ଭୁବନେଶ୍ବର: ରବିବାର ସକାଳେ ସହିଦନଗର ଥାନା ପୁଲିସ ଉତ୍କଳ ବିଶ୍ବବିଦ୍ୟାଳୟ ମଧୁସୂଦନ ଛାତ୍ରାବାସ ପରିସରରୁ ଜଣେ ଛାତ୍ରଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହକୁ ଜବତ କରିଛି। ମୃତକ ହେଲେ ଦର୍ଶନ ବିଭାଗ ଦ୍ବିତୀୟ ବର୍ଷର ଛାତ୍ର ତାପସ କୁମାର ନାୟକ(୨୨)। ତାଙ୍କ ଘର ମୟୂରଭଞ୍ଜଜିଲ୍ଲା ଯଶୀପୁର। ଛାତ୍ରାବାସ କୋଠାରୁ ଖସିପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। କିନ୍ତୁ ତାପସ କେତେବେଳେ, କେଉଁ ପରିସ୍ଥିତିରେ କୋଠାରୁ ଗଳି ପଡ଼ିଲେ ଏବଂ କେମିତି କାହା ନଜର ପଡ଼ିଲା ନାହିଁ, ସେନେଇ ସନ୍ଦେହ ସୃଷ୍ଟି ହୋଇଛି। ପରିବାର ଲୋକେ ସନ୍ଦେହ କରି ଉପଯୁକ୍ତ ତଦନ୍ତ ଦାବି କରିଛନ୍ତି। ସହିଦନଗର ଥାନା ପୁଲିସ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି। ପୁଲିସ ଛାତ୍ରାବାସର ଅନ୍ତେବାସୀମାନଙ୍କୁ ପଚରାଉଚରା କରିବା ସହ ସିସିଟିଭି ଫୁଟେଜ୍‌ ଯାଞ୍ଚ କରୁଛି। 

Advertisment

ଶନିବାର ତାପସ ୟୁପିଏଲ୍‌ ମ୍ୟାଚ୍‌ ଖେଳିଥିଲେ। ରାତିରେ ନିଜ ରୁମ୍‌ରେ ସାଙ୍ଗମାନଙ୍କ ସହ ମ୍ୟାଚ୍‌ ପ୍ରସଙ୍ଗରେ ଆଲୋଚନା କରିଥିଲେ। କିନ୍ତୁ ରବିବାର ସକାଳେ ଛାତ୍ରାବାସ ପରିସରରେ ତାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ତାପସଙ୍କ ମୃତଦେହ ଦେଖି ଛାତ୍ରମାନେ ଅବାକ୍‌ ହୋଇପଡ଼ିଥିଲେ। ତାଙ୍କ ମୁଣ୍ଡ ପଛପଟେ ଗଭୀର କ୍ଷତ ଥିଲା ଏବଂ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଖବର ପାଇ ବିଶ୍ବବିଦ୍ୟାଳୟ ଓ ଛାତ୍ରାବାସ କର୍ତ୍ତୃପକ୍ଷ ପହଞ୍ଚିଥିଲେ ଏବଂ ପରେପରେ ସହିଦନଗର ଥାନା ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ସହ ପହଞ୍ଚିଥିଲା। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଥିଲା। ତାପସଙ୍କ ବାପା ଶ୍ରୀକାନ୍ତ ନାୟକ ଓ ପରିବାର ଲୋକେ ହସ୍ପିଟାଲ୍‌ରେ ପହଞ୍ଚିବା ପରେ ମୃତଦେହ ବ୍ୟବଚ୍ଛେଦ କରାଯାଇଥିଲା।