ଗୋଟିଏ ଦିନରେ ଦୁଇଟି ପରୀକ୍ଷା ପ୍ରସଙ୍ଗ : ଏସ୍ଭି ନିର୍ତାର କମନ ଏଣ୍ଟ୍ରାନ୍ସ ଟେଷ୍ଟ ତାରିଖ ପରିବର୍ତନ
ଭୁବନେଶ୍ୱର : ଗୋଟିଏ ଦିନରେ ଦୁଇଟି ପ୍ରବେଶିକା ପରୀକ୍ଷାକୁ ନେଇ ଦ୍ବନ୍ଦ୍ବ ଉପୁଜିବା ପରେ ଏସ୍ଭି ନିର୍ତାର (ସ୍ବାମୀ ବିବେକାନନ୍ଦ ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ରିହାବିଲିଟେସନ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ) ବ୍ୟାଚଲର ଡିଗ୍ରି କୋର୍ସ ପାଇଁ ଧାର୍ଯ୍ୟ ହୋଇଥିବା କମନ ଏଣ୍ଟ୍ରାନ୍ସ ଟେଷ୍ଟ (ସିଇଟି-୨୦୧୯) ତାରିଖ ପରିବର୍ତନ ହୋଇଛି। ଜୁଲାଇ ୧ ତାରିଖରେ ହେବାକୁ ଥିବା ପରୀକ୍ଷା ଜୁନ୍ ୯ ତାରିଖ (ରବିବାର) ହେବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜୁନ୍ ୨୮ ତାରିଖରେ ଫଳାଫଳ ପ୍ରକାଶ ପାଇବା ସହ ପ୍ରଥମ କାଉନ୍ସେଲିଂ ଜୁଲାଇ ୨୩ରୁ ୨୬ ତାରିଖ ମଧ୍ୟରେ ହେବାକୁ ଧାର୍ଯ୍ୟ ହୋଇଥିବା ଅନୁଷ୍ଠାନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଫଳରେ ଗୋଟିଏ ଦିନରେ ଥିବା ଦୁଇଟି ପ୍ରବେଶିକା ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀମାନେ ଯେଉଁ ଦ୍ବନ୍ଦ୍ବରେ ଥିଲେ ତାହା ଦୂର ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ଆଇସିଏଆର୍ (ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ଏଗ୍ରିକଲଚର ରିସର୍ଚ) ଦେଶରେ ଥିବା କୃଷି ବିଶ୍ବବିଦ୍ୟାଳୟ ଓ ଏହା ଅଧୀନରେ ଥିବା କେତେକ ଅନୁଷ୍ଠାନରେ ବ୍ୟାଚଲର ଡିଗ୍ରି ଓ ମାଷ୍ଟର ଡିଗ୍ରି କୋର୍ସରେ ନାମ ଲେଖାଇବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲା। ଏଥିପାଇଁ ଯୁକ୍ତ ଦୁଇ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କଠାରୁ ଆବେଦନପତ୍ର ସଂଗ୍ରହ କରାଯାଇଥିଲା। ପ୍ରବେଶିକା ପରୀକ୍ଷା ପାଇଁ ଜଣେ ଆବେଦନକାରୀ ୭ଶହରୁ ୧୭ଶହ ପର୍ଯ୍ୟନ୍ତ ଟଙ୍କା ଜମା କରିବାକୁ ପଡ଼ିଥିଲା। ଏହି ପରୀକ୍ଷା ଜୁଲାଇ ୧ ତାରିଖରେ ହେବାକୁ ଧାର୍ଯ୍ୟ ହୋଇଛି। ସେହିଭଳି ଏସ୍ଭି ନିରତାର ତିନୋଟି କୋର୍ସରେ ନାମ ଲେଖା ପାଇଁ କମନ ଏଣ୍ଟ୍ରାନ୍ସ ଟେଷ୍ଟ କରିବାକୁ ବିଜ୍ଞପ୍ତି କରିଥିଲା। ଏଥିପାଇଁ ଯୁକ୍ତ ଦୁଇ ପାସ୍ କରିଥିବା ବିଭିନ୍ନ ଛାତ୍ରଛାତ୍ରୀଙ୍କଠାରୁ ଆବେଦନପତ୍ର ଗ୍ରହଣ କରାଯାଇଥିଲା। ଏହି ପରୀକ୍ଷାରେ ଭାଗ ନେବାକୁ ଜଣେ ପରୀକ୍ଷାର୍ଥୀକୁ ୬ଶହ ଟଙ୍କା ଜମା କରିବାକୁ ପଡ଼ିଥିଲା। ତେବେ ଏହି ପରୀକ୍ଷା ମଧ୍ୟ ଜୁଲାଇ ୧ ତାରିଖରେ ରହିଥିଲା। ଆଇସିଏଆର୍ର ପରୀକ୍ଷା ସର୍ବଭାରତୀୟ ସ୍ତରର ହୋଇଥିବା ବେଳେ ଏସ୍ଭି ନିରତାରର ପରୀକ୍ଷା ବିଶ୍ବବିଦ୍ୟାଳୟସ୍ତରର ରହିଥିଲା। ଏହି ଦୁଇ ପରୀକ୍ଷା ପାଇଁ କେବଳ ଓଡ଼ିଶାରୁ ଯୁକ୍ତ ଦୁଇ ପାସ୍ କରିଥିବା ୭ ହଜାରରୁ ଊର୍ଧ୍ବ ଆବେଦନକାରୀ ରହିଥିଲେ। ଗୋଟିଏ ଦିନରେ ପରୀକ୍ଷା ହେବାକୁ ଯାଉଥିବାରୁ ଆବେଦନକାରୀ ହତାଶ ହୋଇଥିଲେ। ଏ ନେଇ ପୁରୀର ଅନନ୍ତ ନାରାୟଣ ସିଂହ ଉଭୟ ଅନୁଷ୍ଠାନକୁ ଅଭିଯୋଗ କରିଥିଲେ। ଗତ ଏପ୍ରିଲ ୩୦ ତାରିଖରେ ଏ ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା।