ବାଲିକୁଦା: ୧୮ ଦିନ ପୂର୍ବରୁ ଶ୍ରମିକ ଭାବେ କାମ କରିବାକୁ ମହାରାଷ୍ଟ୍ରର ପୁନେ ଯାଇଥିବା ଜଣେ ଯୁବକଙ୍କର ସେଠାରେ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଯାଇଛି। ମୃତ ଯୁବକ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ରଇପୁର ପଞ୍ଚାୟତ କୋଲଣଗିରି ଗ୍ରାମର ମୀନକେତନ ମଲ୍ଲିକଙ୍କ ପୁଅ ଜୟନ୍ତ(୨୨)। ଗତ ୧୬ ତାରିଖରେ ମୃତଦେହ ଗ୍ରାମରେ ପହଞ୍ଚିଛି। ସେ ଆତ୍ମହତ୍ୟା କରିଛନ୍ତି ବୋଲି ଠିକାଦାର କହୁଥିବା ବେଳେ ପରିବାର ଲୋକେ ଏହାକୁ ଗ୍ରହଣ କରିପାରୁନାହାନ୍ତି। ସୂଚନା ଅନୁଯାୟୀ, ଜୟନ୍ତ ଦୁଇବର୍ଷ ହେଲା
ପୁନେ ଠାରେ କାମ କରୁଥିଲେ। ମହାରାଷ୍ଟ୍ର ନାଚୁରାଲ ଗ୍ୟାସ ଲି. ଅଧୀନ ମଙ୍ଗଲମୂର୍ତ୍ତି ଇଞ୍ଜିନିୟରିଂରେ ପେଟି ଠିକାଦାର ଭାବେ କାମ ନେଇଥିବା ଜଣେ ଓଡ଼ିଆ ଏଜେଣ୍ଟ ଜୟନ୍ତଙ୍କ ସମେତ ଅନ୍ୟ ୧୫ରୁ ୨୦ ଜଣ ଯୁବକଙ୍କୁ କାମରେ ଲଗାଇଥିଲେ। ଚଳିତ ବର୍ଷ ରଜରେ ଘରକୁ ଆସିଥିବା ଜୟନ୍ତ ୧୮ ଦିନ ତଳେ ପୁଣି ପୁନେ ଯାଇଥିଲେ। ହେଲେ ଗତ ୧୫ ତାରିଖରେ ସମ୍ପୃକ୍ତ ଏଜେଣ୍ଟ ସେଠାରେ କାମ କରୁଥିବା ତାଙ୍କ ଭାଇ ସୌମ୍ୟରଞ୍ଜନଙ୍କୁ ଜୟନ୍ତ ଆତ୍ମହତ୍ୟା କରିଥିବା ଜଣାଇଥିଲେ। ସୌମ୍ୟରଞ୍ଜନ ପହଞ୍ଚି କୋଠରିର ଛାତ କଡ଼ିରେ ତାଙ୍କଭାଇର ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ।
ସେଠାକାର ପୁଲିସ ମୃତଦେହ ଜବତ କରି ପୁନେସ୍ଥିତ ବିଜେ ସରକାରୀ ମେଡିକାଲ କଲେଜରେ ଶବ ବ୍ୟବଚ୍ଛେଦ କରାଇଥିଲା। ପରେ ଏୟାର ଆମ୍ବୁଲାନ୍ସରେ ମୃତଦେହ ଭୁବନେଶ୍ବର ପଠାଯାଇଥିଲା। ଜୟନ୍ତଙ୍କ ଅକାଳ ମୃତ୍ୟୁରେ ତାଙ୍କଭାଇ ସୌମ୍ୟରଞ୍ଜନ ଓ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି। ପୁଅର ଅଚାନକ ଆତ୍ମହତ୍ୟା ଘଟଣାକୁ ତାଙ୍କ ପରିବାର ଗ୍ରହଣ କରିପାରୁନାହାନ୍ତି। ପୁଅକୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଥିବା ତାଙ୍କ ବାପା ମୀନକେତନ ଅଭିଯୋଗ କରିବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/12-16.jpg)