ଗୋପାଳପୁର : ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଇଂରାଜୀ ଓ ଓଡ଼ିଆ ବିଭାଗର ଦୁଇ ପ୍ରାଧ୍ୟାପକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଓଡ଼ିଆ ବିଭାଗର ପ୍ରାଧ୍ୟାପକ ଡ. ସଦାନନ୍ଦ ନାୟକଙ୍କୁ ତିନିବର୍ଷ ପାଇଁ ସମସ୍ତ ପରୀକ୍ଷା କାର୍ଯ୍ୟରୁ ଅବ୍ୟାହତି ଦିଆଯାଇଥିବା ବେଳେ ଇଂରାଜୀ ବିଭାଗ ପ୍ରାଧ୍ୟାପକ ଡ. ଟି. ଈଶ୍ବର ରାଓଙ୍କୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ପରୀକ୍ଷା କାର୍ଯ୍ୟରୁ ଅବ୍ୟାହତି ଦିଆଯାଇଥିବା ସୂଚନା ମିଳିଛି। କୁଳସଚିବଙ୍କ ପକ୍ଷରୁ ଗତ ୧୬ ତାରିଖରେ ଚିଠି ନଂ ୯୬୫୭ ଓ ୯୬୬୦ ପ୍ରକାରେ ଏଭଳି କାର୍ଯାନୁଷ୍ଠାନ ଗ୍ରହଣ କରାଯାଇଥିବା ସୂଚନା ମିଳିଛି। ଗତ କିଛିମାସ ପୂର୍ବେ ଛାତ୍ରୀଙ୍କୁ ଅସଦାଚରଣ ନେଇ ଦୁଇଟି ଘଟଣା ସମ୍ନାକୁ ଆସିଥିଲା।

Advertisment

ଗତ ଜୁଲାଇ ମାସରେ ତାଙ୍କ କ୍ବାର୍ଟରରେ ଦୁଇଜଣ ଛାତ୍ର ପହଞ୍ଚି ମାଡ଼ ମାରିଥିବା ନେଇ ଡ. ନାୟକ ଗୋପାଳପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତ ଛାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅନ୍ୟପକ୍ଷେ ବିଶ୍ବବିଦ୍ୟାଳୟର ଜଣେ ଛାତ୍ରୀ ତାଙ୍କୁ ଅସଦାଚରଣ କରାଯାଇଥିବା ନେଇ ପ୍ରାଧ୍ୟାପକଙ୍କ ବିରୋଧରେ ପାଲଟା ଅଭିଯୋଗ କରିଥିଲେ। ଫଳରେ, ପୁଲିସ ଆଉ ଏକ ମାମଲା ରୁଜୁ କରି ପ୍ରାଧ୍ୟାପକଙ୍କୁ ମଧ୍ୟ ଗିରଫ କରିଥିଲା। ଏହି ଘଟଣାକୁ ନେଇ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ନିର୍ଦ୍ଦେଶକ୍ରମେ ଏକ ତଦନ୍ତ କମିଟି ଗଠନ କରାଯାଇ ଚାରି ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଥିଲା। ଉକ୍ତ କମିଟି ରିପୋର୍ଟ ମୁତାବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ସେହିପରି, ସେହି ଜୁଲାଇ ମାସରେ ବିଶ୍ବବିଦ୍ୟାଳୟର ଇଂରାଜୀ ବିଭାଗ ପ୍ରାଧ୍ୟାପକ ଜଣେ ଛାତ୍ରୀଙ୍କ ସହ ଫୋନରେ ପ୍ରେମ ନିବେଦନ କରୁଥିବା ନେଇ ଏକ ଅଡିଓ ଭାଇରାଲ୍‌ ହୋଇଥିଲା। ଏହି ଘଟଣାର ମଧ୍ୟ ତଦନ୍ତ ପାଇଁ ବିଶ୍ବବିଦ୍ୟାଳୟ ପକ୍ଷରୁ ସ୍ବତନ୍ତ୍ର କମିଟି ଗଠନ ହୋଇଥିଲା। କମିଟି ଏହାର ରିପୋର୍ଟ ପ୍ରଦାନ କରିବାପରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାଯାଇଛି।