ବଲାଙ୍ଗୀର: ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜର ଜଣେ ଛାତ୍ରଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। କଲେଜ ହଷ୍ଟେଲର ସାତମହଲା କୋଠାରୁ ଖସି ସେ ପ୍ରାଣ ହରାଇଛନ୍ତି। ସେ କୋଠାରୁ ଡେଇଁପଡ଼ିଛନ୍ତି ନା ତାଙ୍କୁ ଠେଲି ଦିଆଯାଇଛି, ତାହା ସ୍ପଷ୍ଟ ହୋଇନାହିଁ। ତେବେ, ମୃତ ଛାତ୍ରଙ୍କ ପରିବାର ପକ୍ଷରୁ ରାଗିଂ ହୋଇଥିବା ନେଇ ଅଭିଯୋଗ କରାଯାଇଥିବାବେଳେ କଲେଜ ପକ୍ଷରୁ ଖଣ୍ଡନ କରାଯାଇଛି।
ମୃତ ଛାତ୍ର ଜଣକ ହରିୟାଣାର ଇଶାନ୍ତ କୁମାର। ସେ ଏମ୍ବିବିଏସ୍ର ପ୍ରଥମବର୍ଷ ଛାତ୍ର। ଇଶାନ୍ତ ଗତ ୧୧ ତାରିଖ ଦିନ କଲେଜରେ ପହଞ୍ଚିଥିଲେ। ଫାଉଣ୍ଡେସନ କ୍ଲାସ୍ ଚାଲୁଥିବାରୁ ଆଜି ସେ କ୍ଲାସ୍ ବି କରିଥିଲେ। ସେତେବେଳେ ଅପରାହ୍ନ ପ୍ରାୟ ୩ଟା ପାଖାପାଖି ସମୟ। ଇଶାନ୍ତ ହଠାତ୍ କଲେଜର ନ୍ୟୁ ବଏଜ ହଷ୍ଟେଲର ଛାତ ଉପରୁ ଖସିପଡ଼ିଥିଲେ। ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଯେଉଁ ଛାତରୁ ଇଶାନ୍ତ ତଳେ ପଡ଼ିଥିଲେ, ସେହି ଛାତ ଉପରେ ତାଙ୍କ ଚପଲ ଏକ କୋଣରେ ପଡ଼ିଥିବା ଦେଖିବାକୁ ମିଳିଛି। ସେହିପରି ଇଶାନ୍ତ ପ୍ରଶିକ୍ଷଣ ନିବାସ ତଥା ହଷ୍ଟେଲର ତୃତୀୟ ମହଲା ୩୧୨ ନଂ କୋଠରିରେ ରହୁଥିଲେ। ଉକ୍ତ କୋଠରି ବନ୍ଦ ଥିବାବେଳେ ତା’ର ଚାବି ବି ଇଶାନ୍ତଙ୍କ ପକେଟରୁ ବାହାରିଛି।
ଏହି କୋଠରିରେ ଇଶାନ୍ତ ଏକା ରହୁଥିବା ତାଙ୍କ ସହପାଠୀମାନେ କହିଛନ୍ତି। କେତେଜଣ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ ଛାତରେ ପ୍ରାୟ ୪ ଫୁଟର ବାଡ଼ ଥିବାରୁ କେହି ଖସି ପଡ଼ିବେନାହିଁ। ଏଣୁ ଇଶାନ୍ତ ଆତ୍ମହତ୍ୟା କରିଥାଇ ପାରନ୍ତି ନହେଲେ କେହି ତାଙ୍କୁ ଛାତରୁ ଠେଲି ହତ୍ୟା କରିଥାଇପାରେ। ତେବେ, ପୁଲିସ ଏ ନେଇ ତଦନ୍ତ ଜାରି ରଖିଛି। ଏସ୍ଡିପିଓ ତୋଫାନ ବାଗ ମେଡିକାଲ କଲେଜରେ ପହଞ୍ଚି ଘଟଣାର ଯାଞ୍ଚ କରିବା ସହ ଛାତ୍ରଙ୍କୁ ପଚରାଉଚରା କରିଛନ୍ତି। କେଉଁ କାରଣରୁ ଘଟଣା ଘଟିଛି, ସେ ନେଇ ତଦନ୍ତ ଜାରି ରହିଥିବା ପ୍ରତିକ୍ରିୟାରେ କହିଛନ୍ତି ଶ୍ରୀ ବାଗ।
ଅନ୍ୟପକ୍ଷରେ, ମୃତ ଇଶାନ୍ତଙ୍କ ପରିବାର ଲୋକେ ରାଗିଂ ଅଭିଯୋଗ ଆଣିଛନ୍ତି। ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନାବେଳେ ଏହି ଅଭିଯୋଗ ଆଣିବା ସହ ସେମାନେ ଆସୁଥିବା କହୁଛନ୍ତି। ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି କଲେଜର ଡିନ୍ ଡା. ସବିତା ମହାପାତ୍ର । କେଉଁ ପରିସ୍ଥିତିରେ ସେ ସାତ ମହଲା ଛାତରୁ ପଡ଼ିଲେ, ତାହା ଜଣାପଡ଼ିନି ବୋଲି କଲେଜ କର୍ତ୍ତୃପକ୍ଷ କହିଛନ୍ତି।