ଛେଣ୍ଡିପଦା : ନିଶା ଶିଳ୍ପାଞ୍ଚଳ ଥାନା ଧୋବାମଳିହାସ୍ଥିତ ମୈତ୍ରୀ କମ୍ପାନି ସିମେଣ୍ଟ ଗୋଦାମ ନିକଟରୁ ଆଜି ଜଣେ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ତାଙ୍କ ମୃତ୍ୟୁର କାରଣ ଜଣାପଡ଼ିନଥିଲେ ମଧ୍ୟ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।
ସୂଚନା ଅନୁସାରେ, ନାଲ୍କୋର ଠିକାସଂସ୍ଥା ମୈତ୍ରୀ କମ୍ପାନି ପକ୍ଷରୁ ଧୋବାମଳିହା ଗାଁ ପୁରୁଣା ସ୍କୁଲ୍ ଘରେ ସିମେଣ୍ଟ ଗୋଦାମ କରାଯାଇଛି। ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାବେଳେ ଗୋଦାମରେ ଏକାସାଙ୍ଗରେ ୪ ଜଣ ଶ୍ରମିକ ଗାଡ଼ିରୁ ସିମେଣ୍ଟ ଖାଲି କରିଥିଲେ। ଖାଲି କରିବାର କିଛି ସମୟ ପରେ ତାଙ୍କ ମଧ୍ୟରୁ ଜଣେ ଶ୍ରମିକ ରାଇଝରଣ ଗ୍ରାମର ଅଭିରାମ ପ୍ରଧାନ(୪୫)ଙ୍କ ମୃତଦେହ ଗୋଦାମ ସମ୍ମୁଖରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ମୃତଦେହ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି। ନିଶା ଶିଳ୍ପାଞ୍ଚଳ ପୁଲିସ ଘଟଣାସ୍ଥଳରର ପହଞ୍ଚି ମୃତଦେହ ଜବତ କରିବା ସହ ଏ ସଂପର୍କରେ ତଦନ୍ତ ଚଳାଇଛି।