ଦ୍ୱନ୍ଦ୍ୱ: ଏନଟିସିଏ କହିଲା- ଓଡ଼ିଶାରେ ଚିତାବାଘ ନାହିଁ, ମନ୍ତ୍ରୀ କହିଲେ- ଗତ ୩ ବର୍ଷରେ ୬ଟି ଚିତାବାଘଙ୍କ ମୃତ୍ୟୁ ହୋଇଛି

ଭୁବନେଶ୍ୱର: ଗତ ୩ ବର୍ଷ ମଧ୍ୟରେ ରାଜ୍ୟରେ କୌଣସି ବାଘର ହତ୍ୟା ହୋଇନାହିଁ ବୋଲି ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ବିଧାନସଭାରେ କହିଛନ୍ତି। । ଅର୍ଥାତ ୨୦୧୬ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଶିକାରୀଙ୍କ ଦ୍ୱାରା କୌଣସି ବି ବାଘର ହତ୍ୟା ହୋଇ ନ ଥିବା ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଗୃହରେ ଉତ୍ତର ରଖିଛନ୍ତି। କୌତୁହଳର ବିଷୟ ହେଲା, ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୁପକ୍ଷଙ୍କ ଓଡ଼ିଶାରେ ଆଦୌ ଚିତାବାଘ ନ ଥିବାକହୁଥିବା ବେଳେ ଗୃହରେ ମନ୍ତ୍ରୀ କହିଛନ୍ତି କି, ଗତ ୩ ବର୍ଷରେ ଶିକାରୀଙ୍କ ଦ୍ୱାରା ମୋଟ୍‌ ୬ଟି ଚିତାବାଘଙ୍କ ଜୀବନ ଯାଇଛି।

ଅନ୍ୟପଟେ ମନ୍ତ୍ରୀଙ୍କ ଏହି ଉତ୍ତର  ବିଧାନସଭାର ବିଭିନ୍ନ ମହଲକୁ ତାଜୁବ୍‌ କରିଛି। କାରଣ ଗତ ବର୍ଷ ଅକ୍ଟୋବର ୨୯ ତାରିଖରେ ଦେବ୍ରିଗଡ଼ ଅଭୟାରଣ୍ୟରୁ ଏକ ମହାବଳ ବାଘର ଗଳିତ ମୃତଦେହ ଉଦ୍ଧାର ହୋଇଥିଲା । ଏହି ଘଟଣା ସହିତ ସଂପୃକ୍ତ ୪ଜଣ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ଆଉ ସେହି ବାଘ ମୃତ୍ୟୁ ରାଜ୍ୟରେ ତୁମ୍ବିତୋଫାନ ଉଠାଇଥିଲା। କେତେବେଳେ କଲରାପତରିଆ ତ କେତେବେଳେ ମହାବଳ ବାଘର ମୃତ୍ୟୁ ହୋଇଥିବା ବୟାନବାଜି ଲାଗି ରହିଥିଲା। ପରେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ବୟାନ ରଖିଥିଲେ କି ଏହା ଏକ ମହାବଳ ବାଘର ଗଳିତ ମୃତଦେହ ଥିଲା। ତେବେ ଗିରଫ ହୋଇଥିବା ୪ଜଣ ଅଭିଯୁକ୍ତ ମଧ୍ୟ ବାଘ ହତ୍ୟା ନେଇ ସ୍ୱୀକାର କରିଥିଲେ।

ସେହିଭଳି ମଧ୍ୟପ୍ରଦେଶ କାହ୍ନା ଅଭୟାରଣ୍ୟରୁ ସୁନ୍ଦରୀ ବାଘୁଣୀ ପାଇଁ ଅଣାଯାଇଥିବା ମହାବୀର ବାଘର ରହସ୍ୟମୟ ମୃତ୍ୟୁ ଗତ ବର୍ଷ ନଭେମ୍ବର ୧୪ ତାରିଖରେ ସାତକୋଶିଆ ଅଭୟାରଣ୍ୟରେ ହୋଇଥିଲା। ତେବେ ‘ମହାବୀର’ର ରହସ୍ୟମୟ ମୃତ୍ୟୁକୁ ନେଇ ଜଙ୍ଗଲ ବିଭାଗ ଉପରକୁ ବିଭିନ୍ନ ମହଲରୁ ଅଙ୍ଗୁଳି ଉଠିଲା। ଆଉ ଶେଷର ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୁପକ୍ଷ (ଏନଟିସିଏ)ର ଦୁଇ ଜଣିଆ ଟିମ୍‌ ଛାନଭିନ୍‌ କରିଥିଲେ। ମହାବୀରର ରହସ୍ୟମୟ ମୃତ୍ୟୁ ଉପରୁ ପରଦା ଉଠାଇଥିଲେ । ଆଉ ‘ଫାଶ ଜାଲ’ ଦ୍ୱାରା ମହାବୀରର ମୃତ୍ୟୁ ହୋଇଥିବା ଏନଟିସିଏ ଟିମ୍‌ କହିଥିଲେ।

