ନବରଙ୍ଗପୁର: ନବରଙ୍ଗପୁର ଲୋକସଭା ସଂସଦୀୟ କ୍ଷେତ୍ରରେ ବିଜେଡିର ସାଂସଦ ପ୍ରାର୍ଥୀକୁ ନେଇ ସସପେନସ୍ ବଢ଼ିବାରେ ଲାଗିଛି। ରମେଶ ନା ପ୍ରଦୀପ ମାଝି କାହାକୁ ଦଳ ପ୍ରାର୍ଥୀ କରିବ, ତାକୁ ନେଇ କର୍ମୀ ଓ ନେତାଙ୍କ ମଧ୍ୟରେ ଦ୍ବନ୍ଦ୍ବ ଲାଗି ରହିଛି। ବରିଷ୍ଠ ନେତା ପ୍ରଦୀପ ମାଝୀ କଂଗ୍ରେସ ଛାଡି ବିଜେଡିରେ ଯୋଗଦେବା ପରେ ଦଳ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା ଦାୟିତ୍ବ ଦେଇଛି। ଯାହା ଟିକେଟ୍ ଲବି ପାଇଁ ପ୍ରଦୀପଙ୍କୁ ଖୋରାକ୍ ଯୋଗାଇଛି। ଏପଟେ ସାଂସଦ ରମେଶ ମାଝି ପୁଣି ଥରେ ନବରଙ୍ଗପୁର ଲୋକସଭା ଆସନରୁ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଅଛନ୍ତି।
୨୦୧୯ ନିର୍ବାଚନ ପୂର୍ବରୁ ଝରିଗାଁ ବିଧାନସଭା ଆସନରୁ ରମେଶ ମାଝି ପ୍ରତିନିଧିତ୍ବ କରୁଥିଲେ। ୨୦୧୪ ନିର୍ବାଚନରେ ବିଜେଡିରୁ ବଳଭଦ୍ର ମାଝି ଲଢ଼ି କଂଗ୍ରେସ ପ୍ରାର୍ଥୀ ପ୍ରଦୀପ ମାଝିଙ୍କୁ ହରାଇଥିଲେ। ୨୦୧୯ରେ ବିଜେଡି ଟିକେଟ୍ ନ ଦେବା ପରେ ବଳଭଦ୍ର ଦଳ ଛାଡ଼ି ବିଜେପିରୁ ନିର୍ବାଚନ ଲଢ଼ିଥିଲେ। ତେବେ କଂଗ୍ରେସର ପ୍ରଦୀପ ଓ ବିଜେପିର ବଳଭଦ୍ରଙ୍କୁ ଟକ୍କର୍ ଦେବାକୁ ବିଜେଡି ରମେଶଙ୍କୁ ଲୋକସଭା ପ୍ରାର୍ଥୀ କରିଥିଲା। ସଫଳ ବି ହୋଇଥିଲା। ୨୦୧୯ର ପ୍ରତିଦ୍ବନ୍ଦ୍ବୀ ପ୍ରଦୀପ ବିଜେଡିରେ ସାମିଲ୍ ହୋଇ ଲବିରେ ଥିବାରୁ ଦଳ ଯଦି ଟିକେଟ୍ ଦେବ ତେବେ ରମେଶ କେଉଁଠୁ ଲଢ଼ିବେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରମେଶ ଝରିଗାଁ ବିଧାନସଭା ଆସନ ଛାଡ଼ିବା ପରେ ସାନ ଭାଇ ପ୍ରକାଶ ମାଝିଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇ ଜିତାଇଥିଲେ। ପ୍ରକାଶ ବିଧାୟକ ଥିବାରୁ ରମେଶଙ୍କ ସାଂସଦ ଟିକେଟ୍ କଟିଲେ କେଉଁଠି ଥଇଥାନ କରାଯିବ ଏବଂ ଯଦି ପ୍ରଦୀପଙ୍କୁ ସାଂସଦ ଟିକେଟ୍ ନ ମିଳେ ତେବେ କେଉଁ ବିଧାନସଭା ଆସନରେ କାହାକୁ ବାଦ୍ ଦେଇ ବିଜେଡି ଟିକେଟ୍ ଦେବ, ତାହାକୁ ନେଇ କର୍ମୀ ମହଲରେ ସସପେନସ୍ ଜାରି ରହିଛି।