ଭୁବନେଶ୍ବର: ପୁଲିସ ଏସ୍‌ଆଇ ନିଯୁକ୍ତି କେଳେଙ୍କାରୀ ପଛରେ ବିଜେପି ଦଳର ରାଜ୍ୟ ନେତୃତ୍ବ ସମେତ କେନ୍ଦ୍ରୀୟ ବଡ଼ ନେତା ସଂପୃକ୍ତ ଥିବା ସନ୍ଦେହ କରାଯାଉଛି। ପୂର୍ବ ସରକାର ସମୟରେ ଚାକିରି ବିକ୍ରି ହେଉଥିଲା ବୋଲି ବିଜେପି ନେତୃବୃନ୍ଦ ଅଭିଯୋଗ କରୁଥିଲେ। କିନ୍ତୁ ସରକାର ଆସିବା ପରେ ନିଜେ ଚାକିରି ବିକ୍ରିରେ ସାମିଲ ହୋଇଗଲେ। ମହାରାଷ୍ଟ୍ରର ଅତୁଲ ପ୍ରଭାକର ନାମ ବ୍ୟକ୍ତି ଓଡ଼ିଶାରେ ମାସ ମାସ ଧରି ରହୁଛନ୍ତି କାହିଁକି? ମହାଦୁର୍ନୀତିର ଚେର ପଞ୍ଚସଫ୍‌ଟ ମାଲିକ ଶଙ୍କର ପୃଷ୍ଟିଙ୍କ ସହ ତାଙ୍କର ସଂପର୍କ କ’ଣ? ପୁଲିସ ଚାକିରି ବିକ୍ରି ରୢାକେଟ୍‌କୁ ଶଙ୍କର ପୃଷ୍ଟି ସହ ଅତୁଲ ପ୍ରଭାକର ଚଳାଉଥିବା ଅଭିଯୋଗ କରିଛି କଂଗ୍ରେସ।

Advertisment

ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଦେବାଶିଷ ନାୟକ କହିଲେ, ପୂର୍ବ ସରକାର ସମୟରେ ଯାହା ନାଁରେ ଚାକିରି ବିକ୍ରି ଅଭିଯୋଗ ଥିଲା ସେହି ଶଙ୍କର ପୃଷ୍ଟି ବର୍ତ୍ତମାନ ସରକାରରେ ବି ସକ୍ରିୟ। ଏତେ ବଡ଼ ଅପରାଧୀକୁ କିଏ କାମ ଦେଲା ଓ ବିଜେପି ଦଳରେ ସେ କେମିତି ସାମିଲ ହେଲେ? ମୁଖ୍ୟମନ୍ତ୍ରୀ ଓ ଅନ୍ୟ ବିଜେପି ନେତାଙ୍କ ସହ ତାଙ୍କର ଫଟୋ ଘୂରି ବୁଲୁଛି? ଶଙ୍କର ପୃଷ୍ଟି ସହ ବିଜେପି ନେତାଙ୍କ ସଂପର୍କ କ’ଣ ବୋଲି ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି। 

ପୁଲିସ ଏସ୍‌ଆଇ ନିଯୁକ୍ତି କେଳେଙ୍କାରୀ

ମୁଖପାତ୍ର ରଜନୀ ମହାନ୍ତି କହିଲେ, ବିଜେପି ସରକାରର ୧୫ ମାସ ଭିତରେ ୧୬ଟି ନିଯୁକ୍ତି ଭିତ୍ତିକ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଠାରୁ ଆରମ୍ଭ କରି ଚାକିରି ଦେବା ପାଇଁ ଅର୍ଥ ଆଦାୟର ଅଭିଯୋଗ ହୋଇଛି। ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ (ଓପିଆରବି)ର ବରିଷ୍ଠ ପୁଲିସ ଅଧିକାରୀ ଓ ରାଜ୍ୟ ସରକାରଙ୍କର ବରିଷ୍ଠ ମନ୍ତ୍ରୀଙ୍କ ବିନା ଅଗୋଚରରେ ଏହି କେଳେଙ୍କାରୀ ସମ୍ଭବ କି?  ପଞ୍ଚସଫ୍‌ଟକୁ ପରୀକ୍ଷା ପରିଚାଳନା କରିବା ପାଇଁ କିଏ ଦାୟିତ୍ବ ନେଇଥିଲା ତାହାର ଅନୁସନ୍ଧାନ କାହିଁକି ଓପିଆର୍‌ବି ଅଧକ୍ଷ କରୁନାହାନ୍ତି। ମହାରାଷ୍ଟ୍ରର ଅତୁଲ ପ୍ରଭାକରଙ୍କ ସହ ରାଜ୍ୟ ବିଜେପି ପ୍ରଭାରୀ ତୋମାରଙ୍କ କି ସମ୍ପର୍କ ଅଛି? ରାଜ୍ୟ ସରକାର ଏହି ଘଟଣା ନିରପେକ୍ଷ ତଦନ୍ତ କରନ୍ତୁ ବୋଲି ସେ ଦାବି କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ସମ୍ମିଳନୀରେ ଅମୀୟ ପାଣ୍ଡବ ଉପସ୍ଥିତ ଥିଲେ।