ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ମୁରିବାହାଲ : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍‌ ବିଟାବନ୍ଧ ପଞ୍ଚାୟତ ଘଣ୍ଟବାହାଲି ଗାଁର ମୀନକେତନ ତାଣ୍ଡିଙ୍କ ପତ୍ନୀ ରଶ୍ମିତା ତାଣ୍ଡି (୩୨ବର୍ଷ)ଙ୍କ ଗୁରୁବାର ସନ୍ଦେହଜନକ ମୃତ୍ୟୁ ହୋଇଛି। ପରିବାର ଲୋକଙ୍କ କହିବା ଅନୁସାରେ, ରଶ୍ମିତାଙ୍କ ଦେହ ଅସୁସ୍ଥ ଥିବାରୁ ସେ ଟିଟିଲାଗଡ଼ର ଡାକ୍ତରଙ୍କ ପରାମର୍ଶକ୍ରମେ ଔଷଧ ସେବନ କରୁଥିଲେ। ଗୁରୁବାର ଦିନ ୧୧ଟାରେ ଘରେ କେହି ନଥିବା ସମୟରେ ହଠାତ୍‌ ତାଙ୍କର ଅସ୍ୱାଭାବିକ ମୃତ୍ୟୁ ଘଟିଥିଲା।

ସୂଚନା ଅନୁସାରେ, ଘଣ୍ଟବାହାଲି ଗ୍ରାମର ଶୁକଦେବ ତାଣ୍ଡିଙ୍କ ବଡ଼ପୁଅ ମୀନକେତନ ୨୦୧୬ ମସିହାରେ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଟୁର୍ଚି ନିକଟ ମାଙ୍କଡ଼ଖୁଲା ଗ୍ରାମର ରଶ୍ମିତାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ତାଙ୍କର ଏକ ୪ବର୍ଷର ପୁଅ ଥିବା ବେଳେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି ମନୋମାଲିନ୍ୟ ନଥିଲା ବୋଲି ପରିବାର ଲୋକେ କହିଛନ୍ତି। ରଶ୍ମିତାଙ୍କ ମୃତ୍ୟୁ ଖବର ପାଇ ବାପଘର ଲୋକେ ମଧ୍ୟ ଘଣ୍ଟବାହାଲି ପହଞ୍ଚିଛନ୍ତି। ଟିଟିଲାଗଡ଼ ଥାନା ଏଏସ୍‌ଆଇ କାର୍ତ୍ତିକ ପ୍ରଧାନ ପହଞ୍ଚି ମୃତଦେହ ଜବତ କରିଛନ୍ତି। ଦିନ ୧୧ଟାରୁ ରାତି ୮ଟା ସୁଦ୍ଧା ମୃତଦେହ ଘରେ ପଡ଼ିରହିଥିବାରୁ ଗାଁରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ପରିବାର ଲୋକଙ୍କ ଏତଲା ଆଧାରରେ ପୁଲିସ ଏକ  ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି ବୋଲି ଟିଟିଲାଗଡ଼ ଥାନା ଆଇଆଇସି ରଞ୍ଜନ ବରିହା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର