ଭୁବନେଶ୍ବର: ତ୍ରିକୋଣୀୟ ପ୍ରେମକୁ ନେଇ ସନ୍ଦେହ ହେଲା କାଳ। ପ୍ରେମିକାକୁ ବୁଲାଇ ନେବାକୁ କହି ତଣ୍ଟି ଚିପି ହତ୍ୟା କଲା। ହତ୍ୟା ପରେ ପ୍ରମାଣ ନଷ୍ଟ କରିବାକୁ ପଥର ଖଣିରେ ପୋତିଦେଲା। ଏଭଳି ଛାତିଥରା ଘଟଣା ଘଟିଛି ଖୋର୍ଦ୍ଧା ସଦର ଥାନା ନିଜିଗଡ଼ ତାପଙ୍ଗ ଅଞ୍ଚଳରେ। ମୃତ ଯୁବତୀ ଜଣକ ହେଲେ ନୟାଗଡ଼ ଜିଲ୍ଲା ରଣପୁର ହରିପୁର ଅଞ୍ଚଳର ନିରୁପମା ପରିଡ଼ା (୨୨)। ୭ ମାସ ପରେ ଭରତପୁର ଥାନା ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ତାପଙ୍ଗ ପଥର ଖଣିରୁ ଯୁବତୀଙ୍କ କଙ୍କାଳ ଜବତ ପରେ ଘଟଣା ପଦାକୁ ଆସିଛି। ଅଭିଯୁକ୍ତ ଯୁବକ ରଣପୁର ମଝିଆଖଣ୍ଡ ଅଞ୍ଚଳର ଦେବାଶିଷ ବିଶିକୁ ପୁଲିସ ଗିରଫ କରିଛି। ସୂଚନା ମୁତାବକ, ବହୁବର୍ଷ ହେବ ନିରୁପମା ରାଜଧାନୀକୁ ଆସି ଭରତପୁର ଥାନା ପାତ୍ରପଡ଼ା ଶ୍ରୀକ୍ଷେତ୍ର ରେସିଡେନ୍ସିର ସମରଜିତ୍ ଜେନାଙ୍କ ଘରେ ଘରୋଇ ସହାୟକ ଭାବେ କାମ କରୁଥିଲେ। ଗତ ଜାନୁଆରି ୨୪ ତାରିଖରେ ସମରଜିତଙ୍କ ପରିବାର ଭଞ୍ଜନଗର ବାହାରିଥିଲେ। ସେମାନେ ନିରୁପମାଙ୍କୁ ସାଙ୍ଗରେ ନେଇଯିବାକୁ କହିଥିଲେ। ହେଲେ ସେ ତାଙ୍କ ମୋବାଇଲ୍ ଠିକ୍ କରି ଗାଁକୁ ଯିବ ବୋଲି କହିଥିଲେ। ୨୪ ତାରିଖ ଅପରାହ୍ଣ ୪ଟା ସମୟରେ ବାପାଙ୍କୁ ଫୋନ୍ କରି ବସ୍ରେ ଗାଁକୁ ଯାଉଥିବା କହିଥିଲେ ନିରୁପମା। ତେଣୁ ଝିଅର ଯିବା ବାଟକୁ ଘର ଲୋକ ଅପେକ୍ଷା କରିଥିଲେ। କିନ୍ତୁ ଝିଅ ଘରେ ପହଞ୍ଚ ନଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ନିରୁପମା ଘରକୁ ନ ଫେରିବାରୁ ପରିବାର ଲୋକେ ଫୋନ୍ କରିଥିଲେ। ଫୋନ ବନ୍ଦ ଥିବାରୁ ପରିବାର ଲୋକଙ୍କ ସନ୍ଦେହ ବଢ଼ିଥିଲା। ୨୫ ଓ ୨୬ ତାରିଖ ଦୁଇ ଦିନ ବହୁ ଖୋଜାଖୋଜି କରି ନିରାଶ ହେବା ପରେ ୨୭ ତାରିଖ ଦିନ ସମରଜିତ, ନିରୁପମାଙ୍କ ପରିବାର ସହ ଆସି ଭରତପୁର ଥାନାରେ ଅଭିଯୋଗ କରିଥିଲେ।
୭ ମାସ ପରେ କଙ୍କାଳ ଜବତ
ଧରାଇଲା ସିଡିଆର୍, ବ୍ୟାଙ୍କ ତଥ୍ୟ
ତଦନ୍ତ ବେଳେ ପୁଲିସ ଯୁବତୀଙ୍କ ସିଡିଆର୍ ରିପୋର୍ଟରୁ ଏକ ନମ୍ବରକୁ ନେଇ ସନ୍ଦେହ କରିଥିଲା। ଗୋଟିଏ ନମ୍ବରକୁ ବିଭିନ୍ନ ସମୟରେ ବାରମ୍ବାର କଲ୍ ହୋଇଥିବାରୁ ପୁଲିସ ନମ୍ବରକୁ ଠାବ କରି ଦେବାଶିଷ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲା। ଦେବାଶିଷଙ୍କ ସହ ନିରୁପମାଙ୍କ ସମ୍ପର୍କ ଥିବା ଜାଣିବାକୁ ପାଇଥିଲା ପୁଲିସ। ଗୁରୁବାର ରାତିରେ ପୁଲିସର ଏକ ଟିମ୍ ନୟାଗଡ଼ ଅଞ୍ଚଳରେ ଚଢ଼ଉ କରି ଦେବାଶିଷକୁ ଗିରଫ ପରେ ହତ୍ୟା ପଛର ସତ ପଦାକୁ ଆସଥିଲା। ପୁଲିସକୁ ଅଭିଯୁକ୍ତ ଦେଇଥିବା ବୟାନ ଅନୁଯାୟୀ, ଦେବାଶିଷ ଭୁବନେଶ୍ବରରେ ଇଲେକ୍ଟ୍ରିକ୍ ମେକାନିକ୍ ଭାବେ କାମ କରୁଥିବା ବେଳେ ୩ବର୍ଷ ହେବ ନିରୁପମାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ହେଲେ କିଛି ମାସ ହେଲା ନିରୁପମାଙ୍କ ଚରିତ୍ରକୁ ନେଇ ସେ ସନ୍ଦେହ କରୁଥିଲା। ଯାହାକୁ ନେଇ ବିଭିନ୍ନ ସମୟରେ ଉଭୟଙ୍କ ମଧ୍ୟରେ ଭୀଷଣ ପାଟିତୁଣ୍ଡ ହେଉଥିଲା। ଆଉ ଗତ ଜାନୁଆରି ୨୪ ତାରିଖରେ ସୁଯୋଗ ପାଇ ନିରୁପମାଙ୍କୁ ବସ୍ରୁ ଓହ୍ଲାଇବାକୁ କହିଥିଲା। ଉଭୟ ମିଶି ଘରକୁ ଯିବେ ବୋଲି କହିବାରୁ ନିରୁପମା ବସ୍ରୁ ଓହ୍ଲାଇ ଦେବାଶିଷଙ୍କ ବାଇକ୍ରେ ବସିଥିଲେ। କିଛିବାଟ ଆସିବା ପରେ ତାପଙ୍ଗ ପଥର ଖଣି ବୁଲିବାକୁ କହିଥିଲା। ତାପଙ୍ଗ ଖଣିକୁ ନେଇ ପରେ ସେଠାରେ ଦେବାଶିଷ ତାଙ୍କୁ ଅନ୍ୟ ଯୁବକଙ୍କ ସମ୍ପର୍କରେ ପଚରାଉଚରା କରିବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ସେଠାରେ ଦେବାଶିଷ ନିରୁପମାଙ୍କୁ ନିସ୍ତୁକ ମାଡ଼ ମାରିବା ସହ ତାଙ୍କ ଓଢ଼ଣୀରେ ତଣ୍ଟିକୁ ଚିପି ହତ୍ୟା କରିଥିଲା। ଏହାପରେ ସେଠାରେ ଏକ ଗାତରେ ପୋତି ଫେରାର୍ ହୋଇଯାଇଥିଲା। ପରେ ନିରୁପମାଙ୍କ ଏଟିଏମ୍କୁ ବ୍ୟବହାର କରି ଟଙ୍କା ଉଠାଇଥିଲା। ତା’ଠାରୁ ସମସ୍ତ ତଥ୍ୟ ହାତେଇବା ପରେ ଆଜି ଭରତପୁର ଥାନା ପୁଲିସ ତାପଙ୍ଗ ଖଣିରୁ ଯୁବତୀଙ୍କ କଙ୍କାଳ ଜବତ କରିଛି। କଙ୍କାଳକୁ ପରୀକ୍ଷା ପାଇଁ ଏମ୍ସ ପଠାଯାଇଛି।