ରାୟଗଡ଼ା : ଦୁଇ ରୁଷ ପର୍ଯ୍ୟଟକଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଇବା ପାଇଁ ଇଣ୍ଟରପୋଲ ସହାୟତା ନେଇପାରେ କ୍ରାଇମବ୍ରାଞ୍ଚ। ପାଭେଲ୍ ଆନ୍ଥେଭଙ୍କ ମୋବାଇଲ୍, ପାସ୍‌ପୋର୍ଟ, ନଗଦ (ଡଲାର୍) ଜବତ ପରେ ଏହି ଦିଗରେ ଚିନ୍ତା କରୁଛି। ମୃତ୍ୟୁ ପୂର୍ବରୁ ଆନ୍ଥେଭ କାହା ସହ ମୋବାଇଲରେ ଚାଟ୍ କରିଥିଲେ, କାହାକୁ ଇ-ମେଲ୍ କରିଥିଲେ ଏବଂ ଫୋନ୍ କଲର ସବିଶେଷ ତଥ୍ୟ ହାସଲ ପାଇଁ ଇଣ୍ଟରପୋଲ୍ ସହାୟତା ଲୋଡ଼ିବ। ଏଥି ସହ ଦୁଇ ପର୍ଯ୍ୟଟକ ବିଦାନୋଭ, ଆନ୍ଥେଭଙ୍କ ଶେଷକୃତ୍ୟ ହୋଇଥିବା ସିରିଗୁଡ଼ା ଶ୍ମଶାନରୁ ଶନିବାର ଦିନ ହାଡ଼, ପାଉଁଶ ଜବତ କରିଛି କ୍ରାଇମବ୍ରାଞ୍ଚର ଫରେନସିକ୍ ଟିମ୍। ଖୁବ ଶୀଘ୍ର ହୋଟେଲ କର୍ମଚାରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବ ସିବି (ସିଆଇଡି) ଟିମ୍‌।

Advertisment

ଜବତ ହେଲା ଆନ୍ଥେଭଙ୍କ ମୋବାଇଲ୍, ପାସ୍‌ପୋର୍ଟ
ସିରିଗୁଡ଼ା ଶ୍ମଶାନରୁ ଜବତ ହେଲା ହାଡ଼, ପାଉଁଶ
ଶବ ବ୍ୟବଚ୍ଛେଦ ରିପୋର୍ଟକୁ ନେଇ ବଢ଼ିଲା ସନ୍ଦେହ

ଘଟଣାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଲାଗି ରହିଥିବା ବେଳେ ଆଜି ଆନ୍ଥେଭଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ରିପୋର୍ଟରେ ଆନ୍ଥେଭଙ୍କ ବାମ ପାର୍ଶ୍ବ ଛାତିରେ ଗଭୀର ଆଘାତ ଲାଗିବା ସହ ଫୁସଫୁସ, ଯକୃତ ନଷ୍ଟ ହୋଇ ଯାଇଥିବା ଉଲ୍ଲେଖ ହୋଇଛି। ଶରୀର ଭିତରେ ପ୍ରବଳ ରକ୍ତସ୍ରାବ ସହ ହୃଦ୍‌ଘାତ ମଧ୍ୟ ହୋଇଥିଲା। ତେବେ ମୃତ୍ୟୁ ପଛର କାରଣ ଦୁର୍ଘଟଣାଜନିତ ବୋଲି ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ହୋଇଥିବାରୁ ଭିନ୍ନ ସଂକେତ ମିଳିବା ସହ ସନ୍ଦେହକୁ ଦୃଢ଼ୀଭୂତ କରୁଛି। ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଦୁଇ ବିଶେଷଜ୍ଞ ଡାକ୍ତର ଡି.କେ ଦେବ ଓ ଡାକ୍ତର ହିମାଂଶୁ ଶେଖର ନାଥ ଆନ୍ଥେଭଙ୍କ ଶବ ବ୍ୟବଚ୍ଛେଦ କରିଥିଲେ। ପୂର୍ବରୁ ଆନ୍ଥେଭଙ୍କ ଭିସେରା ସଂଗ୍ରହ ନ କରିବା କାରଣରୁ ସମାଲୋଚନାର ଶିକାର ହୋଇଥିଲା ଡାକ୍ତରୀ ଟିମ୍। ଏବେ ବ୍ୟବଚ୍ଛେଦ ରିପୋର୍ଟରେ ମୃତ୍ୟୁର କାରଣ ଦୁର୍ଘଟଣାଜନିତ ଲେଖିବା ପରେ ସ୍ପର୍ଶକାତର ଘଟଣାର ସତ୍ୟାସତ୍ୟ ଯାଞ୍ଚ ପୂର୍ବରୁ କିପରି ମୃତ୍ୟୁର କାରଣ ଉଲ୍ଲେଖ କରାଗଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

