ବରଗଡ଼: ଆସନ୍ତା ଡିସେମ୍ବର ୨୬ ତାରିଖରୁ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆରମ୍ଭ ହେବ। କରୋନା ସଂପୂର୍ଣ୍ଣ ନିୟନ୍ତ୍ରଣରେ ଥିବାରୁ ଏଥର ୭୫ତମ ଧନୁଯାତ୍ରା ଆୟୋଜନରେ କିଛି ପ୍ରତିବନ୍ଧକ ହେବନି ବୋଲି ମନେ ହେଉଛି। ବର୍ତମାନ ପ୍ରଶାସନିକ ପ୍ରସ୍ତୁତି ସହ ବିଭିନ୍ନ କମିଟିର ପ୍ରାଥମିକ ବୈଠକ ବି ବସିଛି। ପ୍ରଥମେ ଧନୁଯାତ୍ରା ମହୋତ୍ସବ ସମିତିର ସାଧାରଣ ପରିଷଦ ବୈଠକ ବସିଥିଲା। ଏହାପରେ ସ୍ମରଣିକା କମିିଟି, ପ୍ରଚାରପ୍ରସାର କମିଟି, କଳାକାର ସମନ୍ବୟ କମିଟିର ବୈଠକ ବସିଥିଲା। ଗୋପପୁର କର୍ମକର୍ତାଙ୍କୁ ନେଇ ବି ବୁଧବାର ବୈଠକ କରାଯାଇଛି।
ପ୍ରଥମ ବୈଠକରୁ ହିଁ ଏଥର ନୂତନ କଳାକାର ଚୟନ ନେଇ ପ୍ରସ୍ତାବ ଗୃହୀତ ହୋଇଥିଲା। ଶେଷ ହୋଇଥିବା କଳାକାର ସମନ୍ବୟ କମିଟିର ବୈଠକରେ ଏନେଇ କିଛି ନିଷ୍ପତ୍ତି ହେଲା ନାହିଁ। ଏଣେ ଧନୁଯାତ୍ରାର ସଂପୂର୍ଣ୍ଣ କଳାକାର ଚୟନ ପାଇଁ ବାରମ୍ବାର ଦାବି ହେଇଆସୁଛି। ଜିଲ୍ଲା ପ୍ରଶାସନକୁ ବିଭିନ୍ନ ସଂଘ ଏବଂ ସଂଗଠନ ପକ୍ଷରୁ ବିଧିବଦ୍ଧ ଦାବିପତ୍ର ବି ଦିଆଯାଉଛି। ହେଲେ ଧନୁଯାତ୍ରାର ମୁଖ୍ୟସ୍ତମ୍ଭ କୁହାଯାଉଥିବା ବଳିଷ୍ଠ କଳାକାର ଚୟନକୁ ଅଣଦେଖା କରାଯାଉଥିବା ଖୋଲାଖୋଲି ଅଭିଯୋଗ ହେଲାଣି। କରୋନା ପାଇଁ ଗତ ଦୁଇବର୍ଷ ଧନୁଯାତ୍ରା ଆୟୋଜନ ବନ୍ଦ ରହିଥିଲା।
ଏହି ଅବଧି ଭିତରେ କଳାକାର ଚୟନ ସୁରୁଖୁରୁରେ କରାଯାଇ ପାରିଥାନ୍ତା। କଳାକାରଙ୍କୁ ଅଭ୍ୟାସ ପାଇଁ ପର୍ଯ୍ୟାପ୍ତ ସମୟ ମିଳିଥାନ୍ତା। କିନ୍ତୁ ସେଭଳି କିଛି ପଦକ୍ଷେପ ହେଲାନାହିଁ। ଏଣେ ଚଳିତ ବର୍ଷ କଳାକାର ଚୟନକୁ ବାରମ୍ବାର ବିଭିନ୍ନ ଆଳରେ ବିଳମ୍ବ କରାଯାଉଛି। ଯାହାକୁ ନେଇ ଚା' ଖଟି ଠାରୁ ଆରମ୍ଭ କରି ସୋସିଆଲ୍ ମିଡିଆରେ ଟିପ୍ପଣୀ କରାଯାଉଛି। କମିଟି ଏବଂ ପ୍ରଶାସନ ପକ୍ଷରୁ ଏନେଇ କିଛି ବିଧିବଦ୍ଧ ବିବୃତି ଜାରି ହେଉନଥିବାରୁ କଳାକାର ଚୟନ ନେଇ ସସ୍ପେନ୍ସ ଜାରି ରହିଛି। ଯେଉଁ ବର୍ଷ କୌଣସି କଳାକାର ଚୟନ ପାଇଁ କଥା ଉଠେ, ବିବାଦ ଆରମ୍ଭ ହୋଇଥାଏ। ୨୦୧୯ ମସିହାରେ ମୁଖ୍ୟ ଚରିତ୍ର କଂସ ଚୟନକୁ ନେଇ ବିବାଦ ଉପୁଜିଥିଲା। ଗୋଟିଏ ପଟେ କଳାକାର ସମନ୍ବୟ ସମିତି କଂସ ଚୟନ ପାଇଁ ଘୋଷଣା କରି ସାରିଥିଲା।
ନୋଟିସ୍ ଜାରି କରି ଚୟନ ତାରିଖ, ଆବେଦନ ତାରିଖ ଘୋଷଣା କରିଥିଲା। ପରେ ବିଭିନ୍ନ କଳାକାର ସଂଘ ଏବଂ ସଂଗଠନ କଂସ ଚୟନକୁ ଖୋଲା ବିରୋଧ କରିଥିଲେ। ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ। ପୂର୍ବ ନିୟମାନୁସାରେ, ଯେହେତୁ ଜଣେ କଳାକାର ଚୟନ ହେଲା ପରେ କ୍ରମାଗତ ୩ବର୍ଷ କଂସ ଅଭିନୟ କରିଥାଏ। କଂସ ଅଭିନେତା ଭୁବନେଶ୍ବର ପ୍ରଧାନ ଲଗାତାର ୨ବର୍ଷ ଅଭିନୟ କରିଥିବାବେଳେ ତାଙ୍କୁ ପୁଣି ସୁଯୋଗ ଦେବାକୁ ଦୃଢ଼ ଯୁକ୍ତି ଉଠିଥିଲା। କିନ୍ତୁ ଏହି ତିନି ବର୍ଷିଆ ନିୟମ କୌଣସି ନିୟମାବଳୀରେ ଲିଖିତ ଭାବେ ନଥିବାରୁ ମାମଲା ଗୋଳମାଳିଆ ହୋଇଥିଲା। ପରେ କଂସ ଚୟନ ନିଷ୍ପତ୍ତି ସ୍ଥଗିତ ରଖାଗଲା। ୨୦୧୯ ମସିହା ପରଠାରୁ ବାରମ୍ବାର କଂସ ସମେତ ଅନ୍ୟ କଳାକାର ଚୟନ ପାଇଁ ଦାବି ଉଠୁଥିଲେ ହେଁ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରୁ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/36-8.jpg)