ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ଜବହାର ନବୋଦୟ ବିଦ୍ୟାଳୟ ପରିସର ହଷ୍ଟେଲ ମଧ୍ୟରେ ନବମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରୀ ସୌଦାମିନୀ ରଇତ ବେକରେ ବେଡ଼ସିଟ ବାନ୍ଧି ଆତ୍ମହତ୍ୟା କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ପରିବାର ଲୋକେ ବିଦ୍ୟାଳୟରେ ପହଞ୍ଚିବା ପରେ ଏନେଇ ପାରଳାଖେମୁଣ୍ଡି ଥାନାରେ ଲିଖିତ ଏତଲା ଦେଇଛନ୍ତି। ଏହି ଘଟଣାରେ ପରିବାର ଲୋକ ତାଙ୍କ ଝିଅ ସୌଦାମିନୀଙ୍କୁ ହତ୍ୟା କରାଯାଇଛି ବୋଲି ଥାନାରେ ଅଭିଯୋଗ କରିଛନ୍ତି। ସେ ପାରିପାର୍ଶ୍ବିକ ସ୍ଥିତିକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି।
ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିବା ସହ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ଏଥିପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି। ଏହା କେବେ ବି ଆତ୍ମହତ୍ୟା ନୁହେଁ, କୌଣସି ଘଟଣା କିମ୍ବା ଦୁର୍ଘଟଣାରୁ ତାଙ୍କ ଝିଅର ମୃତ୍ୟୁ ହୋଇଛି ବୋଲି ସୌଦାମିନୀଙ୍କ ବାପା ଡେଭିଡ଼୍ ରଇତ ଥାନାରେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି। ପାରଳା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କେସ୍ ନଂ ୫୨/୨୩ରେ ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ବ୍ୟବଚ୍ଛେଦ ପରେ ପରିବାରବର୍ଗକୁ ଶବ ହସ୍ତାନ୍ତର କରା ଯାଇଥିବା ଥାନାଧିକାରୀ ଏନ୍.କେ.କହଁର ସୂଚନା ଦେଇଛନ୍ତି।
ସୂଚନା ପ୍ରକାରେ, ପ୍ରତିଦିନ ଭଳି ଆଜି ସକାଳ ୫ଟା ବେଳେ ସବୁ ପିଲା ବ୍ୟାୟାମ କରିବାକୁ ଖେଳପଡ଼ିଆକୁ ଯାଇଥିଲେ। ହେଲେ ସୌଦାମିନୀଙ୍କୁ ପଡ଼ିଆରେ ନଦେଖି ପିଲାମାନେ ଖୋଜିଥିଲେ। ପରେ ସହପାଠୀ ହଷ୍ଟେଲ୍ କୋଠରିକୁ ଆସି ସିଡ଼ି ନିକଟରେ ସୌଦାମିନୀଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ଚିତ୍କାର କରିଥିଲେ। ଘଟଣା ସମ୍ପର୍କରେ ସ୍କୁଲ୍ କର୍ତ୍ତୃପକ୍ଷ ଅବଗତହେବା କ୍ଷଣି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସୌଦାମିନୀଙ୍କୁ ଉଦ୍ଧାର କରି ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସହପାଠୀଙ୍କ କହିବା ପ୍ରକାରେ, ଗତକାଲି ରବିବାର ଥିବାରୁ ସମସ୍ତ ପିଲା ହଷ୍ଟେଲ୍ରେ ହିଁ ଥିଲେ। ପରୀକ୍ଷା ପାଖେଇ ଆସିଥିବାରୁ ସୌଦାମିନୀ ଦିନତମାମ ସାଙ୍ଗମାନଙ୍କ ସହ ପଢ଼ାପଢ଼ି କରିଥିଲେ।
ପରେ ରାତିରେ ସମସ୍ତେ ଶୋଇବାକୁ ଯିବା ବେଳେ ସେହି ସ୍କୁଲରେ ସପ୍ତମ ଶ୍ରେଣୀରେ ପଢୁଥିବା ସାନଭଉଣୀ ପ୍ରଜ୍ଞାଙ୍କ ସହ ଦେଖା କରିବାକୁ ଯାଇଥିଲେ। ଭଉଣୀ ସହ କିଛି ସମୟ କଥା ହୋଇ ନିଦ ଲାଗୁନାହିଁ ବୋଲି କହି ସେ ନିଜ ବେଡ଼୍ ନିକଟକୁ ଫେରିଥିଲେ। ଏହାରି ଭିତରେ ରାତି ଅନେକ ହୋଇସାରି ଥିବାରୁ ସମସ୍ତେ ଶୋଇ ଯାଇଥିଲେ। ହେଲେ ସକାଳୁ ସୌଦାମିନୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିବା ଘଟଣାକୁ ସହପାଠୀ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ସୌଦାମିନୀ ଜଣେ ଭଲ ଛାତ୍ରୀ ଥିଲେ। ସେ ଭଲ ପାଠ ପଢିବା ସହ ସ୍କୁଲର ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ସ୍ଵତଃ ସାମିଲ ହେଉଥିଲେ। ହେଲେ ସେ ହଠାତ୍ ଏମିତି କାହିଁକି କଲେ ତାହା ଏବେ ବି ବୁଝା ପଡୁନଥିବା ସ୍କୁଲର ପ୍ରଧାନଶିକ୍ଷକ ପ୍ରଦୀପ କୁମାର ପଣ୍ଡା କହିଛନ୍ତି।