କ୍ରାଇମବ୍ରାଞ୍ଚ ଟିମ୍‌ର ତଦନ୍ତ ଆଜି ଦ୍ବିତୀୟ ଦିନରେ ପହଞ୍ଚିଥିବା ବେଳେ ପୁଲିସ୍, ଡାକ୍ତରୀ ଟିମ୍ ଓ ହୋଟେଲ୍ କର୍ତ୍ତୃପକ୍ଷଙ୍କ ସହ ବିଭିନ୍ନ ଦିଗ ଉପରେ ଆଲୋଚନା କରିଛି। ହୋଟେଲର ୩୧୯ ଓ ୪୦୧ନମ୍ବର ରୁମ୍‌କୁ ଯାଞ୍ଚ କରି ଆଉ କିଛି ସୁରାକ୍ ହାସଲ କରିଛି। ତଦନ୍ତ ପାଇଁ ଆବଶ୍ୟକ ବିଭିନ୍ନ ଦିଗକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଥିବା ଡିଏସ୍‌ପି ସରୋଜକାନ୍ତ ମହାନ୍ତ ସୂଚନା ଦେଇଛନ୍ତି। ତଦନ୍ତ ପରେ କ୍ରାଇମବ୍ରାଞ୍ଚ ଟିମ୍ ଭୁବନେଶ୍ବର ଫେରିଯିବା ସମ୍ଭାବନା ଥିବାରୁ ଆଜି ଟିମ୍ ପୁଣି ହୋଟେଲ୍ କର୍ତ୍ତୃପକ୍ଷ, ଡାକ୍ତରୀ ଟିମ୍ ସହ ଅଲଗା ଅଲଗା ଆଲୋଚନା କରିଛି। ଘଟଣା ପୂର୍ବରୁ ଡିସେମ୍ବର ୧ରୁ ୨୭ତାରିଖ ପର୍ଯ୍ୟନ୍ତ ହୋଟେଲକୁ କେଉଁ କେଉଁ ପର୍ଯ୍ୟଟକ କେଉଁ ଅଞ୍ଚଳରୁ ଆସିଥିଲେ ତାହାର ରିପୋର୍ଟ ମଧ୍ୟ ସଂଗ୍ରହ କରିଛି।

ଘଟଣା ଦିନ ହୋଟେଲ୍ ସିସିଟିଭି କ୍ୟାମେରା ଅଚଳ ଥିବାରୁ କ୍ରାଇମବ୍ରାଞ୍ଚ ହୋଟେଲକୁ ସଂଯୋଗ ହୋଇଥିବା ରାସ୍ତାର ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜ୍ ସଂଗ୍ରହ କରିଛି। ସେପଟେ କ୍ରାଇମବ୍ରାଞ୍ଚର ଆଉ ଗୋଟିଏ ଟିମ୍ ଭୁବନେଶ୍ବରରେ ରୁଷ ଦମ୍ପତିଙ୍କ ସମେତ, ଟୁରିଷ୍ଟ ଗାଇଡ୍, କାର ଡ୍ରାଇଭରଙ୍କୁ ଜେରା କରୁଛି। କ୍ରାଇମବ୍ରାଞ୍ଚ ପୂର୍ବରୁ ଘଟଣାର ତଦନ୍ତ ଆରମ୍ଭ କରିଥିବା ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ବ୍ୟୁରୋ (ସିଆଇବି) ମଧ୍ୟ ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ପ୍ରମାଣ ଯୋଗାଡ଼ କରିବାରେ ଲାଗିଛି। ଦୁଇ ପର୍ଯ୍ୟଟକଙ୍କ ମୃତ୍ୟୁକୁ ନେଇ ପ୍ରତିଦିନ ନୂଆ ତଥ୍ୟ ସାମ୍‌ନାକୁ ଆସିବାରେ ଲାଗିଥିବାରୁ କ୍ରାଇମବ୍ରାଞ୍ଚ ଟିମ୍ ଅତି ସତର୍କତାର ସହ ଘଟଣାର ତଦନ୍ତ କରୁଛି।