ସ୍ମାର୍ଟସିଟିରେ ବସ୍ତିବାସୀଙ୍କୁ ପକ୍କା ଘର, ପ୍ରଥମ ପର୍ଯ୍ୟାୟରେ ୪ ବସ୍ତିର ବାସିନ୍ଦାଙ୍କୁ ମିଳିବ ୫୦୦ ଗୃହ

ରାଉରକେଲା: ସ୍ମାର୍ଟ ସିଟିରୁ ହଟିବ ବସ୍ତି। ଆବାସ ଯୋଜନା‌ରେ ମିଳିବ ପକ୍କା ଘର। ଗତ ୨୦୧୬ରୁ ଏମିତି ସ୍ବପ୍ନ ଦେଖାଇ ଆସୁଥିବା ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ପ୍ରଥମ ପର୍ଯ୍ୟାୟରେ ନିର୍ମାଣ କରୁଛି ୫୦୦ ଗୃହ। ଦ୍ବିତୀୟ ପର୍ଯ୍ୟାୟରେ ଆହୁରି ୧୦ ଏକର ଜମିରେ ପାଖାପାଖି ୧୫୦୦ ଗୃହ ନିର୍ମାଣ ହେବାକୁ ଯାଉଛି। ପିପିପି ମୋଡରେ ଏସବୁ ବିଲ୍‌ଡିଂ ନିର୍ମାଣ ହେବ। ଛେଣ୍ଡ କଲୋନି ବିପିୟୁଟି ପଛପାର୍ଶ୍ବରେ ୫.୫ ଏକର ଜାଗାରେ ୫୦୦ ଗୃହର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଏହି ସ୍ଥାନରେ ସିଭିଲଟାଉନସିପ୍‌ର ମନ୍‌ଟୋଲା ବସ୍ତି (ଏ), ମନ୍‌ଟୋଲା ବସ୍ତି (ବି), ପାନପୋଷ ବ୍ରାହ୍ମଣୀ କ୍ଲବ ନିକଟ ବାଙ୍ଗଲାଟୋଲା, ପାନପୋଷ ବସ୍ତିବାସୀଙ୍କୁ ନିର୍ମାଣ ହେଉଥିବା ଗୃହ ଯୋଗାଇ ଦିଆଯିବ। ବିଡମ୍ବନା, ବିଳମ୍ଭରେ ଆରମ୍ଭ ହୋଇଥିବା ନିର୍ମାଣ କାମ କେବେ ସରିବ, କାହାରି ପାଖରେ ଉତ୍ତର ନାହିଁ।

ଘରୋଇ କନଷ୍ଟ୍ରକ୍ସନ କମ୍ପାନି କାମ ନେଇଥିବା ଆର୍‌ଏମ୍‌ସି ପକ୍ଷରୁ କୁହାଯାଇଛି। ପର୍ଯ୍ୟାୟକ୍ରମେ ସହରର ପ୍ରାୟ ସମସ୍ତ ବସ୍ତିକୁ ଉଚ୍ଛେଦ କରାଯିବ। ସେମାନଙ୍କୁ ଆବାସ ଯୋଜନାରେ ସ୍ବଳ୍ପ ମୂଲ୍ୟରେ ଘର ଯୋଗାଇ ଦିଆଯିବ। ଏମିତି ଭାବେ ମୋଟ ୨୪ ହଜାର ଗୃହ ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେପଟେ ବସ୍ତିବାସିନ୍ଦାଙ୍କ ବିରୋଧରେ ଯୋଗୁଁ ଅନେକ ସ୍ଥାନରେ ହେବାକୁ ଥିବା ପ୍ରକଳ୍ପ କାମ ବାତିଲ ହୋଇଛି। ଏଥି ମଧ୍ୟରେ ରହିଛି ରେଲୱ କଲୋନି ନିକଟ ମଧୂସୁଦନପାଲୀ, ଗୋପବନ୍ଧୁପାଲୀ। ହଜାର ହଜାର ବସ୍ତି ରହିଥିବା ଏହି ସ୍ଥାନରେ ପ୍ରାୟ ୬୦ ଏକର ସରକାରୀ ଜାଗା ରହିଛି। ଗତ ୨୦୧୭ରେ ୩୬ ଏକର ଜାଗାରେ ଆବାସ ଯୋଜନାରେ ବିଲ୍‌ଡିଂ ନିର୍ମାଣ ହେବାକୁ ସମସ୍ତ ପ୍ରକ୍ରିୟା ଶେଷ ହୋଇଥିଲା। ବଲ୍‌ଡିଂ ନିର୍ମାଣ ସ୍ଥାନକୁ ମାଟି ପକାଇ ସମତୁଲ କରାଯାଇଥିଲା। ମାତ୍ର ବସ୍ତିବାସିନ୍ଦାଙ୍କ କଡା ବିରୋଧ ଯୋଗୁଁ ‌ବିଲ୍‌ଡିଂ ନିର୍ମାଣ କାର୍ଯ୍ୟକୁ ଶେଷ ମୂହୂର୍ତ୍ତରେ ବାତିଲ କରାଯାଇଥିଲା। ଏବେ ଦ୍ବିତୀୟ ପର୍ଯ୍ୟାୟରେ ଧାମରା ସଂଘ ବସ୍ତିରେ ପ୍ରାୟ ୧୦ ଏକର ଜାଗାରେ ନିର୍ମାଣ ହେବାକୁ ଯାଉଥିବା ୧୫୦୦ ଗୃହ ହୋଇ ପାରିବ କି ନାହିଁ ସନ୍ଦେହ। ଏଥିସହ ରେଲୱେ ଲାଇନ ପାର୍ଶ୍ବରେ ଥିବା ବସ୍ତିଗୁଡ଼ିକୁ ମଧ୍ୟ ଉଚ୍ଛେଦ କରାଯାଇ ଏସବୁ ସ୍ଥାନରେ ପକ୍କା ଯୋଗାଇ ଦେବାକୁ ଆର୍‌ଏମ୍‌ସି ଲକ୍ଷ୍ୟ ରଖିଛି। ୨୦୧୬ରୁ ଆଜି ପର୍ଯ୍ୟନ୍ତ ନିଜସ୍ବ ଜାଗା ଥିବା ୮୯୭ ବସ୍ତିବାସୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦିଆଯାଇଛି। ୨୦୧୬ରେ ୨୮୦, ଗତ ୨୦୧୮ରେ ୨୭୭ ଓ ୬୫, ୨୦୧୯ରେ ୫୩ ଓ ୩୫୧ ଗରିବ ପରିବାରଙ୍କୁ ଗୃହ କରିବାକୁ ଅର୍ଥ ପ୍ରଦାନ କରାଯାଇଛି। ୨୦୧୯ରେ ମିଳିଥିବା ୩୫୧ରୁ ବିଭିନ୍ନ କାରଣ ପାଇଁ ୧୨୯ ଘର ବାତିଲ କରି ଦିଆଯାଇଛି।

ଲକ୍ଷ୍ୟ ୨୪,୦୦୦ ଗୃହ : ୨୦୧୬ ସର୍ଭେ ଅନୁଯାୟୀ ସହରରେ ପ୍ରାୟ ୨୪ ହଜାର ବସ୍ତିବାସିନ୍ଦାଙ୍କୁ ଆବାସ ଯୋଜନାରେ ଘର ଦେବାକୁ ଆର୍‌ଏମ୍‌ସି ଲକ୍ଷ୍ୟ ରଖିଛି। ଧାମରା ସଂଘ ନିକଟରେ ଆହୁରି ୧୦ ଏକର ଜାଗାରେ ୧୫ ଶହ ଗୃହ ନିର୍ମାଣ ହେବ। ଏଥିସହ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ତରକେରା ନିକଟରେ ୭୦ ଏକର ଜାଗା ଯୋଗାଇ ଦେବ। ଏ ସଂକ୍ରାନ୍ତରେ ଆର୍‌ଏସ୍‌ପି ଆର୍‌ଏମ୍‌ସିକୁ ଗ୍ରୀନ୍‌ ସିଗ୍‌ନାଲ ଦେଇ ସାରିଛି। ଏହି ସ୍ଥାନରେ ପାଖାପାଖି ୧୦ରୁ ୧୫ ହଜାର ବସ୍ତିବାସିନ୍ଦାଙ୍କୁ ଗୃହ ଯୋଗାଇ ଦିଆଯିବ। ଏଠାରେ ବିଶେ‌ଷ କରି ଆର୍‌ଏସ୍‌ପି ଅଧୀନରେ ବସ୍ତିବାସିନ୍ଦାଙ୍କୁ ପ୍ରାଥମିକତା ଦିଆଯିବ। କେଉଁ କେଉଁ ବସ୍ତିକୁ ଉଚ୍ଛେଦ କରାଯିବ ଆର୍‌ଏସ୍‌ପି ପକ୍ଷରୁ ନିଷ୍ପତ୍ତି ନିଆଯାଇ ନାହିଁ। ଗୃହ ନିର୍ମାଣ ହେବା ପରେ ବସ୍ତିଗୁଡିକୁ ପର୍ଯ୍ୟା୍ୟକ୍ରମେ ଉଚ୍ଛେଦ କରାଯିବାକୁ ଆପାତତଃ ସ୍ଥିର ହୋଇଚି। ଏଥିସହ ଆର୍‌ଏମ୍‌ସିର ମଧ୍ୟ କିଛି ବସ୍ତିବାସିନ୍ଦାଙ୍କୁ ଥଇଥାନ କରାଯିବାର ଯୋଜନା ରହିଛି। ରାଜ୍ୟ ସରକାରଙ୍କ ଅନୁମତି ମିଳିବା ମାତ୍ରେ ଏସବୁ କାର୍ଯ୍ୟ ଆରମ୍ଭ ହୋଇଯିବ ବୋଲି ଆର୍‌ଏମ୍‌ସି ପକ୍ଷରୁ କୁହାଯାଇଛି। ଏଠାରେ ମଧୁସୂଦନପାଲୀ ପରି ସମସ୍ୟା ସୃଷ୍ଟି ହେବ କି ନାହିଁ, ତାହା ବି ଅସ୍ପଷ୍ଟ।

କେଉଁମାନେ ପାଇବେ ଘର : ଚିହ୍ନଟ ବସ୍ତିବାସିନ୍ଦାଙ୍କ ପାଇଁ କିଛି ସର୍ତ୍ତ ରହିଛି। ଘର ଦଖଲ ନେବା ପୂର୍ବରୁ ଥ୍ରାର୍ଡ ପାର୍ଟି ସହ ଚୁକ୍ତିନାମା ସ୍ବାକ୍ଷରିତ ହେବ। ୪୫୦ ବର୍ଗଫୁଟ୍‌ ଘର ପାଇଁ ବସ୍ତିର ଜଣେ ପରିବାରକୁ ୧ଲକ୍ଷ ୫୦ ହଜାର ଟଙ୍କା ଜମା କରିବାକୁ ପଡିବ। ୧ ଲକ୍ଷ ୫୦ ହଜାର ଟଙ୍କା କେନ୍ଦ୍ର ସରକାର, ଅବଶିଷ୍ଟ ୧ ଲକ୍ଷ ୫୦ ହଜାର ଟଙ୍କା ନିର୍ମାଣକାରୀ ଘରୋଇ କନଷ୍ଟ୍ରକ୍ସନ ସଂସ୍ଥା ବହନ କରିବ। ପ୍ରତି ଘର ବାବଦରେ ଘରୋଇ କନଷ୍ଟ୍ରକ୍ସନ ସଂସ୍ଥା ୧ ଲକ୍ଷ ୫୦ ହଜାର ଟଙ୍କା ଯୋଗାଇ ଦେଉଥିବାରୁ ସରକାରୀ ନିୟାମନୁଯାୟୀ ତାଙ୍କୁ ନିର୍ମାଣଧୀନ ସ୍ଥାନରେ ୪୦% ଜାଗା ବିନା ମୂଲ୍ୟରେ ଛାଡି ଦିଆଯିବ। ଯେଉଁ ସ୍ଥାନରେ ସମ୍ପୃକ୍ତ ସଂସ୍ଥା ଆପାର୍ଟମେଣ୍ଟ କରିବ ବୋଲି ଆରଏମସି ପକ୍ଷରୁ କୁହା ଯାଇଛି l

ସମ୍ବନ୍ଧିତ ଖବର