୫୪ ଓକିଲଙ୍କ ଉପରୁ ନିଲମ୍ବନ ଉଠିଲା

ଭବିଷ୍ୟତରେ କୌଣସି ଗଣ୍ଡଗୋଳରେ ସାମିଲ ହେବେ ନାହିଁ, ୧୦ ଦିନରେ ଦାଖଲ କରିବେ ଅଣ୍ଡରଟେକିଂ

ସମ୍ବଲପୁର : ଆଶା, ଆଶଙ୍କା ଓ ପ୍ରତୀକ୍ଷାର ଅନ୍ତହୋଇଛି। ଶେଷରେ ଭାରତୀୟ ଆଇନଜୀବୀ ପରିଷଦ (ବିସିଆଇ) ସମ୍ବଲପୁର ଜିଲ୍ଲା ଓକିଲ ସଂଘର ୫୪ ଜଣ ଆଇନଜୀବୀଙ୍କ ଉପରେ ଲାଗିଥିବା ନିଲମ୍ବନ ଆଦେଶ ଉଠାଇ ନେଇଛନ୍ତି। ଗତ ୧୨ ଡିସେମ୍ବରର ଅପ୍ରତ୍ୟାଶିତ ଘଟଣା ପରେ ଏହି ଆଇନଜୀବୀମାନଙ୍କୁ ବିସିଆଇ ୧୮ ମାସ ପାଇଁ ନିଲମ୍ବନ କରିଥିଲା। ହେଲେ ସେମାନେ ୩ ମାସ ନିଲମ୍ବନ ଦଣ୍ଡ ଭୋଗିବା ପରେ ସର୍ତ୍ତମୂଳକ ଭାବେ ନିଲମ୍ବନ ଆଦେଶ ପ୍ରତ୍ୟାହାର ହେଲା ବୋଲି ବିସିଆଇ ପକ୍ଷରୁ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦକୁ ଚିଠି ଲେଖାଯାଇଛି।

ବିସିଆଇ ପକ୍ଷରୁ ନିଯୁକ୍ତ ୩ ଜଣିଆ ତଦନ୍ତ କମିଟିର ରିପୋର୍ଟ ଆଧାରରେ ଏହି ପଦକ୍ଷେପ ନିଆଯାଇଥିବା ପରିଷଦ କହିଛି। ବରିଷ୍ଠ ଆଇନଜୀବୀ ମାନସ ମହାପାତ୍ର, ଦେବୀ ପ୍ରସାଦ ଧଳ ଏବଂ ଯଶୋବନ୍ତ ଦାସଙ୍କୁ ନେଇ ଗଠିତ ୩ ଜଣିଆ କମିଟିର ରିପୋର୍ଟ ମଧ୍ୟ ଏହି ପତ୍ରରେ ସଂଲଗ୍ନ ହୋଇଛି। ରିପୋର୍ଟରେ କମିଟି ଦର୍ଶାଇଛି ଯେ ସେମାନେ ଗତ ୨୫ ତାରିଖ ଦିନ ସମ୍ବଲପୁର ଆସି ବିଭିନ୍ନ ପକ୍ଷକୁ ଭେଟି ଗତ ନଭେମ୍ବର ୩୦ ଓ ଡିସେମ୍ବର ୧୨ ତାରିଖରେ ଏଠାରେ ଘଟିଥିବା ଘଟଣା ଏବଂ ତଦ୍‌ପରବର୍ତ୍ତୀ ସ୍ଥିତି ସଂପର୍କରେ ଆଲୋଚନା କରିଥିଲେ। ସେମାନେ ପ୍ରଥମେ ଜିଲ୍ଲା ଦୌରା ଜଜ୍ ମାନସ ରଂଜନ ବାରିକ ଏବଂ ତାଙ୍କ ସହଯୋଗୀ ବିଚାର ବିଭାଗୀୟ ଅଧିକାରୀଗଣଙ୍କୁ ଭେଟିଥିଲେ। ଗତ ୧୨ ତାରିଖର ଅପ୍ରତ୍ୟାଶିତ ଘଟଣାକୁ ବାଦଦେଲେ ସମ୍ବଲପୁରର ଓକିଲମାନଙ୍କ ବ୍ୟବହାର ସେମାନଙ୍କ ପ୍ରତି ଅତି ଉତ୍ତମ ଓ ବିନମ୍ର ବୋଲି ବିଚାରପତିମାନେ କହିଥିଲେ। ଉକ୍ତ ଦିନ କୌଣସି ପ୍ରରୋଚନାରେ କିଛି ଆଇନଜୀବୀ ଉଗ୍ର ଆଚରଣ କରିଥିଲେ ବି ପରବର୍ତ୍ତୀ ସମୟରେ ସେମାନେ ସେଥି ପାଇଁ ଅନୁତପ୍ତ ଥିବା ଜଣାଇଥିଲେ। ଅଭ୍ୟାସକାରୀ ଆଇନଜୀବୀଙ୍କ ନିଲମ୍ବନ ଦ୍ବାରା କୋର୍ଟ ଅସମ୍ପୂର୍ଣ୍ଣ ଲାଗୁଥିବା ବେଳେ ସେମାନଙ୍କ ଆର୍ଥିକ ସ୍ଥିତିକୁ ନଜରରେ ରଖି ଦଣ୍ଡ କୋହଳ କରାଯିବା ପାଇଁ ପ୍ରସ୍ତାବ ଦେଇଥିଲେ।

ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ, ଉତ୍ତରାଞ୍ଚଳ ଆଇଜି ଦୀପକ କୁମାରଙ୍କ ସହ ମଧ୍ୟ କମିଟି ଆଲୋଚନା କରିଥିଲା ଓ ସମସ୍ତେ ସମାନ ମତ ରଖିଥିଲେ। କମିଟି ବାର୍‌ର ବରିଷ୍ଠ ସଦସ୍ୟ ତଥା ନିଲମ୍ବିତ ସଦସ୍ୟମାନଙ୍କୁ ବି ଭେଟିଥିଲା। ସେମାନେ ଘଟଣା ପାଇଁ ଦୁଃଖ ପ୍ରକାଶ କରିବା ସହ ନିଜ ପକ୍ଷ ରଖିଥିଲେ। ପୁଲିସ୍ ଘଟଣାର ଚାର୍ଜସିଟ୍ ଦାଖଲ କରି ସାରିଥିବାବେଳେ ଗିରଫ ‌ଓକିଲମାନେ ହାଇକୋର୍ଟରୁ ଜାମିନ ପାଇଛନ୍ତି। ଓକିଲମାନଙ୍କ ତରଫରୁ ସୁପ୍ରିମ୍ କୋର୍ଟରେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରାଯାଇଛି। ନିଲମ୍ବିତ ହୋଇଥିବା ଓକିଲଙ୍କ ମଧ୍ୟରେ ଅଧିକାଂଶ ଯୁବ ଆଇନଜୀବୀ ଅଛନ୍ତି। ସେମାନେ ଭୋଗି ସାରିଥିବା ଦଣ୍ଡ ଏବଂ ବିଭିନ୍ନ ପକ୍ଷର ମତାମତ ବିଚାରକୁ ନେଇ ବିସିଆଇ ନିଲମ୍ବନ ଆଦେଶ ଉଠାଇ ନେବା ଉଚିତ ବୋଲି କମିଟି ନିଜ ରିପୋର୍ଟରେ ସୁପାରିସ୍ କରିଥିଲା।

ଏହି ରିପୋର୍ଟର ବିଚାର କରି ବିସିଆଇ ଅନୁଭବ କରିଥିଲା ଯେ ଆଇନଜୀବୀମାନଙ୍କ କାରାବାସ ଓ ନିଲମ୍ବନକୁ ବିଚାରକୁ ନେଲେ ସେମାନେ ଯଥେଷ୍ଟ ଦଣ୍ଡ ଭୋଗିସାରିଛନ୍ତି। ଅଦାଲତରେ ସେମାନଙ୍କ ବିରୋଧରେ ଫୌଜଦାରି ମାମଲା ବିଚାରାଧୀନ ରହିଛି। ‌ଏହାଛଡ଼ା ସମସ୍ତ ସରକାରୀ ପକ୍ଷ ଏବଂ ତଦନ୍ତକାରୀ କମିଟିର ସଦସ୍ୟଗଣ ନିଲମ୍ବିତ ଆଇନଜୀବୀଙ୍କ ପ୍ରତି ସମବେଦନା ପ୍ରକଟପୂର୍ବକ ନିଲମ୍ବନ ପ୍ରତ୍ୟାହାର ପାଇଁ ମତ ରଖିଛନ୍ତି। ତେଣୁ ସବୁ ବିଚାରକୁ ନେଇ ସମସ୍ତ ୫୪ ଆଇନଜୀବୀଙ୍କ ଉପରୁ ବର୍ତ୍ତମାନ ପାଇଁ ନିଲମ୍ବନ ପ୍ରତ୍ୟାହାର କରା ଯାଇଥିବା ବିସିଆଇ ଯୁଗ୍ମସଂପାଦକ ନଲିନ୍ ରାଜ୍ ଚତୁର୍ବେଦୀ ନିଜ ପତ୍ରରେ ଉଲ୍ଲେଖ କରିଛନ୍ତି। ତେବେ ଏହି ସମସ୍ତ ୫୪ ଆଇନଜୀବୀ ୧୦ ଦିନ ମଧ୍ୟରେ ଇମେଲ୍‌ ଜରିଆରେ ବିସିଆଇ ସଂପାଦକଙ୍କ ନିକଟରେ ଅଣ୍ଡରଟେକିଂ ଦାଖଲ କରିବେ ଯେ ସେମାନେ ଭବିଷ୍ୟତରେ କୌଣସି ଏଭଳି କାର୍ଯ୍ୟରେ ସାମିଲ ହେବେ ନାହିଁ। ଏହାଛଡ଼ା ଏହି ସମସ୍ତ ଆଇନଜୀବୀଙ୍କ ଚାଲିଚଳଣ ଓ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖିବାକୁ ଜିଲ୍ଲା ଜଜ୍‌ଙ୍କୁ ଅନୁରୋଧ କରାଯାଇଛି। ଯଦି ପରିଷଦ ନିକଟରେ କୌଣସି ପ୍ରତିକୂଳ ରିପୋର୍ଟ ପହଞ୍ଚିଲା ତାହେଲେ କଡ଼ା ଶୃଂଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାଇ ଦିଆଯାଇଛି। ଏହି ପ୍ରସ୍ତାବକୁ ବିସିଆଇ ପକ୍ଷରୁ ସୁପ୍ରିମକୋର୍ଟରେ ଉପସ୍ଥାପନ କରାଯିବ ବୋଲି ମଧ୍ୟ ଚିଠିରେ ଉଲ୍ଲେଖ ରହିଛି।

ସମ୍ବନ୍ଧିତ ଖବର