ମନ୍ତ୍ରୀ ନବ ଦାସ ଗୁଳିକାଣ୍ଡ ଘଟଣାରେ କ୍ରାଇମ୍‌ବାଞ୍ଚ କହିଲା- ଯାଞ୍ଚ ହେବ ଟାଙ୍କିରୁ ମିଳିଥିବା ଟୁକୁଡ଼ା ହାତଲେଖା କାଗଜ

ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି। ରିମାଣ୍ଡ ଅବଧୀର ଦ୍ବିତୀୟ ଦିନରେ ଗୁରୁବାର କ୍ରାଇମବ୍ରାଞ୍ଚ୍ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ସୂଚନା ଦିଆଯାଇଛି। କ୍ରାଇମ୍‌ବ୍ରାଞ୍ଚ କହିଛି ଯେ, ଅଭିଯୁକ୍ତ ଗୋପାଳକୃଷ୍ଣ ଦାସର ବୟାନ ଅନୁସାରେ ପାଇଖାନା ଟାଙ୍କିରୁ ଟୁକୁଡ଼ା କାଗଜ ଜବତ କରାଯାଇଛି। ଏହାକୁ ଲ୍ୟାବ୍‌ରେ ଯାଞ୍ଚ କରାଯିବ। ତେବେ ‌ମିଳିଥିବା ଟୁକୁଡା କାଗଜ ଗୋପାଳର କି ନୁହେଁ, ସେନେଇ ହସ୍ତଲିପି ବିଶାରଦ ଟେଷ୍ଟ କରାଯିବ।

କ୍ରାଇମବ୍ରାଞ୍ଚ କରିଛି ଭିସେରା ମଧ୍ୟ ଯାଞ୍ଚ ପାଇଁ ଷ୍ଟେଟ୍ ଫରେନ୍‌ସିକ୍‌ ଲ୍ୟାବ୍‌କୁ ପଠାଯାଇଛି। ଅଭିଯୁକ୍ତ ଗୋପାଳ ଦାସର ଆର୍ଥିକ ଦେଣନେଣର ବି ଯାଞ୍ଚ ଜାରି ରହିଛି। ଗୋପାଳ ଦାସର ଜଣେ ନିକଟତମ ଲୋକଙ୍କୁ ମଧ୍ୟ ପଚରାଉଚରା ଚାଲିଛି। ନବ ଦାସ ଭାଇଙ୍କୁ ପଚରାଉଚରା କରାଯାଇଛି।

ଯେଉଁ ଖବରର ରହସ୍ୟ କ’ଣ ଜାଣିବା ପାଇଁ ସାରା ରାଜ୍ୟବାସୀ ଅପେକ୍ଷା କରିଛନ୍ତି, ସେହି ଘଟଣା ଉପରୁ କିନ୍ତୁ ଚାରି ଦିନ ପରେ ବି ପରଦା ହଟାଇପାରିନି କ୍ରାଇମବ୍ରାଞ୍ଚ। ଏହା ଭିତରେ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ମାମଲାକୁ ନେଇ ନାଟକୀୟ ଭାବେ ସାମନାକୁ ଆସିଛି କେତେକ ରୋଚକ ତଥ୍ୟ । ଝାରସୁଗୁଡା ବିମାନବନ୍ଦର ଥାନା ପାଇଖାନା ଟାଙ୍କିରୁ ଜବତ ହୋଇଛି କେତେକ କାଗଜ ଟୁକୁଡା। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗୁଳିକାଣ୍ଡ ପରେ ପୁଲିସ୍ ହେପାଜତରେ ଥିବାବେଳେ ଏହି କାଗଜକୁ ପାଇଖାନାରେ ଫ୍ଲସ କରି ଦେଇଥିଲା ଏଏସ୍‌ଆଇ ଗୋପାଳ।

ସୂଚନାଯୋଗ୍ୟ, ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଗତମାସ ୨୯ ତାରିଖ ଦିନ ପ୍ରାୟ ସାଢ଼େ ୧୨ଟାରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଠାରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଇଥିଲେ। ସେ ସେହି କାର୍ଯ୍ୟକ୍ରମସ୍ଥଳରେ ପହଞ୍ଚି ମଂଚାସୀନ ହେବା ପୂର୍ବରୁ ତାଙ୍କୁ ବ୍ରଜରାଜନଗର ଗାନ୍ଧିଛକ ଫାଣ୍ଡିରେ ମୁତୟନ ହୋଇଥିବା ପୁଲିସ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସ ଗୁଳି କରିଥିଲେ। ନବ ଦାସଙ୍କ ଛାତିରେ ଗୁଳି ବାଜିଥିବାରୁ ସେ ଘଟଣାସ୍ଥଳରେ ହିଁ ତଳେ ପଡ଼ିଯାଇଥିଲେ। ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବରକୁ ଏୟାରଲିଫ୍ଟ କରାଯାଇଥିଲା। ଭୁବନେଶ୍ବରସ୍ଥିତ ଆପଲୋ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା। ଏହି ଘଟଣାରେ ଅଭିଯୁକତ ଏଏଏସ୍‌ଆଇ ଗୋପାଳକୃଷ୍ଣଙ୍କୁ ପୁଲିସ ଗିରଫ କରିଛି। ଘଟଣାର ତଦନ୍ତ ପାଇଁ କ୍ରାଇମ୍‌ବ୍ରାଞ୍ଚ ଏପର୍ଯ୍ୟନ୍ତ ୩ଟି ଟିମ୍‌ ଗଠନ କରିଛି। ଏହାରି ମଧ୍ୟରେ ଝାରସୁଗୁଡ଼ା ଏସ୍‌ପି ରାହୁଲ ଜୈନ ଓ ବ୍ରଜରାଜନଗର ଏସ୍‌ଡିପିଓ ଗୁପ୍ତେଶ୍ବର ଭୋଇଙ୍କୁ ରାଜ୍ୟ ମୁଖ୍ୟ ପୁଲିସ କାର୍ଯ୍ୟାଳୟକୁ ବଦଳି ହୋଇଛି।

ସମ୍ବନ୍ଧିତ ଖବର