ଚୌଧୁରୀ ଅମିତାଭ ଦାସ
ଭୁବନେଶ୍ବର: ମମତା ମହାନ୍ତ ହୁଅନ୍ତୁ କି ସୁଜିତ କୁମାର। ସେମାନେ କ’ଣ ଏମିତି ଅତର୍କିତ ଭାବେ ଦଳ ଛାଡ଼ିଦେଲେ? ଏ ସମ୍ପର୍କରେ କ’ଣ ଦଳର ସଭାପତିଙ୍କ ପାଖରେ ଆଗୁଆ ଖବର ପହଞ୍ଚିପାରିଲା ନାହିଁ? ନା ସମସ୍ତେ ସବୁ ଜାଣି ଅଜଣା ହେଉଛନ୍ତି? ଇସ୍ତଫା ଦେବା ସେମାନଙ୍କ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ନିଷ୍ପତ୍ତି କି? ନା ଏହା ପଛରେ ଦଳ ଭିତରର କିଛି ନେତାଙ୍କର ଚାଲ୍ ଅଛି? ରାଜ୍ୟସଭା ସଦସ୍ୟ ପଦରୁ ସୁଜିତ କୁମାରଙ୍କ ଇସ୍ତଫା ପରେ ବିଜେଡିର ଆଭ୍ୟନ୍ତରୀଣ ମହଲରେ ଏମିତି ପୁଳାପୁଳା ପ୍ରଶ୍ନ ଉଠୁଛି। ସଭାପତିଙ୍କ ପାଖ ଲୋକ ହୋଇ କେହି ଦଳ ଭିତରେ ଷଡ଼୍‌ଯନ୍ତ୍ର କରୁଛି କି? ଏ ନେଇ ଆଲୋଚନା ଜୋର୍ ଧରିଲାଣି। ସାମାଜିକ ଗଣମାଧ୍ୟମରେ ଯୁବ ନେତାମାନେ ଖୋଲାଖୋଲି ସନ୍ଦେହ ପ୍ରକଟ କରୁଥିବା ବେଳେ ନେତାମାନଙ୍କ ଭିତରେ ବଡ଼ ଧରଣର ଅସନ୍ତୋଷ ଦାନା ବାନ୍ଧିଲାଣି। କେବଳ ସେତିକି ନୁହେଁ, ଦଳ ଭିତରେ ସନ୍ଦେହ ଓ ଅବିଶ୍ବାସର ବାତାବରଣ ବଢ଼ିବାରେ ଲାଗିଛି। କେହି କାହାକୁ ସହଜରେ ବିଶ୍ବାସ କରିବା ସ୍ଥିତିରେ ନାହାନ୍ତି।

Advertisment

ମମତା ମହାନ୍ତଙ୍କ ଇସ୍ତଫାକୁ ଅତର୍କିତ ଓ ବିଜେପିର ବଡ଼ ରଣନୀତି ବୋଲି ରାଜନୈତିକ ମହଲରେ ବିଶ୍ବାସ କରିନେଇଥିଲେ। କିନ୍ତୁ ସୁଜିତ କୁମାରଙ୍କ ଇସ୍ତଫା ପରେ ପ୍ରଶ୍ନ ଏଇଥି ପାଇଁ ଉଠୁଛି ଯେ ସେ ବିଜେଡିର ଦ୍ବିତୀୟ କ୍ଷମତା କେନ୍ଦ୍ର ଭି କେ ପାଣ୍ଡିଆନଙ୍କର ଘନିଷ୍ଠ ସହଯୋଗୀ ଥିଲେ। ପାଣ୍ଡିଆନ ଯେଉଁ ନିର୍ଦ୍ଦିଷ୍ଟ କିଛି ବ୍ୟକ୍ତିଙ୍କୁ ନେଇ ଦଳ ଓ ସରକାର ଚଳାଉଥିଲେ ସେମାନଙ୍କ ମଧ୍ୟରେ ସୁଜିତ କୁମାର ଜଣେ ଥିଲେ। ତାଙ୍କର ତୃଣମୂଳ ସ୍ତରରେ ନା କିଛି ସାଂଗଠନିକ ଦକ୍ଷତା ଥିଲା ନା ଥିଲା ରାଜନୈତିକ ଅଭିଜ୍ଞତା। ସେ ଉଚ୍ଚଶିକ୍ଷିତ ହୋଇଥିବାରୁ ଓ ବିଦେଶରେ ପାଠ ପଢ଼ିଥିବାରୁ ତାଙ୍କର ଅଭିଜ୍ଞତାକୁ ସରକାର ରାଜ୍ୟର ବିକାଶରେ ବ୍ୟବହାର କରିବେ ବୋଲି କୁହାଗଲା। ଯୋଜନା ବୋର୍ଡର ସ୍ବତନ୍ତ୍ର ସଚିବ ତଥା ଓଏସ୍‌ଡି ଭାବେ ନିଯୁକ୍ତି ପାଇଥିଲେ ବି ବିଜେଡିର ରଣନୀତି ପ୍ରସ୍ତୁତିରେ ତାଙ୍କର ବଡ଼ ଭୂମିକା ଥିଲା। ପରବର୍ତ୍ତୀ ସମୟରେ ତାଙ୍କୁ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା  କରାଯାଇ ମୁଖ୍ୟ ଶାସନ ସଚିବ ପାହ୍ୟା ଦିଆଯାଇଥିଲା। ଶେଷରେ ସେ ବିଜେଡିରେ ଯୋଗ ଦେଇ ରାଜ୍ୟସଭାକୁ ଗଲେ। ସୁଜିତ କୁମାରଙ୍କୁ ଦଳ ଭିତରେ ଅଧିକ ଗୁରୁତ୍ବ ଦିଆଯିବା ସମୟରେ ବହୁ ବରିଷ୍ଠ ନେତା ନାପସନ୍ଦ କରୁଥିଲେ। କିନ୍ତୁ ପାଣ୍ଡିଆନଙ୍କର ଦୃଢ଼ ସମର୍ଥନ ଯୋଗୁ କେହି ପାଟି ଫିଟାଇପାରୁ ନଥିଲେ। 

ପାଣ୍ଡିଆନଙ୍କର ଜଣେ ଏତେ ଘନିଷ୍ଠ ନେତା ହଠାତ୍‌ ନିର୍ବାଚନ ପରେ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଗଲେ ଓ ପାଣ୍ଡିଆନ କିଛି ଟେର୍ ପାଇଲେନି, ତାହାକୁ ନେତାମାନେ ବିଶ୍ବାସ କରୁନାହାନ୍ତି। ଏମିତିରେ ବି ମମତାଙ୍କ ଇସ୍ତଫା ପରେ ଆଉ ଜଣେ ଦୁଇ ଜଣ ନେତା ବିଜେପି ମୁହାଁ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ନିର୍ଦ୍ଦିଷ୍ଟ ଭାବେ ସୁଜିତ କୁମାରଙ୍କ ନାମ ମଧ୍ୟ ଆଲୋଚନା ହେଉଥିଲା। ଦଳର କିଛି ବରିଷ୍ଠ ନେତାଙ୍କ କହିବା ଅନୁଯାୟୀ ପାଣ୍ଡିଆନ ରାଜନୀତିରୁ ସନ୍ନ୍ୟାସ ନେଇଥିଲେ ବି ନବୀନ ନିବାସରେ ରହି ଦଳକୁ ପରିଚାଳନା କରୁଛନ୍ତି। ଏହା କାହାରିକୁ ଅଛପା ନାହିଁ। ଯେହେତୁ ରାଜ୍ୟସଭାରେ ଅଧିକାଂଶ ସାଂସଦ ପାଣ୍ଡିଆନଙ୍କ ଘନିଷ୍ଠ, ତେଣୁ ରାଜ୍ୟସଭାର କେଉଁ ସାଂସଦ କ’ଣ କରୁଛନ୍ତି ସେ ସମ୍ପର୍କରେ ତାଙ୍କୁ ଆଗୁଆ ଖବର ମିଳିବାରେ କିଛି ସମସ୍ୟା ହୋଇ ନଥିବ। ତାହା ସତ୍ତ୍ବେ ନିଜର ଘନିଷ୍ଠ ସହଯୋଗୀ ସୁଜିତଙ୍କୁ ଡାକି ସଭାପତିଙ୍କ ସାମ୍ନାରେ ପାଣ୍ଡିଆନ କାହିଁକି ଆଲୋଚନା କଲେନି?

 ଗତକାଲି ବିଧାନସଭା ଚାଲିଥିଲା ବେଳେ ସୁଜିତ କୁମାରଙ୍କର ଇସ୍ତଫା ଘଟଣା ପ୍ରଚାର ହୋଇଥିଲା। ବିଧାନସଭା ଲବିରେ ବିଧାୟକମାନେ ଏହି ଖବର ଜାଣିଲେ। ସୁଜିତ କୁମାରଙ୍କୁ ଯିଏ ଆଣି ବିଜେଡିରେ ଅଯାଚିତ ଭାବେ କ୍ଷମତାଶାଳୀ କରିଥିଲା, ତାଙ୍କୁ ଏ ବିଷୟରେ ପଚାରିବା ଦରକାର ବୋଲି ବିଧାୟକମାନେ ବିଧାନସଭା ବାହାରେ କୁହାକୁହି ହେଉଥିଲେ। ବିଭିନ୍ନ ସାମାଜିକ ଗଣମାଧ୍ୟମରେ ବହୁ ନେତା ଖୋଲାଖୋଲି ଭାବେ ଏହି ଘଟଣାକୁ ନିନ୍ଦା କରିଛନ୍ତି। ତେବେ ସୁଜିତ କୁମାରଙ୍କୁ ସେମାନେ ଯେତିକି ଦୋଷ ଦେଉନାହାନ୍ତି, ତାଙ୍କୁ ବିଜେଡିରେ ଅତ୍ୟଧିକ ଗୁରୁତ୍ବ ଦେଇଥିବା ନେତାଙ୍କ ଉପରେ ଦାଉ ସାଧୁଛନ୍ତି। ପରୋକ୍ଷରେ ସେମାନେ ପାଣ୍ଡିଆନଙ୍କୁ ହିଁ ଦାୟୀ କରୁଛନ୍ତି। ସୁଜିତ କୁମାରଙ୍କ ଇସ୍ତଫା ଦ୍ବାରା ଦଳର ସାଂଗଠନିକ ସ୍ତରରେ କିଛି ବଡ଼ ଧରଣର କ୍ଷତି ହେବାର ସମ୍ଭାବନା ନାହିଁ। କିନ୍ତୁ ଏହା ଦ୍ବାରା ବିଜେଡି ଜାତୀୟ ସ୍ତରରେ ଦୁର୍ବଳ ହେବା ସହ ନେତାଙ୍କ ଭିତରେ ନବୀନଙ୍କ ପ୍ରତି ଭରସା ତୁଟିଯିବାର ଆଶଙ୍କା ସୃଷ୍ଟି ହୋଇଛି।

ଦଳର ପରାଜୟ ପରେ ବିଜେଡିରେ ନେତାମାନେ ନବୀନଙ୍କ ପ୍ରତି ଆନୁଗତ୍ୟକୁ ଜାରି ରଖି ପାଣ୍ଡିଆନ ଓ ପ୍ରଣବ ପ୍ରକାଶଙ୍କୁ ଟାର୍ଗେଟ କରୁଥିଲେ। ଏହି ଦୁଇ ଜଣଙ୍କ ଅପରିଣାମଦର୍ଶୀ ରଣନୀତି ପାଇଁ ଦଳ ହାରିଲା ବୋଲି ମତ ଦେଉଥିଲେ। କିନ୍ତୁ ନିର୍ବାଚନ ପରେ ନବୀନଙ୍କ ହାବଭାବ ଦେଖି ତାଙ୍କ ଉପରେ ଆଉ ନେତାମାନଙ୍କର ଭରସା ପାଉ ନାହିଁ। ପାଣ୍ଡିଆନଙ୍କୁ ବାରମ୍ବାର ପ୍ରଶଂସା କରି ପୁଣି ଥରେ ତାଙ୍କୁ ଦଳର ହର୍ତ୍ତାକର୍ତ୍ତା ବୋଲି ବାର୍ତ୍ତା ଦେଇ ଚାଲିଛନ୍ତି ନବୀନ। ନା ପରାଜୟର କାରଣ ଖୋଜାଯାଉଛି ନା ରାଜ୍ୟ କମିଟିର ପୁନର୍ଗଠନ ହେଉଛି। ନିଜେ ନବୀନ ବିରୋଧୀ ଦଳ ନେତା ହୋଇ ବିଧାନସଭା ଯାଉ ନାହାନ୍ତି। ସେଥିପାଇଁ ୫୧ ବିଧାୟକ ଥାଇ ବି ବିଜେଡିର ପ୍ରଦର୍ଶନ ଦୁର୍ବଳ ରହୁଛି। କେବଳ ଖବରରେ ରହିବା ପାଇଁ ମଝିରେ ମଝିରେ ଶଙ୍ଖ ଭବନରେ ଯାଇ ନବୀନ କାର୍ଯ୍ୟକ୍ରମ କରୁଛନ୍ତି ସତ। କିନ୍ତୁ ବିଜେଡିକୁ ଯେ ଅଧିକ ସଂଗଠିତ କରିବା ପାଇଁ କୌଣସି ରଣନୀତି ହେଉ ନାହିଁ, ତାହା ବୁଝିବାକୁ ନେତାମାନଙ୍କୁ ବାକି ନାହିଁ।