ଛତ୍ରପୁର : ଗଞ୍ଜାମ ଜିଲ୍ଲା ଛତ୍ରପୁର କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ରବିବାର ଦିନ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ ଛାତ୍ରୀ ହେଲେ, ଛତ୍ରପୁର ଥାନା ତରେଇପାଟପୁର ଗ୍ରାମର କୈଳାସ ଚନ୍ଦ୍ର ବେହେରାଙ୍କ ଝିଅ ରୋଜା। ତାଙ୍କ ମୃତ୍ୟୁ ପାଇଁ ପରିବାର ଲୋକେ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି।
ସୂଚନା ଅନୁସାରେ, ସବୁଦିନ ଭଳି ଗତକାଲି ରାତିରେ ରୋଜା ରାତ୍ରିଭୋଜନ ଖାଇବା ପରେ ଶୋଇପଡ଼ିଥିଲେ। ରବିବାର ଭୋର୍ ସାଢ଼େ ୪ଟାରେ ହଠାତ୍ ସେ ଅସୁସ୍ଥ ଅନୁଭବ କରିବା ସାଙ୍ଗକୁ ପ୍ରବଳ ବାନ୍ତି କରିଥିଲେ। ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ୱାର୍ଡ଼େନ୍ କିଛି ଔଷଧ ଖାଇବାକୁ ଦେଇଥିଲେ। ତଥାପି ରୋଜାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ନଆସିବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ସକାଳ ସାଢ଼େ ୬ଟାରେ ତାଙ୍କୁ ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ରୋଜାଙ୍କୁ ମୃତ ଘୋଷଣା କରିଥିଲେ।
ରୋଜାଙ୍କ ମୃତ୍ୟୁର କାରଣ ଏଯାବତ୍ ସ୍ପଷ୍ଟ ହୋଇପାରିନି। ତେବେ, ଏଥିପାଇଁ ତାଙ୍କ ପରିବାରବର୍ଗ କର୍ତ୍ତୃପକ୍ଷଙ୍କ ଅବହେଳାକୁ ହିଁ ଦାୟୀ କରିଛନ୍ତି। ରୋଜା ଅସୁସ୍ଥ ହେବାସହ ବାନ୍ତି କରିବା କ୍ଷଣି ତାଙ୍କୁ ସଙ୍ଗେସଙ୍ଗେ କାହିଁକି ଡାକ୍ତରଖାନାକୁ ଅଣାଗଲାନି ବୋଲି ପ୍ରଶ୍ନ କରିଛନ୍ତି। ୨ ଘଣ୍ଟା ବିଳମ୍ବରେ ଚିକିତ୍ସା ଯୋଗୁ ତାଙ୍କ ଝିଅର ମୃତ୍ୟୁହେଲା ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି। ଏନେଇ ଛତ୍ରପୁର ଥାନାରେ କେସ୍ ନମ୍ବର ୭୯୯ ଅନୁସାରେ ଏକ ମାମଲା ରୁଜୁ ସହ ତଦନ୍ତ ଜାରି ରହିଛି।
ଅନ୍ୟପକ୍ଷରେ, ଜିଲ୍ଲା ଶିକ୍ଷା ବିଭାଗର ଗୁରୁଛାତ୍ର କଲ୍ୟାଣ ପାଣ୍ଠିରୁ ମୃତ ଛାତ୍ରୀଙ୍କ ବାପାଙ୍କୁ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ବିନିତା ସେନାପତି ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି।