କଟକ: ଚୌଦ୍ବାର ଥାନା ଶୌଚାଳୟରେ ଜଣେ ବାଇକ୍ ଲୁଟେରା ଗ୍ୟାଙ୍ଗର ଅନ୍ୟତମ ଅଭିଯୁକ୍ତ ତଥା ଢେଙ୍କାନାଳଜିଲ୍ଲା ସଦର ଥାନା ଅଞ୍ଚଳର ରସାନନ୍ଦ ନାୟକ(୩୮)ଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି।  ପୁଲିସ ନିର୍ଯାତନା ଯୋଗୁ ରସାନନ୍ଦଙ୍କ ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଏହି ଘଟଣାରେ ଯେଉଁ ଅଫିସରଙ୍କ କର୍ତ୍ତବ୍ୟରେ ଅବହେଳା ନେଇ ପ୍ରମାଣ ମିଳିବ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ଡିସିପି ସୂଚନା ଦେଇଛନ୍ତି। ଚୌଦ୍ବାର ଥାନା ପୁଲିସ ଏକ ବାଇକ୍ ଲୁଟ୍ ମାମଲାର ତଦନ୍ତ କରୁଥିବା ବେଳେ ଶନିବାର ଦୁଇ ଜଣଙ୍କୁ ଗିରଫ କରିଥିଲା। ଚୌଦ୍ବାର ଓଟିଏମ୍ ଲେବର କଲୋନିର ଝୁନା ଓରଫ ହେମନ୍ତ ଦୋରା ଓ ଡମଡ଼ମଣିର ପିଣ୍ଟୁ ମଲ୍ଲିକକୁ ଗିରଫ କରାଯାଇଥିବା ବେଳେ ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ଥିଲା ରସାନନ୍ଦ। ଶନିବାର ସନ୍ଧ୍ୟାରେ ପୁଲିସ ତାକୁ ଉଠାଇ ନେଇ ଚୌଦ୍ବାର ଥାନାରେ ଜେରା କରୁଥିଲା। ସୋମବାର ଦିନ ଥାନାରେ ସେ ଶୌଚାଳୟ ଯିବାକୁ କହି ଯାଇଥିଲା। ତେବେ ଶୌଚାଳୟରେ ବେଲ୍ଟ ବାନ୍ଧି ଝୁଲିପଡ଼ିଥିଲା। ପୁଲିସ କବାଟ ଭାଙ୍ଗି ରସାନନ୍ଦକୁ ଉଦ୍ଧାର କରିଥିଲା। ଚୌଦ୍ବାର ଥାନା ପୁଲିସ ସୋମବାର ଦିନ ପ୍ରାୟ ୧୨ଟା ୩୦ରେ ତାଙ୍କୁ ଏସ୍‌ସିବିରେ ଭର୍ତ୍ତି କରିଥିଲା। ତାକୁ ସେଠାରେ ଟ୍ରମା କାଜୁଆଲିଟିର ଭେଣ୍ଟିଲେଟରରେ ରଖାଯାଇଥିଲା। ଦିନ ପ୍ରାୟ ୨ଟା ୧୦ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

Advertisment

ମୃତ ରସାନନ୍ଦ ଗଲା ଅଗଷ୍ଟରେ ଯାଜପୁର ଜିଲ୍ଲା ଜେଲ୍‌ରୁ ଏକ ଚୋରି ମାମଲାରେ ଜାମିନରେ ଆସିଥିଲା। ରସାନନ୍ଦ ବିରୋଧରେ ଢେଙ୍କାନାଳ ସଦର ଥାନାରେ ୩ଟି ଆପରାଧିକ ମାମଲା, ଯାଜପୁର ଜିଲ୍ଲା କାଳିଆପାଣି ଥାନା, କଟକର କମିସନରେଟ୍ ପୁଲିସର ମର୍କତନନଗର ଓ କ୍ୟାଣ୍ଟନମେଣ୍ଟ ଥାନା, କଟକ ଗ୍ରାମାଞ୍ଚଳର ଆଠଗଡ଼ ଥାନା, ଭୁବନେଶ୍ବର ନନ୍ଦନକାନନ ଥାନାରେ ୮ଟି ଆପରାଧିକ ମାମଲା ରହିଛି। ଚୌଦ୍ବାର ଥାନା ଚଷାପଡ଼ାର ରାକେଶ କୁମାର ମଙ୍ଗରାଜ ଗଲା ୧୦ ତାରିଖ ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ଏହି ଲୁଟେରା ଗ୍ୟାଙ୍ଗ ତାଙ୍କ ବାଇକ୍‌ ସମେତ ମୋବାଇଲ୍ ଫୋନ୍, ବ୍ୟାଗରେ ଥିବା ଅଫିସ କାଗଜପତ୍ର ଲୁଟିନେଇଥିଲେ। ଏ ନେଇ ୧୨ ତାରିଖରେ ଚୌଦ୍ବାର ଥାନା ପୁଲିସ ଏକ ମାମଲା ରୁଜୁ କରିଥିଲା। ରସାନନ୍ଦର ଏହି ଗ୍ୟାଙ୍ଗ ମଙ୍ଗୁଳି, ଟାଙ୍ଗୀ, ଜଗତପୁର, କଟକ, ଚୌଦ୍ବାର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଆସୁଥିଲେ। 

ମୃତ ରସାନନ୍ଦଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ଯେ ସ୍ବାମୀଙ୍କୁ ପୁଲିସ ଏକ ଚୋରି ଅଭିଯୋଗରେ ଉଠାଇ ଆଣିଥିଲା। ଥାନାରେ ପୁଲିସ ନିର୍ଯାତନା ଦେବାରୁ ଏଭଳି ଅଘଟଣ ଘଟିଥିବା ପତ୍ନୀ କହିଛନ୍ତି। 
ଅନ୍ୟପଟେ ଏହି ଘଟଣାରେ ଡିସିପି ଖିଲାରୀ ଋଷିକେଶ ଦ୍ୟାନଦେଓ କହିଛନ୍ତି ଯେ ସୋମବାର ଦିନ ପ୍ରାୟ ୧୨ଟା ବେଳେ ଚୌଦ୍ବାର ଥାନାର ସେଣ୍ଟ୍ରିଙ୍କ ସୂଚନା ଆଧାରରେ ତୁରନ୍ତ ଅଭିଯୁକ୍ତଙ୍କୁ ଥାନା ଗାଡ଼ିରେ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଥିଲା। ଏନ୍‌ଏଚ୍‌ଆରସି ଗାଇଡଲାଇନ୍ ଅନୁଯାୟୀ ସମସ୍ତ ପଦକ୍ଷେପ ନିଆଯାଉଛି। ପରିବାର ଲୋକଙ୍କ ଉପସ୍ଥିତିରେ ଶବ ପଞ୍ଚନାମା କରାଯିବ। ଶବ ବ୍ୟବଚ୍ଛେଦର ଭିଡିଓଗ୍ରାଫି କରାଯିବ। ପରିବାର ଲୋକଙ୍କ ଯେଉଁ ଅଭିଯୋଗ ଆସିଛି ଏହାର ତଦନ୍ତ କରାଯିବ। ଯାହାର ବି କିଛି ଦୋଷ ବାହାରିବ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଡିସିପି ଦ୍ୟାନଦେଓ ସ୍ପଷ୍ଟ କରିଛନ୍ତି।