ଏସ୍‌ଭିଏମ୍ କଲେଜ ଜାଲ୍ ସାଟିର୍ଫିକେଟ୍ କେଳେଙ୍କାରୀ, ଛାତ୍ରଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ପାଇଁ କଂଗ୍ରେସର ଦାବି

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାର ସର୍ବପୁରାତନ ତଥା ପ୍ରତିଷ୍ଠିତ କଲେଜ ଏସ୍‌ଭିଏମ୍ କଲେଜରୁ ଛାତ୍ରଛାତ୍ରୀଙ୍କୁ ଦିଆଯାଇଥିବା ନକଲି ପ୍ରମାଣପତ୍ରକୁ ନେଇ ଏବେ ରାଜନୀତି ବଢ଼ିବାରେ ଲାଗିଛି। ଆଜି ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକଙ୍କ ନେତୃତ୍ବରେ ଏକ ଟିମ୍ କଲେଜ ଅଧ୍ୟକ୍ଷଙ୍କୁ ସାକ୍ଷାତ କରି ଏ ନେଇ ଆଲୋଚନା କରିଛନ୍ତି। ଏହା ସହ ଦଳ ପକ୍ଷରୁ ଏ ନେଇ ଅଧ୍ୟକ୍ଷଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।

ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବାରିକଙ୍କ ସୂଚନା ଅନୁଯାୟୀ, ଉତ୍କଳ ବିଶ୍ବବିଦ୍ୟାଳୟର ବିନା ଅନୁମତିରେ ଏସ୍‌ଭିଏମ୍ କଲେଜରେ ଯୁକ୍ତ ତିନି ପାଠ୍ୟକ୍ରମରେ ୧୧୮ରୁ ଅଧିକ ଛାତ୍ରଛାତ୍ରୀଙ୍କ ଆଡମିସନ କରାଯାଇଛି। ୨୦୧୫–୧୮ ଶିକ୍ଷାବର୍ଷରେ ହୋଇଥିବା ଏହି କେଳେଙ୍କାରୀ ଯୋଗୁଁ ସେମାନଙ୍କୁ ଜାଲ୍ ସାଟିର୍ଫିକେଟ୍ ପ୍ରଦାନ କରାଯାଇଛି। ଛାତ୍ରଛାତ୍ରୀମାନେ ଏହି କଲେଜରୁ ଉତ୍ତୀର୍ଣ୍ଣ ହେବା ପରେ ବର୍ତ୍ତମାନ ରେଜିଷ୍ଟ୍ରେସନ ନମ୍ବର ଜାଲ୍ ଥିବାରୁ ମାଇଗ୍ରେସନ ସାଟିର୍ଫିକେଟ୍ ପାଇପାରୁ ନାହାନ୍ତି। ଏଣୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଏକ ପ୍ରକାର ଖେଳ ଖେଳାଯାଇଛି। ପୂର୍ବତନ ପୌରାଧ୍ୟକ୍ଷ ବିପ୍ଲବ ଚୌଧୁରୀଙ୍କ କହିବା ଅନୁଯାୟୀ, ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ। ଏ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ, କେନ୍ଦ୍ରା‌ଞ୍ଚଳ ରାଜସ୍ବ ଆୟୁକ୍ତ, ମହାବିଦ୍ୟାଳୟ ଅଧ୍ୟକ୍ଷ, ଜିଲ୍ଲାପାଳଙ୍କୁ ମଧ୍ୟ ଲିଖିତ ଆକାରରେ ସମସ୍ତ ତଥ୍ୟ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର