ଜମନକିରା : ଜମନକିରା ପଞ୍ଚାୟତ ମହକୁମା ସାନଲଙ୍ଗାବାହାଲ ଗ୍ରାମର ସରୋଜ କାଲୋଙ୍କ ସ୍ତ୍ରୀ କୁମୁଦିନୀ କାଲୋ (୨୭)ଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି। ତେବେ ବାପଘର ଲୋକେ ହତ୍ୟା ଅଭିଯୋଗ କରିଛନ୍ତି।
ସୂଚନା ଅନୁସାରେ, ବୁଧବାର ରାତି ୮ଟାରେ କୁମୁଦିନୀ ମୃତଦେହ ଘରେ ଝୁଲୁଥିବା ସମ୍ପର୍କରେ ସ୍ବାମୀ ସରୋଜ ଘରଲୋକ, ପଡ଼ାବାସୀଙ୍କୁ କହିବା ସହ ଶ୍ବଶୁର ଘରକୁ ଫୋନ୍ ଯୋଗେ ଜଣାଇଥିଲେ। କୁସୁମୀରୁ କୁମୁଦିନୀଙ୍କ ପରିବାର ଲୋକେ ପହଞ୍ଚି ପାରିପାର୍ଶ୍ବିକ ସ୍ଥିତି ଦେଖି ଜମନକିରା ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି। ସରୋଜ ପୂର୍ବରୁ ଅନେକ ଥର ପାରିବାରିକ କଳହକୁ ନେଇ କୁମୁଦିନିଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲା। ଏଥର ଯୋଜନା କରି ମାରି ଦେଇଥିବା ମୃତକଙ୍କ ବଡ଼ଭଉଣୀ ଓ ଭିଣୋଇ ଅଭିଯୋଗ କରିଛନ୍ତି। ଜମନକିରା ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଶବକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାକୁ ଶବ ବ୍ୟବଛେଦ ପାଇଁ ପଠାଯାଇଛି। ପୁଲିସ ଏସ୍ଆଇ ଦେବଯାନୀ ଛତର ଘଟଣାର ତଦନ୍ତ କରୁଛନ୍ତି।