ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ସ୍ବାମୀ ଓ ଶ୍ବଶୁର ଗିରଫ, ୩୦ ଘଣ୍ଟା ପରେ ଶବସତ୍କାର

ଭୋଗରାଇ: ଭୋଗରାଇ ଥାନା ଟୁକୁରୀହାଜରା ପଞ୍ଚାୟତ ଫୁଲବଣି ଖାସ ଗାଁର ସପନ ଜେନାଙ୍କ ପତ୍ନୀ ସାବିତ୍ରୀଙ୍କୁ ଯୌତୁକ ନିର୍ଯାତନା ଦେବା ସହିତ ହତ୍ୟା କରାଯାଇଥିବା ଅଭିଯୋଗରେ ସ୍ବାମୀ ସପନ (୩୯) ଓ ଶ୍ବଶୁର ଅନନ୍ତ ଜେନା (୭୦)ଙ୍କୁ ଆଜି ଭୋଗରାଇ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଘଟଣାରେ ଜଡ଼ିତ ଅନ୍ୟତମ ଅଭିଯୁକ୍ତ ନଣନ୍ଦ ରୁନୁବାଳା ଜେନା ଫେରାର ଥିବା ବେଳେ ୩୦ ଘଣ୍ଟା ପରେ ମୃତା ସାବିତ୍ରୀଙ୍କ ଶବ ବାପଘର ଲୋକେ ନେଇ ତାଳସାରୀ ସମୁଦ୍ର କୂଳରେ ସତ୍କାର କରିଛନ୍ତି।

ସୂଚନା ଯୋଗ୍ୟ, ସପନ ୬ ବର୍ଷ ପୂର୍ବେ ବସ୍ତା ଥାନା ଖଡ଼ିକାପଦା ଗାଁର ଅନନ୍ତ ରଣାଙ୍କ ସାନଝିଅ ସାବିତ୍ରୀଙ୍କୁ ବିବାହ କରିଥିଲେ। ତାଙ୍କର ୫ ବର୍ଷର ଗୋଟିଏ ଝିଅ ଓ ବର୍ଷକର ପୁଅଟିଏ ରହିଛି। ବୁଧବାର ସକାଳେ ଶ୍ବଶୁର ଘରେ ସାବିତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହେବା ପରେ ପ୍ରଥମେ ଗାଁ ଲୋକେ ବୋହୂଙ୍କୁ ଶାଶୂଘର ଲୋକେ ମାରି ଦେଇଥିବା ସନ୍ଦେହ କରି ଶବ ପୋଡ଼ିବାକୁ ଦେଇନଥିଲେ। ଖବର ପାଇ ସାବିତ୍ରୀଙ୍କ ଭାଇ ଖୋକେନ ରଣା ସେଠାରେ ପହଞ୍ଚି ଭୋଗରାଇ ଥାନାରେ ସାବିତ୍ରୀଙ୍କୁ ତାଙ୍କ ସ୍ବାମୀ, ଶ୍ବଶୁର ଓ ନଣନ୍ଦ ଯୌତୁକ ନିର୍ଯାତନା ଦେଇ ଆସୁଥିବା ବେଳେ ଏବେ ହତ୍ୟା କରିଥିବା ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଭୋଗରାଇ ପୁଲିସ ସାବିତ୍ରୀଙ୍କ ଶବକୁ ଜବତ କରିବା ସହିତ ସ୍ବାମୀ ସପନ ଓ ଶ୍ବଶୁର ଅନନ୍ତଙ୍କୁ ଅଟକ ରଖିଥିଲା। ଆଜି ସକାଳେ ପୁଲିସ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ବେଳେ ୭୫/୨୨ରେ ଏକ ଯୌତୁକଜନିତ ହତ୍ୟା ମାମଲା ରୁଜୁ କରି ସ୍ବାମୀ ସପନ ଓ ଶ୍ବଶୁର ଅନନ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର