ମନଇଚ୍ଛା ବହିଷ୍କାର, ତଣ୍ଡ ଗଣୁଛନ୍ତି ସରକାର

ଭୁବନେଶ୍ୱର : ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଥିବା ତଦନ୍ତ ବ୍ୟବସ୍ଥାକୁ ଏଡାଇ କେତେକ କ୍ଷେତ୍ରରେ ସରକାରୀ କର୍ମଚାରୀଙ୍କୁ ଏକତରଫା ଭାବେ ଚାକିରିରୁ ବହିଷ୍କାର କରାଯାଉଥିବା ଘଟଣା ସରକାରଙ୍କ ପାଇଁ ମହଙ୍ଗା ପଡୁଛି। ରାଜ୍ୟ ସରକାର ସଂପୃକ୍ତ କର୍ମଚାରୀଙ୍କୁ ପରେ ଥଇଥାନ ତ କରୁଛନ୍ତି, ଏଥିପାଇଁ ତଣ୍ଡ ବି ଗଣୁଛନ୍ତି। ତେଣୁ ଭବିଷ୍ୟତରେ ଯେପରି ବ୍ୟବସ୍ଥା ମୁତାବକ ଦୋଷୀ କର୍ମଚାରୀଙ୍କ ବିରୋଧରେ ଉପଯୁକ୍ତ ଦଣ୍ଡବିଧାନ ହୁଏ ସେଥିଘେନି ପଦକ୍ଷେପ ଗ୍ରହଣ ଲାଗି ଘଣ୍ଟା ଚକଟା ଚାଲିଛି ।

ସମ୍ବିଧାନର ୩୧୧ ଧାରାରେ ବିନା ତଦନ୍ତରେ କୌଣସି ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇ ପାରିବନାହିଁ ବୋଲି ସ୍ପଷ୍ଟ ଉଲ୍ଲେଖ ରହିଛି। ଓଡିଶା ସିଭିଲ ସର୍ଭିସ୍‌ କ୍ଲାସିଫିକେସନ ଆଣ୍ଡ କଣ୍ଟ୍ରୋଲ ରୁଲ୍‌ ତଥା ପୁଲିସ୍‌ ମାନୁଆଲରେ ମଧ୍ୟ ଅନୁରୂପ ବ୍ୟବସ୍ଥା ଅଛି । ତେବେ ସମ୍ବିଧାନର ୩୧୧ (୨) (ଖ) ଧାରାରେ କେତେକ ନିର୍ଦ୍ଧିଷ୍ଟ କ୍ଷେତ୍ରରେ ବିନା ତଦନ୍ତରେ ମଧ୍ୟ କର୍ମଚାରୀଙ୍କୁ ଚାକିରିରୁ ବିଦା କରାଯିବା ଭଳି ବ୍ୟବସ୍ଥା ରହିଛି । ଏ କ୍ଷେତ୍ରରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ତଦନ୍ତ କାହିଁକି ସମ୍ଭବପର ନୁହେଁ ତାହାର କାରଣ ଦଣ୍ଡବିଧାନ କରିଥିବା ଅଧିକାରୀ ଦର୍ଶାଇବା ଆବଶ୍ୟକ।

ସେହିପରି ଦେଶର ନିରାପତ୍ତା ଭଳି ପ୍ରସଙ୍ଗରେ ମଧ୍ୟ ରାଷ୍ଟ୍ରପତି କିମ୍ବା ରାଜ୍ୟପାଳ ଚାହିଁଲେ ବିନା ତଦନ୍ତରେ କର୍ମଚାରୀଙ୍କୁ ଚାକିରିରୁ ବିଦା କରିବାପାଇଁ ସାମ୍ବିଧାନିକ ବ୍ୟବସ୍ଥା ଅଛି । ଗତ କିଛିବର୍ଷ ମଧ୍ୟରେ ବିନା ତଦନ୍ତରେ ଓଡିଶାରେ କେତେକ କର୍ମଚାରୀଙ୍କୁ କର୍ତ୍ତୃପକ୍ଷ ଚାକିରିରୁ ବିଦା କରିବାପରେ ସେମାନେ ଆଇନ୍‌ ଅଦାଲତର ଦ୍ୱାରସ୍ଥହୋଇ ବହିଷ୍କାର ଆଦେଶକୁ ନାକଚ କରାଇବାରେ ସମର୍ଥ ହୋଇଛନ୍ତି। ସ୍ୟାଟ, ହାଇକୋର୍ଟ ଓ ସୁପ୍ରିମ୍‌କୋର୍ଟ ବାରମ୍ବାର ଏଭଳି ପ୍ରସଙ୍ଗରେ ରାୟ ଦେଲେଣି । ବର୍ଷ ବର୍ଷ ଧରି ବେଆଇନ୍‌ ଆଦେଶ ବଳରେ ଚାକିରି ହରାଇଥିବା କର୍ମଚାରୀଙ୍କୁ ଦୀର୍ଘବର୍ଷ ପରେ କୋର୍ଟ ରାୟ ଅନୁଯାୟୀ ଚାକିରିରେ ପୁନଃ ଅବସ୍ଥାପିତ କରାଯିବା ଫଳରେ ରାଜ୍ୟ ସରକାରଙ୍କୁ ପ୍ରଚୁର ଆର୍ଥକ ଚାପ ବହନ କରିବାକୁ ପଡୁଛି । ଏଭଳି ଘଟଣା କର୍ମଚାରୀଙ୍କ ମନୋବଳ ଭାଙ୍ଗି ଦେବା ସହ ସେମାନଙ୍କ ପରିବାର ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ସୃଷ୍ଟିକରୁଛି ।

୨୦୧୧ ରେ ପିପିଲି ଅର୍ଜୁନଗୋଦାର ବହୁ ଚର୍ଚ୍ଚିତ ବେବିନା ମାମଲାରେ ବିନା ଶୃଙ୍ଖଳାଗତ ତଦନ୍ତରେ କର୍ତ୍ତୃପକ୍ଷ ପୁଲିସ୍‌ ଇନ୍ସପେକ୍ଟର ଅମୂଲ୍ୟ କୁମାର ଚମ୍ପତିରାୟଙ୍କୁ ଚାକିରିରୁ ବହିଷ୍କାର କରିଥିଲେ। ଅନୁରୂପ ଭାବେ ବ୍ରହ୍ମପୁରର ଜଣେ କର୍ତ୍ତବ୍ୟରତ ପୁଲିସ୍‌ କନେଷ୍ଟବଳ ମହମ୍ମଦ ରଜାକଙ୍କୁ ଚାକିରି ହରାଇବାକୁ ପଡିଥିଲା । ଚମ୍ପତ୍ତିରାୟ ଓ ରଜାକ୍‌ ଆଇନ୍‌ ଅଦାଲତରେ ବହିଷ୍କାର ଆଦେଶ ବିରୁଦ୍ଧରେ ମାମଲା ଲଢି ଜିଣିବାପରେ ସେମାନଙ୍କୁ ଚାକିରିରେ ପୁନଃ ଅବସ୍ଥାପନ କରିବାକୁ କର୍ତ୍ତୃପକ୍ଷ ବାଧ୍ୟ ହୋଇଛନ୍ତି । ସେହିପରି ସରକାରୀ କୋଷାଗାରର କେତେକ କର୍ମଚାରୀଙ୍କୁ ମଧ୍ୟ ବିନା ତଦନ୍ତରେ ଚାକିରିରୁ ବିଦା କରାଯିବା ଘଟଣାରେ ସରକାର ଅପଦସ୍ଥ ହୋଇଥିଲେ ।

ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ପ୍ରଶାସନିକ ବିଶୃଙ୍ଖଳା ଉପୁଜୁଛି । ଏହାକୁ ଦୃଷ୍ଟିରେ ରଖି ସମ୍ବିଧାନର ୩୧୧, ସିସିଏ ରୁଲ୍‌ର ୧୮ଧାରା ଓ ପୁଲିସ୍‌ ମାନୁଆଲର ୮୨୮ଧାରାର କଡାକଡି ଅନୁପାଳନ କରାଯିବା ଉପରେ ଗୁରୁତ୍ୱ ଆରୋପ କରାଯାଉଛି । ସାଧାରଣ ପ୍ରଶାସନ, ସ୍ୱରାଷ୍ଟ୍ର, ଆଇନ୍‌ ଓ ଅର୍ଥ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ବ୍ୟାପକ ତର୍ଜମା ଚାଲିଥିବା ଖବର ମିଳିଛି।

ସମ୍ବନ୍ଧିତ ଖବର