ନବବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ, ବିଷ ପିଇଦେଲା ସ୍ବାମୀ

ଦିଗପହଣ୍ଡି/ଚିକିଟି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଓ କେ.ନୂଆଗାଁ ଥାନା ଅଧୀନ ଧାନ୍ୟରାଶି ଗ୍ରାମରେ ଏ.ରଶ୍ମିତା ନାମକ ଜଣେ ନବବିବାହିତାଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି। ଯୌତୁକ ପାଇଁ ରଶ୍ମିତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଅଣାଯିବା ପରେ କେସ୍ ନମ୍ବର ୨୦୯ ଅନୁସା‌ରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ତେବେ ଏଭଳି ପରିସ୍ଥିତିରେ ରଶ୍ମିତାଙ୍କ ସ୍ବାମୀ ଏମ୍.କ୍ରିଷ୍ଣା ଚିକିଟି କେଲୁଆ ଗ୍ରାମ ନିକଟରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣାକୁ ରହସ୍ୟ ଆଡ଼କୁ ଠେଲି ଦେଇଛି। ଗୁରୁତର ଅବସ୍ଥାରେ କ୍ରିଷ୍ଣାଙ୍କୁ ଚିକିଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ବୟାନ୍‌ରୁ ହିଁ ସବୁ କିଛି ସ୍ପଷ୍ଟ ହେବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।

ଗତ ଏପ୍ରିଲ ୨୨ ତାରିଖରେ ଆସିକା ଥାନା ଗୋଲାପଲ୍ଲୀ ଗ୍ରାମର ଏ.ପଞ୍ଚାନନ ପାତ୍ରଙ୍କ ଝିଅ ରଶ୍ମିତା ଧାନ୍ୟରାଶି ଗ୍ରାମର ଏମ.ମାଲେଶୁ ପାତ୍ରଙ୍କ ପୁଅ କ୍ରିଷ୍ଣାଙ୍କୁ ବିବାହ କରିଥିଲେ। ଦାବିମୁତାବକ, ରଶ୍ମିତାଙ୍କ ପରିବାର ପକ୍ଷରୁ ସମସ୍ତ ‌ଯୌତୁକ ଦିଆଯାଇଥିଲା। ହେଲେ ଅଧିକ ‌ଯୌତୁକ ପାଇଁ ରଶ୍ମିତାଙ୍କ ଉପରେ ସ୍ବାମୀ କ୍ରିଷ୍ଣା ଓ ଶ୍ବଶୁରଘର ଲୋକେ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଇଆସୁଥିଲେ। ଭୁବନେଶ୍ବର ନିକଟ ବାଲିଅନ୍ତାରେ କ୍ରିଷ୍ଣା ଜଣେ ବ୍ୟକ୍ତିଙ୍କ ଘରେ ଗାଡ଼ିଚାଳକ ଭାବେ କାମ କରୁଥିବା ବେଳେ ରଶ୍ମିତା ତାଙ୍କ ସହ ସେଠାରେ ରହୁଥିଲେ। ଗତ କିଛିଦିନ ତଳେ ସେମାନେ ଧାନ୍ୟରାଶି ଗାଁକୁ ଆସିଥିଲେ।

ଗତକାଲି ରାତି ୮ଟାରେ କ୍ରିଷ୍ଣା ଭୁବନେଶ୍ବର ଯିବା ପାଇଁ ବାହାରି ପଡ଼ିଥିବା ସହ ପରିବାରର ଅନ୍ୟ ସଦସ୍ୟମାନେ ଶୋଇ ପଡ଼ିଥିଲେ। ଆଜି ସକା‌ଳେ ଶ୍ବଶୁର ମାଲେସୁ ଘରର ଉପରମହଲାରେ ଥିବା ପଙ୍ଖାରେ ରଶ୍ମିତାଙ୍କ ଝୁଲନ୍ତା ଶବ ଦେଖିବାକୁ ପାଇଥିଲେ। କ୍ରିଷ୍ଣାଙ୍କୁ ଫୋନ୍ କରି ଅବଗତ କରିଥିଲେ।  ତେବେ ରଶ୍ମିତାଙ୍କ ଦେହର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ବାପା ଏ.ପଞ୍ଚାନନ ଥାନାରେ ଏତଲା ଦେଇଥିଲେ। ଏହାପରେ ରଶ୍ମିତାଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ତେବେ କିଛି ସମୟ ପରେ କେଲୁଆ ଗ୍ରାମ ନିକଟରେ ସ୍ବାମୀ କ୍ରିଷ୍ଣା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଥିଲା। ତାଙ୍କୁ ଏକ ବିଲରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତଦନ୍ତ ଜାରି ରହିଥିବା ସହ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଥିବା ଥାନାଧିକାରୀ ମୃତ୍ୟୁଞ୍ଜୟ ସ୍ବାଇଁ ସୂଚନା ଦେଇଛନ୍ତି। ସାଇଣ୍ଟିଫିକ୍ ଟିମ୍ ମଧ୍ୟ ପହଞ୍ଚି ତଦନ୍ତ କରିଛି।

ସମ୍ବନ୍ଧିତ ଖବର