ପୁଣି ଉଦ୍ଧାର ହେଲା ସନ୍ଦିଗ୍ଧ ପାରା, ଗୋଡ଼ରେ ଲାଗିଛି ଗୁପ୍ତ କୋଡ଼

ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ନାନପୁର ମୌଜାର ପତିସାହିରୁ ଏକ ସନ୍ଦିଗ୍ଧ ପାରା ଉଦ୍ଧାର ହେବା ପରେ ଚର୍ଚ୍ଚା ଜୋର ଧରିଛି। ଉକ୍ତ ପlରାର ଦୁଇ ଗୋଡରେ ଦୁଇଟି ନଳି ଲାଗି ଥିବା ବେଳେ ଡେଣାରେ ଅଜଣା ଭାଷାରେ କିଛି ଲେଖା ହେବା ଦେଖିବାକୁ ମିଳିଛି। ଗୋଡରେ ଲାଗିଥିବା ଚିପ୍ ଏବେ ସନ୍ଦେହ ବଢାଉଛି। ଏହାକୁ ଗୁପ୍ତ କ୍ୟାମେରା କିମ୍ବା  ମେମୋରୀ ଚିପ୍  ବୋଲି  ଅନୁମାନ କରାଯାଉଛି। ଘଟଣାକୁ ନେଇ ସନ୍ଦେହ ବଢୁଥିଲା ବେଳେ  ତଦନ୍ତ ପରେ ଏହାର ପ୍ରକୃତ ସତ୍ୟାସତ୍ୟ ଜଣାପଡିବ।

ସେ ଯାହା ହେଉନା କାହିଁକି  ପାରା ଗୋଡ଼ରେ ପିତଳର ନଳୀ ଲାଗିବା ଓ ଡେଣାରେ କିଛି ଅଜଣା ଭାଷା ଲେଖା ହେବା ସନ୍ଦେହ ସୃଷ୍ଟି କରିବା ସ୍ୱାଭାବିକ। ସୂଚନାମୁତାବକ ନାନପୁର ମୌଜାର ରୂପନ ପତିଙ୍କ ଘରେ ପୋଷା ପାରା ରହିଛନ୍ତି। ଏମାନଙ୍କ ସହ ପ୍ରାୟ ମାସେ ହେବ ଏକ ଦେଶୀ ଜାତୀୟ ତଥା ଦେଉଳିଆ ପାରା ଭଳି ଜଣାପଡୁଥିବା ଏକ ଅଜଣା ପାରା ଆସି ବିଚରଣ କରୁଥିଲା। ତା’ର ଦୁଇ ଗୋଡରେ  ନଳୀ ଲାଗିବା ହଠାତ୍ ନଜର ପଡିବାରେ ତାକୁ ପରିବାର ଲୋକେ ଜାଲ ବିଛାଇ ଆଜି ଅପରାହ୍ନରେ ଧରିଥିଲେ। ଧରିବା ପରେ ତା ଡେଣାରେ କିଛି ଲେଖା ହେବା ତା ପୁଣି ପଢିନହେବାରୁ ଆହୁରି ସନ୍ଦେହ ବଢୁଛି। ଏହି ଘଟଣାଟି ଚାରିଆଡେ ପ୍ରଘଟ ହେବାରୁ ଉକ୍ତ ପାରାକୁ ଦେଖିବାକୁ ସ୍ଥାନୀୟ ଅଞ୍ଚଳରେ ଭିଡ ଜମିଛି।  ଘଟଣା ସମ୍ପର୍କରେ ପୁଲସ୍ ଖବର ପାଇବା ପରେ ଗୁରୁବାର ସତ୍ୟାସତ୍ୟ ଅନୁସନ୍ଧାନ ଆରମ୍ଭ ହେବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର