ବାଲେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଉପସ୍ଥିତିରେ ଆଜି ବାଲେଶ୍ୱରସ୍ଥିତ ଡିଆରଡିଓ ସମ୍ମିଳନୀ କକ୍ଷଠାରେ ବାତ୍ୟା ‘ଦାନା’ ଏବଂ ତତ୍ଜନିତ ବନ୍ୟା କ୍ଷୟକ୍ଷତିର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପୂର୍ବରୁ ମୁଖ୍ୟମନ୍ତ୍ରୀ ଓ ରାଜସ୍ବ ମନ୍ତ୍ରୀ ଆକାଶମାର୍ଗରୁ ସଦର, ସିମୁଳିଆ, ସୋର ଓ ଖଇରା ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳ ଅନୁଧ୍ୟାନ କରିଥିଲେ।
ବୈଠକ ପ୍ରାରମ୍ଭରେ ବାଲେଶ୍ବର ଜିଲ୍ଲାର ସମସ୍ତ ବିଧାୟକ ନିଜ ନିଜ ନିର୍ବାଚନମଣ୍ଡଳୀରେ ବାତ୍ୟା ଓ ବନ୍ୟା ପୁନରୁଦ୍ଧାର କାର୍ଯ୍ୟ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବାତ୍ୟାର ସଫଳ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ଓ ରାଜନୈତିକ ନେତୃତ୍ୱକୁ ପ୍ରଶଂସା କରିଥିଲେ। ବାରମ୍ବାର ଘଟୁଥିବା ପ୍ରାକୃତିକ ବିପର୍ଯ୍ୟୟର ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ ସଂପର୍କରେ ପରାମର୍ଶ ଦେଇଥିଲେ। ଆଗାମୀ ଦିନରେ ଉପକୂଳବର୍ତ୍ତୀ ଅଞ୍ଚଳରେ ବାତ୍ୟା କ୍ଷୟକ୍ଷତିକୁ ରୋକିବା ପାଇଁ ବ୍ୟାପକ ହେନ୍ତାଳ ବୃକ୍ଷରୋପଣ ଉପରେ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀ ମାଝୀ କହିଥିଲେ। ଘର ଭଙ୍ଗା କ୍ଷୟକ୍ଷତି ରିପୋର୍ଟ ଯଥାଶୀଘ୍ର ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେବାସହିତ ଯେଉଁ ଅଞ୍ଚଳରେ ବିଜୁଳି ସଂଯୋଗ ହୋଇପାରିନାହିଁ, ସେଠାରେ ଶୀଘ୍ର ବିଜୁଳି ସଂଯୋଗ ସୁନିଶ୍ଚିତ କରିବା ପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
ଆକାଶ ମାର୍ଗରୁ ପ୍ରଭାବିତ ଅଞ୍ଚଳ ଦେଖିଲେ ମୁଖ୍ୟମନ୍ତ୍ରୀ
ଘରଭଙ୍ଗା କ୍ଷୟକ୍ଷତି ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ
ବିଦ୍ୟୁତ୍ ସଂଯୋଗ ସୁନିଶ୍ଚିତ କରିବାକୁ କହିଲେ
ହେନ୍ତାଳ ବଣରେ ବ୍ୟାପକ ହେବ ବୃକ୍ଷରୋପଣ
ବିପଦ ସମୟରେ ମହିଳାଙ୍କ ବିରୋଧରେ କୌଣସି ପ୍ରକାର ହିଂସା ପାଇଁ ‘ଶୂନ ସହନଶୀଳତା’ ନୀତି ଆପଣେଇବା ପାଇଁ ଶ୍ରୀ ପୂଜାରୀ ଉପସ୍ଥିତ ପ୍ରଶାସନିକ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବାତ୍ୟା ସମୟରେ ଜିଲ୍ଲା ପ୍ରଶାସନ ଓ ରାଜନୈତିକ ନେତା, ପିଆରଆଇ ସଦସ୍ୟଙ୍କ ମିଳିତ ଉଦ୍ୟମକୁ ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ପ୍ରଶଂସା କରିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସରକାରୀ ଦଳର ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ, ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା, ଜଳେଶ୍ବର ବିଧାୟକ ଅଶ୍ବିନୀ କୁମାର ପାତ୍ର, ବସ୍ତା ବିଧାୟକ ସୁବାସିନୀ ଜେନା, ସଦର ବିଧାୟକ ମାନସ କୁମାର ଦତ୍ତ, ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ, ସୋର ବିଧାୟକ ମାଧବ ଧଡ଼ା, ନୀଳଗିରି ବିଧାୟକ ସନ୍ତୋଷ କୁମାର ଖଟୁଆ, ବାଲେଶ୍ବର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ପୂର୍ବାଞ୍ଚଳ ରେଞ୍ଜ୍ ଡିଆଇଜି ଡ. ସତ୍ୟଜିତ ନାଏକ ଓ ବାଲେଶ୍ବର ଏସ୍ପି ରାଜପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/10/29/AlmkM8FLC1lbe89iFrj8.jpg)