ମାଣିଆବନ୍ଧ: ବଡ଼ମ୍ବା ବ୍ଲକ୍ ତଥା ମାଣିଆବନ୍ଧ ଥାନା ଅଧୀନ ମାଣିଆବନ୍ଧ ଗ୍ରାମର ବାଉଁଶ ପୋଖରୀରୁ ଆଜି ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ହେଉଛନ୍ତି, ବିଜୟ କୁମାର ଦତ୍ତ (୪୮)। ବିଜୟଙ୍କ ଶରୀରରେ କ୍ଷତ ଚିହ୍ନ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ମୃତକଙ୍କ ପ୍ରଥମ ପତ୍ନୀ ବାହାନଗା ରେଳ ଦୁର୍ଘଟଣା ପରେ ତାଙ୍କ ସ୍ବାମୀ ମୃତ ବୋଲି ଦର୍ଶାଇ ସହାୟତା ରାଶି ହଡ଼ପ କରିବାକୁ ମସୁଧା କରିବା ବେଳେ ଧରା ପଡ଼ି ଯାଇଥିଲେ।
ପୁଲିସ ସୂତ୍ରରୁ ପ୍ରକାଶ ଯେ ଆଜି ସକାଳ ପ୍ରାୟ ୫ଟାରେ ମାଣିଆବନ୍ଧ ଗ୍ରାମର ବାଉଁଶ ପୋଖରୀରେ ଏକ ଶବ ଭାସୁଥିବା ଦେଖାଯାଇଥିଲା। ମୃତକ ବିଜୟ କୁମାର ଦତ୍ତ ବୋଲି ତାଙ୍କ ପୁଅ ବିକାଶ ଚିହ୍ନଟ କରିଥିଲେ। ଖବର ପାଇ ଆଠଗଡ଼ ଏସ୍ଡିପିଓ ରବୀନ୍ଦ୍ର ମଲ୍ଲିକ ଓ ମାଣିଆବନ୍ଧ ଥାନା ଅଧିକାରୀ ବସନ୍ତ ଶତପଥୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବଡ଼ମ୍ବା ପଠାଇଥିଲେ। ବିଜୟ ପୋଖରୀରେ ବୁଡ଼ି ପ୍ରାଣ ହରାଇଥିବା ନେଇ ପୁଅ ବିକାଶ ମାଣିଆବନ୍ଧ ଥାନାରେ ଅଭିଯୋଗ କରିବା ପରେ ଏକ ଅପମୃତ୍ୟୁ ମାମଲା (କେସ୍ ନଂ-୨୪/୨୩) ରୁଜୁ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ଶତପଥୀ ସୂଚନା ଦେଇଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ଯେ ବାଲେଶ୍ୱର ବାହାନାଗା ରେଳ ଦୁର୍ଘଟଣା ପରେ ବିଜୟଙ୍କ ପ୍ରଥମ ପତ୍ନୀ ଗୀତାଞ୍ଜଳି ଏକ ମରଶରୀରକୁ ନିଜ ସ୍ୱାମୀଙ୍କର ବୋଲି କହି ସରକାରୀ ସହାୟତା ହଡ଼ପ କରିବାକୁ ମସୁଧା କରିଥିଲେ। ତେବେ ପ୍ରାଥମିକ ତଦନ୍ତରୁ ବିଜୟ ଜୀବିତ ବୋଲି ଜଣାପଡ଼ିଥିଲା। ଏହାପରେ ଗୀତାଞ୍ଜଳି ଚମ୍ପଟ ହୋଇଯାଇଥିଲେ। ସେହିପରି ବିଜୟଙ୍କର ପ୍ରଥମ ପତ୍ନୀଙ୍କ ସହ କୌଣସି ସମ୍ପର୍କ ନ ଥିଲା ବେଳେ ସେ ଅନ୍ୟଜଣଙ୍କୁ ବିବାହ କରିଥିଲେ। ତେବେ ଦ୍ବିତୀୟ ପତ୍ନୀ ସ୍ୱାମୀଙ୍କୁ ଛାଡ଼ି ଅନ୍ୟଜଣଙ୍କ ସହ ରହୁଥିବା ଜଣାପଡ଼ିଛି। ଏଭଳି ପାରିବାରିକ ସମସ୍ୟା ଲାଗି ରହିଥିଲା ବେଳେ ଦୁଇ ଦିନ ତଳେ ବିଜୟ ନିଖୋଜ ହୋଇଯାଇଥିଲେ। ଆଜି ପୋଖରୀରୁ ତାଙ୍କର ମୃତଦେହ ଉଦ୍ଧାର କରାଯିବା ଘଟଣା ସନ୍ଦେହର କାରଣ ହୋଇଛି।