ପିଟି ଦେଇଥିବା ଅଭିଯୋଗ ହୋଇଛି। ଘଟଣା ସ୍ଥଳରେ ଗୁଲଫାମର ମୃତ୍ୟୁ ହୋଇଥିଲା। ଗୁଲଫମଙ୍କୁ ଆକ୍ରମଣ କରିଥିବା ଯୁବକ କଟକ ବଡ଼ ଡାକ୍ତରଖାନାରେ ଆମ୍ବୁଲାନ୍ସ ଚାଳକ ଭାବେ କାମ କରେ। କୋରେଇ ଥାନାଧିକାରୀ ଶ୍ରବଣ କୁମାର ମହାରଣା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ଆସନ୍ତକାଲି ସନ୍ଧାନୀ କୁକୁର ଦ୍ବାରା ତଦନ୍ତ କରାଯିବା ପରେ ଶବ ବ୍ୟବଚ୍ଛେଦ କରିବାକୁ ପଠାଯିବ ବୋଲି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଥାନା କେସ୍‌ ନମ୍ବର ୭/୨୨ରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ପରିବାର ପକ୍ଷରୁ କୌଣସି ଅଭିଯୋଗ କରାଯାଇନାହିଁ ବୋଲି ଆଇଆଇସି ଶ୍ରୀ ମହାରଣା କହିଛନ୍ତି।

ସମ୍ବନ୍ଧିତ ଖବର