ନିଲମ୍ବିତ ଫେରାର ଫରେଷ୍ଟର ଗିରଫ

କଟକ/ଆଠଗଡ : କଟକ ଜିଲ୍ଲା ଅନ୍ତର୍ଗତ ବଡ଼ମ୍ବାର ମାଟିତଳୁ ହାତୀ କଙ୍କାଳ ଜବତ ଓ ହାତୀ ମୃତ୍ୟୁ ଘଟଣାରେ ଫେରାର ଥିବା ଗୋପପୁର ସେକ୍ସନ ଫରେଷ୍ଟର ପ୍ରଦୀପ ପରିଡ଼ାଙ୍କୁ ଆଜି ଗିରଫ କରାଯାଇଛି। ଶ୍ରୀ ପରିଡ଼ାଙ୍କୁ ପୂର୍ବରୁ ନିଲମ୍ବନ କରାଯାଇଥିଲା। ଗିରଫ ପରେ ତାଙ୍କୁ ବଡମ୍ବା କୋର୍ଟକୁ ଚାଲାଣ କରାଯାଇଥିବା ଆଠଗଡ଼ ଡିଏଫ୍‌ଓ ସୁଦର୍ଶନ ଗୋପୀନାଥନ ଯାଦବ ସୂଚନା ଦେଇଛନ୍ତି।

ମାଟିତଳୁ ହାତୀକଙ୍କାଳ ଉଦ୍ଧାର ହେବା ଘଟଣାରେ ତାଙ୍କର ସଂପୃକ୍ତି ରହିଥିବାରୁ ବନବିଭାଗ ଶ୍ରୀ ପରିଡ଼ାଙ୍କ ନାମରେ ମାମଲା ରୁଜୁ କରିଥିଲା। ନିଲମ୍ବନ ପରେ ଖୁଣ୍ଟୁଣୀ ରେଞ୍ଜ୍‌ କାର୍ଯ୍ୟାଳୟରେ ସେ ଉପସ୍ଥିତ ରହିବା ପାଇଁ ଚିଠିରେ ଉଲ୍ଲେଖ ରହିଥିଲା। କିନ୍ତୁ, ଗିରଫଦାରୀ ଭୟରେ ସେ ଫେରାର ରହିଥିଲେ। ଆଜି ହାଇକୋର୍ଟରୁ ଜାମିନ୍‌ ମିଳିବାପରେ ସେ ଖୁଣ୍ଟୁଣୀ ରେଞ୍ଜ୍‌ କାର୍ଯ୍ୟାଳୟକୁ ଯୋଗଦେବାକୁ ଯାଇଥିବାବେଳେ ସ୍ଥାନୀୟ ପୁଲିସ ସହାୟତାରେ ଆଠଗଡ଼ ବନବିଭାଗ ତାଙ୍କୁ ଗିରଫ କରିଥିଲା। ସେ ଗୋଟିଏ ମାମଲାରେ ଜାମିନ୍‌ ପାଇଥିବାବେଳେ ତାଙ୍କ ନାମରେ ଅନ୍ୟ ମାମଲା ରହିଥିବା ଜଣାପଡ଼ିଛି। ଅନ୍ୟପଟେ ହାତୀ କଙ୍କାଳ ଜବତ ଘଟଣାରେ ସଂପୃକ୍ତି ଅଭିଯୋଗରେ ଏବେ ବି ନିଲମ୍ବିତ ଫରେଷ୍ଟର ମନୋଜ ଦାସ ଫେରାର ରଖିଥିବା ଜଣାପଡ଼ିଛି।

ଏଠାରେ ସୂଚନାଯୋଗ୍ୟ ଯେ, ଉଭୟ ନିଲମ୍ବିତ ଫରେଷ୍ଟରଙ୍କ ବିରୋଧରେ ଏନ୍‌ବିଡବ୍ଲୁ ଜାରିପାଇଁ ବନବିଭାଗ ବଡ଼ମ୍ବା କୋର୍ଟରେ ଆବେଦନ କରିଥିଲା। ଜୁନ୍‌ ୨ ତାରିଖରେ ଏସ୍‌ଟିଏଫ୍‌ ଟିମ୍‌ ବଡ଼ମ୍ବା ରେଞ୍ଜ୍‌ରୁ ହାତୀକଙ୍କାଳ ଉଦ୍ଧାର କରିଥିଲେ। ସେହିପରି ଜୁନ ୪ ତାରିଖ ଓ ୧୪ ତାରିଖରେ ମଧ୍ୟ ହାତୀ ମରିଥିବା ତଥ୍ୟ ମିଳିଥିଲା। ଏହି ୩ଟି ଘଟଣାରେ ବଡ଼ମ୍ବା ରେଞ୍ଜ୍‌ ଗୋପପୁର ସେକ୍ସନର ଫରେଷ୍ଟର ପ୍ରଦୀପ ପରିଡ଼ାଙ୍କ ସଂପୃକ୍ତି ରହିଥିବା ନେଇ ତାଙ୍କ ନାମରେ ମାମଲା ରୁଜୁ କରିଥିଲା ଓ ତୁରନ୍ତ ତାଙ୍କୁ ନିଲମ୍ବିତ କରାଯାଇଥିଲା। ଅନ୍ୟପଟେ, ଚିକିତ୍ସାଧୀନ ଅବସ୍ଥାରେ ଗୁଳିବିଦ୍ଧ ଦନ୍ତାର ମୃତ୍ୟୁ ଘଟଣାରେ ବନବିଭାଗ ୫ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର