ଭୁବନେଶ୍ବର: ପୂଜା ଋତୁରେ କାର୍ ଗାଡ଼ି ସୋ’ରୁମ୍ରେ ମଧ୍ୟ ଭିଡ଼ ଦେଖିବାକୁ ମିଳୁଛି। ଲୋକମାନେ ନିଜ ପାଇଁ ବଡ଼ ଗାଡ଼ି କିଣିବା ଲାଗି ଅଧିକ ଆଗ୍ରହ ଦେଖାଉଛନ୍ତି। ସେଥିପାଇଁ ଚଳିତ ବର୍ଷ ପୂଜାରେ ୧୦-୧୨ ଲକ୍ଷ ଟଙ୍କିଆ କାର୍ ବେଶି ବିକ୍ରି ହେଉଛି। ବିକ୍ରିରେ ଏସ୍ୟୁଭି ଭଳି ବଡ଼ ଗାଡ଼ି ଆଗରେ ରହିଛି। ସୁରକ୍ଷା ଲାଗି ଅଧିକ ସୁବିଧା ସୁଯୋଗ ଥିବା ଗାଡ଼ି ପାଇଁ ବେଶି ଟଙ୍କା ଗଣିବା ଲାଗି ମଧ୍ୟ ଗ୍ରାହକମାନେ ପଛଘୁଞ୍ଚା ଦେଉନାହାନ୍ତି। ଏ ସମ୍ପର୍କରେ ଆଦିତ୍ୟ ଗ୍ରୁପ୍ର ପରିଚାଳନା ନିର୍ଦ୍ଦେଶକ ଆଦିତ୍ୟ ପାତ୍ର କହିଛନ୍ତି ଏଥର ପୂଜା ବଜାରରେ ଯାହା ଭିନ୍ନତା ରହିଛି ତାହା ହେଉଛି ନିଜର ପ୍ରଥମ କାର୍ କିଣୁଥିବା ଲୋକମାନେ ବଡ଼ ଗାଡ଼ି ପସନ୍ଦ କରୁଛନ୍ତି। ପୂର୍ବରୁ ଲୋକମାନେ ନିଜର ପ୍ରଥମ କାର୍ କିଣିବା ଲାଗି ୫-୬ ଲକ୍ଷ ଟଙ୍କା କିମ୍ବା ୫-୭ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିଲେ।
ଏବେ ସେମାନେ ମଧ୍ୟମ ଆକାର ଏବଂ ଏସ୍ୟୁଭିକୁ ମଧ୍ୟ ନିଜ ପ୍ରଥମ କାର୍ ଭାବେ କିଣୁଛନ୍ତି। ବେତନଭୋଗୀ ବର୍ଗ କାର୍ କିଣିବା ଲାଗି ଅଧିକ ଆସୁଛନ୍ତି। ଏହା ବ୍ୟତୀତ ସ୍ବାବଲମ୍ବୀ ଓ ପ୍ରଫେସନାଲମାନେ ମଧ୍ୟ ନିଜ ପାଇଁ କାର୍ କିଣୁଛନ୍ତି। ଚଳିତ ବର୍ଷ ପୂଜା ଋତୁରେ ଗାଡ଼ି ବିକ୍ରିରେ ୨୦-୨୫ ପ୍ରତିଶତ ବୃଦ୍ଧି ଆଶା କରାଯାଉଛି ବୋଲି ସେ କହିଛନ୍ତି। ୟୁଜଡ୍ କାର୍ ବିକ୍ରି ମଧ୍ୟ ଭଲ ହେଉଥିବା ସେ କହିଛନ୍ତି। କମ୍ ଦାମ୍ରେ ଓ ସୁବିଧାରେ ମିଳୁଥିବାରୁ ୟୁଜଡ୍ କାର୍ ବିକ୍ରି ଏବର୍ଷ ଉତ୍ସାହଜନକ ରହିଥିବା ଶ୍ରୀ ପାତ୍ର କହିଛନ୍ତି। ଘର ପାଇଁ କେଉଁ ଗାଡ଼ି କିଣାହେବ ସେହି ନିଷ୍ପତ୍ତି ନେବାରେ ମଧ୍ୟ ଏକ ପରିବର୍ତ୍ତନ ଦେଖିବାକୁ ମିଳିଥିବା ସେ କହିଛନ୍ତି। ସେ କହିଲେ, ପୂର୍ବରୁ ରୋଜଗାର କରୁଥିବା ବ୍ୟକ୍ତିଙ୍କ ଅନୁସାରେ ଘର ପାଇଁ ଗାଡ଼ି କିଣା ହେଉଥିଲା। ଏବେ କିନ୍ତୁ ଓଡ଼ିଶାର ପରିବାରଗୁଡ଼ିକ ଗାଡ଼ି କିଣିବା ବେଳେ ସମସ୍ତଙ୍କ କଥା ବିଚାରକୁ ନେଉଛନ୍ତି। ଯୁବ ପୁଅଝିଅମାନେ ସେମାନଙ୍କ ଆବଶ୍ୟକତା କହୁଛନ୍ତି। ମହିଳାମାନଙ୍କ ଆବଶ୍ୟକତାକୁ ବିଚାରକୁ ନିଆଯାଉଛି। ସବୁ କିଛିକୁ ପରଖିବା ପରେ ପରିବାରଗୁଡ଼ିକ କେଉଁ ଗାଡ଼ି କିଣିବେ ସେହି ନି ଷ୍ପତ୍ତି ନେଉଛନ୍ତି ବୋଲି ଶ୍ରୀ ପାତ୍ର କହିଛନ୍ତି।