ଏସବୁ ଭିତରେ ଦୁଇ ଦୁଇଟି ବାଘର ମୃତ୍ୟୁ ହୋଇବାବେଳେ ଗୃହରେ ମନ୍ତ୍ରୀଙ୍କ ଉତ୍ତର ସମସ୍ତଙ୍କୁ ତାଜୁବ କରିଛି। ସେହିପରି ୨୦୧୪ରେ ଏନଟିସିଏ ତରଫରୁ ହୋଇଥିବା ବ୍ୟାଘ୍ର ଗଣନା ତଥ୍ୟ ଅନୁସାରେ ଓଡ଼ିଶାରେ ୨୮ଟି ବାଘ ଅଛନ୍ତି କିନ୍ତୁ ଏହାକୁ ରାଜ୍ୟ ସରକାର ସ୍ୱୀକାର କରିନାହାନ୍ତି ଏବଂ ୨୦୧୬ରେ ପୁନଃ ଗଣନା କରି ରାଜ୍ୟରେ ୪୦ଟି ବାଘ ଥିବା କହିଥିଲେ। ଏହାପରେ ବାଘ ଗଣନାରେ ସାମିଲ ହୋଇନଥିବା ଦେବ୍ରୀଗଡ଼ ଅଭୟାରଣ୍ୟ, ସୁନ୍ଦରଗଡ଼ର ହେମଗିରି ବନାଞ୍ଚଳ ଓ ରାୟଗଡ଼ାର ମୁନିଗୁଡ଼ା ମହାବଳ ବାଘ ଦେଖାଯାଇଥିବା କହିଥିଲେ। ଏନେଇ ସିସିଟିଭିରେ ଏହି ବାଘର ଫଟୋ ମଧ୍ୟ ଉପସ୍ଥାପନା କରିଥିଲେ।

Kanak News

ଏହାରି ଭିତରେ ତତକାଳୀନ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ରାଜ୍ୟରେ ବାଘ ସଂଖ୍ୟା ୮୦ ପାଖାପାଖି ଥିବା ଦାବି କରିଥିଲେ। ହେଲେ ୨୦୧୮ରେ ହୋଇଥିବା (ଏନଟିସିଏ) ବ୍ୟାଘ୍ର ଗଣନାରୁ ଜଣାପଡ଼ିଥିଲା ଓଡ଼ିଶାରେ ମୋଟ୍‌ ୨୮ଟି ବାଘ ରହିଛନ୍ତି। ଆଉ ୨୦୧୪ ଭଳି ୨୦୧୮ରେ ମଧ୍ୟ ଏହି ସଂଖ୍ୟା ସ୍ଥିର ରହିଛି। ହେଲେ ଏହାକୁ ନେଇ ରାଜ୍ୟ ସରକାର କୌଣସି ଆପତ୍ତି ଉଠାଇ ନାହାନ୍ତି । ଆଉ ବର୍ତ୍ତମାନ ରାଜ୍ୟରେ ପ୍ରକୃତରେ ମୋଟ୍‌ କେତେ ବାଘ ସଂଖ୍ୟା ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ବିଧାନସଭାରେ ଜଙ୍ଗଲ ମନ୍ତ୍ରୀଙ୍କ ଉତ୍ତର ପରେ ବିଭିନ୍ନ ମହଲରେ ବର୍ତ୍ତମାନ ପ୍ରଶ୍ନ ଉଠୁଛି କ’ଣ ମନ୍ତ୍ରୀଙ୍କ ପାଖରେ ବାଘ ସଂଖ୍ୟା ସଂପର୍କିତ ତଥ୍ୟ ନାହିଁ? କି କେତେ ବାଘର ଶିକାରୀଙ୍କ ହାତରେ ଜୀବନ ଯାଇଛି? ନା ମନ୍ତ୍ରୀ ଏହି ତଥ୍ୟ ଜନତାଙ୍କୁ ଲୁଚାଇବାକୁ ଚାହୁଁଛନ୍ତି? ଏଭଳି କିଛି ପ୍ରଶ୍ନ ଏବେ ବିଭିନ୍ନ ମହଲରେ ଆଲୋଡ଼ନ ଖେଳାଇଛି।

ସମ୍ବନ୍ଧିତ ଖବର