ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ

ଶବ ଜବତ, ସ୍ବାମୀ, ଶାଶୁ, ଶ୍ୱଶୁର, ଦିଅର ଫେରାର୍‌

ଡୁଡୁକା : ବଲାଙ୍ଗୀର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକ୍‌ ଭରସୁଜା ପଞ୍ଚାୟତ ସଂସା ଗ୍ରାମରେ ଦଶମୀ ସାହୁ (୨୮ବର୍ଷ)ଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ଏନେଇ ଦଶମୀଙ୍କ ପିତା ବିଜେପୁର ବ୍ଲକ୍‌ କଣ୍ଟାପାଲି ଗାଁର ଜଟାଧାରୀ ସାହୁ ତାଙ୍କ ଝିଅକୁ ଯୌତୁକ ପାଇଁ ଶାଶୁଘର ଲୋକେ ହତ୍ୟା କରିଛନ୍ତି ବୋଲି ଲୋଇସିଂହା ଥାନାରେ ଅଭିଯୋଗ କରିଛନ୍ତି। ଥାନା ଅଧିକାରୀ ଲଳିତା ଲାକ୍ରା, ଆଗଲପୁର ତହସିଲଦାର ସନ୍ତୋଷ ଦାଶ, ଆଗଲପୁର ଫାଣ୍ଡି ଅଧିକାରୀ ଦେବାର୍ଚ୍ଚନ ମିର୍ଦ୍ଧା ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି। ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ପହଞ୍ଚି ତଦନ୍ତ କରିଛି। ଦଶମୀଙ୍କ ସ୍ୱାମୀ, ଶାଶୁ, ଶ୍ୱଶୁର, ଦିଅର ଫେରାର ଥିବା ଜଣାପଡ଼ିଛି। ପୁଲିସ ଥାନା କେସ୍‌ ନଂ ୭୯/୨୧ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି।

ପୁଲିସରେ ହୋଇଥିବା ଅଭିଯୋଗ ଅନୁସାରେ, ସଂସା ଗାଁର ଅମୂଲ୍ୟ ସାହୁଙ୍କ ପୁଅ ସୁଦାମ ସାହୁ (୩୫ବର୍ଷ) ବିଜେପୁର ବ୍ଲକ୍‌ କଣ୍ଟାପାଲି ଗାଁର ଦଶମୀଙ୍କୁ ୯ବର୍ଷ ତଳେ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ସମୟରେ ବରପକ୍ଷଙ୍କ ଦାବି ଅନୁସାରେ ଯୌତୁକ ଦିଆଯାଇଥିଲା। ତଥାପି ଶାଶୂଘର ଲୋକେ ଆହୁରି ୫୦ ହଜାର ଟଙ୍କା ଯୌତୁକ ଦାବି କରି ଦଶମୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ସେହିପରି ଦଶମୀଙ୍କ ସହ ଅନ୍ୟ ପୁରୁଷ ସହ ସମ୍ପର୍କ ଥିବା କହି ସ୍ୱାମୀ ଅନେକ ସମୟରେ ମାରପିଟ କରୁଥିଲେ। ଫଳରେ ଦଶମୀ ବାପଘରକୁ ଚାଲି ଯାଇଥିଲେ। ପରେ ଭଦ୍ରଲୋକଙ୍କ ବୁଝାମଣାରେ ପୁଣି ଫେରିଥିଲେ। ତଥାପି ନିର୍ଯାତନା କମି ନଥିଲା। ଶୁକ୍ରବାର ବିଳମ୍ବିତ ରାତିରେ ଦଶମୀଙ୍କ ମୃତ୍ୟୁ ଖବର ପାଇ ବାପ ଘର ଲୋକେ ସଂସା ପହଞ୍ଚିଥିଲେ। ଦଶମୀଙ୍କ ଶବ ଖଟ ଉପରେ ମରି ପଡ଼ିଥିବା ଦେଖିଥିଲେ। ଲୋଇସିଂହା ଥାନାରେ ଅଭିଯୋଗ କରିଛନ୍ତି। ଉଭୟଙ୍କ ଗୋଟିଏ ଝିଅ ଓ ଗୋଟିଏ ପୁଅ ବି ଅଛନ୍ତି।

ସମ୍ବନ୍ଧିତ ଖବର