ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ବାପା

ନଠୁଆବର : କୁଆଖିଆ ଥାନା ଅନ୍ତର୍ଗତ ବଡ଼କଇଁଚି ଗ୍ରାମର ହୃଷୀକେଶ ଖିଲାରଙ୍କ ଝିଅ ରଶ୍ମିରେଖା(୧୯)ଙ୍କର ଗତ ରବିବାର ରାତିରେ ଓଲଟପୁର ଠାରେ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ତାଙ୍କ ପରିବାର ପକ୍ଷରୁ କଟକ ଜିଲ୍ଲା ଓଲଟପୁର ଥାନାରେ ଝିଅକୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ ହୋଇଛି। ଅଭିଯୋଗ ପରେ ଓଲଟପୁର ଥାନାରେ ଏକ ହତ୍ୟା ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଛି। ଅଭିଯୋଗ ଅନୁଯାୟୀ, କଟକ ଜିଲ୍ଲା ଓଲଟପୁର ଥାନା ଅନ୍ତର୍ଗତ ଉଦୟନାଥ(ୟୁଏନ) ସ୍ବୟଂଶାସିତ ମହାବିଦ୍ୟାଳୟରେ ରଶ୍ମିରେଖା ପଢ଼ୁଥିଲେ।

ଗତ ରବିବାର ଏକ ଘରୋଇ ଛାତ୍ରୀ ନିବାସର ବନ୍ଦ କୋଠରିରୁ ରଶ୍ମିରେଖାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ରାତି ପ୍ରାୟ ସାଢ଼େ ୮ଟା ବେଳେ ଏହି ଘଟଣା ଘଟିଥିବା ବେଳେ ଘର ମାଲିକ ବେଣୁଧର ମହାରଣା ତାଙ୍କ ବାପାଙ୍କୁ ରାତି ପ୍ରାୟ ସାଢ଼େ ୧୨ଟା ବେଳେ ଜଣାଇଥିଲେ। ହୃଷୀକେଶ ଓ ବଡ଼କଇଁଚି ପଞ୍ଚାୟତର ସରପଞ୍ଚ ଅଶୋକ ମଲ୍ଲିକ ସେଠାରେ ପହଞ୍ଚି ରଶ୍ମିରେଖାଙ୍କ କୋଠରି ଖୋଲାଥିବା ଦେଖିଥିଲେ। ରଶ୍ମିରେଖାଙ୍କ ଗୋଡ଼ ତଳେ ଲାଗିଥିଲା ଓ ପାରିପାର୍ଶ୍ବିକ ସ୍ଥିତିରୁ ଝିଅ ଆତ୍ମହତ୍ୟା କରିଥିବାକୁ ନେଇ ତାଙ୍କ ବାପା ସନ୍ଦେହ ପ୍ରକାଶ କରିଥିଲେ। ପରେ ସେ ଛାତ୍ରୀ ନିବାସ ମାଲିକ ଓ ତାଙ୍କ ପତ୍ନୀ ଝିଅକୁ ମାରି ଦେଇଛନ୍ତି ବୋଲି ଓଲଟପୁର ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗ ଆଧାରରେ କେସ୍‌ ନମ୍ବର ୧୧୪/୨୨ରେ ଓଲଟପୁର ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଏସଂପର୍କରେ ଓଲଟପୁର ଥାନା ଅଧିକାରୀ ବିଜୟା ସାହୁଙ୍କୁ ପଚାରିବାରୁ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସାଇଣ୍ଟିଫକ୍ ଟିମ୍‌ ଏହାର ଅନୁସନ୍ଧାନ କରୁଛନ୍ତି। ଛାତ୍ରୀ ନିବାସର ମାଲିକଙ୍କୁ ପୁଲିସ ପଚରାଉଚରା କରୁଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁ ରହସ୍ୟ ଜଣାପଡ଼ିବ ବୋଲି ଥାନା ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର