ସୋର: ଗୁଣିଗାରେଡ଼ି ସନ୍ଦେହରେ ‌ଗୋଟିଏ ପରିବାରର ୩ ଜଣଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ ଗ୍ରାମବାସୀ। ଏହି ଘଟଣାରେ ଗୁରୁତର ଆହତ ଜଣେ ମହିଳାଙ୍କ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ଫଳରେ ବହୁଦିନ ଧରି ଚୁପ୍‌ ବସିଥିବା ପୁଲିସ ୬ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ସୂଚନା ଅନୁସା‌ରେ ବାଲେଶ୍ବର ଜିଲ୍ଲା ସୋର ଥାନା ମହୁମୁହାଣ ପଞ୍ଚାୟତ ମଲ୍ଲିଚୁଆ ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଗୁଣିଗାରେଡ଼ି କରି ଯୁବକଙ୍କୁ ମାରି ଦିଆଯାଇଥିବା ସନ୍ଦେହ କରି ଗତ ସେପ୍ଟେମ୍ବର ୧୯ ତାରିଖ ଦିନ ଗ୍ରାମବାସୀ ଏକ ପରିବାରର ଚଇତା ସିଂ (୪୫), ତାଙ୍କ ସ୍ତ୍ରୀ ମୁନି ସିଂ (୩୨) ଓ ଭାଉଜ ଟୁନି ସିଂ (୫୨)ଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ।

Advertisment

ପୁଲିସ କାର୍ଯ୍ୟାନୁଷ୍ଠାନ ନେଇ ପ୍ରଶ୍ନବାଚୀ

ଏପରିକି ଚଇତାଙ୍କ ଗୋଡ଼ରେ ବେଡ଼ି ପକାଇ ଦୁଇଦିନ ଏକ କୋଠରିରେ ବନ୍ଦ କରି ରଖିଥିଲେ। ଖବର ପାଇ ସୋର ପୁଲିସ ଘଟଣାସ୍ଥଳକୁ ଯାଇଥିବା ବେଳେ ଗ୍ରାମବାସୀ ପୁଲିସକୁ ମଧ୍ୟ ଅଟକ ରଖିଥିଲେ। ବୁଝାସୁଝା ପରେ ସ୍ଥିତି ଶାନ୍ତ ପଡ଼ିଥିଲା ଏବଂ ପୁଲିସ ଚଇତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନା ନେଇଥିଲା। ଅନ୍ୟପଟେ ଟୁନି ଓ ମୁନି ଘରେ ରହି ଚିକିତ୍ସିତ ହେଉଥିଲେ। ଅକ୍ଟୋବର ୨ତାରିଖ ଦିନ ଟୁନିଙ୍କ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ପ୍ରଥମେ ବାଲେଶ୍ୱର ଏବଂ ପରେ କଟକ ବଡ଼ଡାକ୍ତରଖାନା ନେଇଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ଆଜି ସନ୍ଧ୍ୟାରେ ଟୁନିଙ୍କ ଶବ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶରେ ଶେଷକୃତ୍ୟ ହୋଇଛି। ଏହି ଘଟଣାରେ ଆଜି ସୋର ପୁଲିସ ମଲ୍ଲିଚୁଆ ଗାଁରେ ଚଢ଼ଉ କରି ୬ ଜଣ ଗ୍ରାମବାସୀଙ୍କୁ ଉଠାଇ ନେଇ ଥାନାରେ ଜେରା କରୁଛି। ତେ‌ବେ ସେପ୍ଟେମ୍ବର ମାସରେ ଏଭଳି ସମ୍ବେଦନଶୀଳ ଘଟଣା ଘଟିଥିବା ବେଳେ ପୁଲିସ ଏଯାଏଁ କାହିଁକି ଚୁପ୍‌ ବସିଥିଲା ବୋଲି ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ସୋର ଥାନାଧିକାରୀ ସୁଦୀପ୍ତ ସାହୁଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରିନି।