ପୁରୀରେ ବି ସନ୍ଦିଗ୍ଧ ପାରା

ଗୋଡ଼ରେ ଲାଗିଛି ଚାଇନିଜ୍‌ ଭାଷାର ମ୍ୟାସେଜ୍‌ କ୍ୟାପସୁଲ୍‌, ଦିନକ ପରେ ଆଖି ବୁଜିଲା, ବନ ବିଭାଗ କରିବ ଶବ ବ୍ୟବଚ୍ଛେଦ

ପୁରୀ: ରାଉରକେଲା ଓ କେନ୍ଦ୍ରାପଡ଼ା ପରେ ଏବେ ପୁରୀରୁ ମିଳିଛି ସନ୍ଦିଗ୍ଧ ପାରା। ମାଳତୀପାଟପୁର ନିକଟ ରାହାଙ୍ଗିରିଆଠାରୁ ଏହାକୁ ଉଦ୍ଧାର କରାଯାଇଛି।

ସାମାନ୍ୟ ଧଳା ରଙ୍ଗର ଏହି ପାରାର ଡାହାଣ ଗୋଡ଼ରେ ଲାଗିଛି ମ୍ୟାସେଜ୍‌ କ୍ୟାପସୁଲ୍‌। ଯେଉଁଥିରେ କି ଅତୀତରେ ଚିଠି ନେବା ଆଣିବା କରାଯାଉଥିଲା। ଆଉ ବାମ ଗୋଡ଼ରେ ରହିଛି ହଳଦିଆ ରଙ୍ଗ ପ୍ଲାଷ୍ଟିକ ବଳା। ଯାହା ସନ୍ଦେହକୁ ଦ୍ବିଗୁଣିତ କରୁଛି। ବନ ବିଭାଗ ଏହି ପାରାକୁ ଉଦ୍ଧାର କରିବା ବେଳେ ଏହା ଆଖି ବୁଜି ଦେଇଛି। କିନ୍ତୁ ମୃତ୍ୟୁ ପୂର୍ବରୁ ପାରା ମୁହଁରୁ କିଛି ଧଳା ରଙ୍ଗର କେମିକାଲ୍‌ ବାହାରୁଥିବା ଦେଖିବାକୁ ମିଳିଥିଲା ବୋଲି ଏହାକୁ ଠାବ କରିଥିବା ଯୁବକ ଆଲୋକ ପଲେଇ କହିଛନ୍ତି। ସେ କହିଛନ୍ତି ଯେ ଯେଉଁଥିରେ ଚାଇନିଜ୍‌ ଭାଷା ସହ ୦୦୩୫ ସଂଖ୍ୟା ବି ଉଲ୍ଲେଖ ରହିଥିଲା।

ବନ ବିଭାଗ ଏହି ପାରାକୁ ଶବ ସଂରକ୍ଷଣ ଗୃହରେ ରଖିଛି। ଆସନ୍ତାକାଲି ପଶୁ ସଂପଦ କାର୍ଯ୍ୟାଳୟରେ ଏହାର ଶବ ବ୍ୟବଚ୍ଛେଦ ହେବ। ଭବିଷ୍ୟତ ଯାଞ୍ଚ ପାଇଁ ଏହି ଶବକୁ ସଂରକ୍ଷିତ କରି ରଖାଯିବ ବୋଲି ବାଲୁଖଣ୍ଡ ରେଞ୍ଜର ସୁବ୍ରତ ବେହେରା କହିଛନ୍ତି। ଏହି ଘଟଣା ଆଜି ଦିନତମାମ ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର