‘ନିରତାର’ରେ ମହାଦୁର୍ନୀତି ଧରିଲେ ସିଏଜି, ରୋବୋଟିକ୍ ମେସିନ୍‌ କିଣାରେ ବ୍ୟାପକ ଅନିୟମିତତା

ଭୁବନେଶ୍ବର : ସ୍ବାମୀ ବିବେକାନନ୍ଦ ରାଷ୍ଟ୍ରୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଅନୁସନ୍ଧାନ ସଂସ୍ଥାର ବା ନିରତାରରେ ବ୍ୟାପକ ଦୁର୍ନୀତି ହୋଇଛି। ସିଏଜି ନିଜର ୨୭ ପୃଷ୍ଠା ସମ୍ବଳିତ ରିପୋର୍ଟରେ ୨୦୧୮/୧୯ବର୍ଷରେ ୧୮ଟି ଗୁରୁତର ଅନିୟମିତତା ହୋଇଥିବା ଦର୍ଶାଇଛନ୍ତି। ଏହାକୁ ନେଇ ଆଜି କଳିଙ୍ଗ ବିକାଶ ମଞ୍ଚ ପକ୍ଷରୁ ବୁଦ୍ଧ ମନ୍ଦିରରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟକୁ ଉପସ୍ଥାପନ କରାଯାଇଛି।

ମଞ୍ଚର ସଭାପତି ଦୀପକ କୁମାର ମହାନ୍ତ କହିଲେ, ନିରତାର ପ୍ରୋସ୍ଥେଟିକ୍ ଓ ଅର୍ଥୋଟିକ୍ସ ବିଭାଗ ପାଇଁ ଫ୍ରାନ୍‌ସରୁ ୨କୋଟି ୬୯ଲକ୍ଷ ୮୦ହଜାର ଟଙ୍କା ଦେଇ କାଡ୍‌କାମ ସଫ୍‌ଟୱେୟାର ସହ ୭-ଏକ୍ସିସ୍ ରୋବୋଟିକ୍ ମେସିନ୍ କିଣାରେ ବ୍ୟାପକ ହେରଫେର ହୋଇଛି। ସିଏଜିଙ୍କ ରିପୋର୍ଟରେ କୁହାଯାଇଛି ଯେ ନିରତାରରେ ଉପବିଧି ବା ବାଇ-ଲ’ ଅନୁସାରେ ସଂସ୍ଥାର ଉପ-ନିର୍ଦେଶକ(ବୈଷୟିକ), ଉପ-ନିର୍ଦେଶକ(ପ୍ରଶାସନ) ବିଭାଗୀୟ ମୁଖ୍ୟ ଓ ହିସାବ ଅଧିକାରୀଙ୍କୁ ନେଇ ଏକ କ୍ରୟ କମିଟି ଗଠନ କରାଯିବାର ନିୟମ ରହିଛି। ଟେଣ୍ଡର୍‌ ଖୋଲିବା ଓ ସୁପାରିସ୍‌ ସହ ଯନ୍ତ୍ରପାତିର ମାନ ନିୟନ୍ତ୍ରଣ କରିବା ଏହି କମିଟିର କାର୍ଯ୍ୟ। ମାତ୍ର ରୋବୋଟିକ୍ ମେସିନ୍ କିଣାରେ ସଂସ୍ଥାନର ନିର୍ଦେଶକ ବିଭାଗୀୟ ମୁଖ୍ୟଙ୍କୁ ବାଦ୍ ଦେଇ କମିଟି ଗଠନ କରାଯାଇଛି। ଏଥିପାଇଁ ନିୟମର ଖୋଲା ଉଲ୍ଲଂଘନ ‌ହୋଇଛି।

ଏହାସହ କାଡକାମ୍‌ ସଫଟୱେୟାର ସହ ୭-ଏକ୍ସିସ୍ ରୋବେଟିକ୍ ମେସିନ୍ ଯୋଗାଇବା ପାଇଁ ୩ଟି ସଂସ୍ଥାର ବିଆର ବାୟୋମେଡିକାଲ, ଓଟୋବୋକ୍ ହେଲ୍‌ଥ କେୟାର ଓ ଆରଡି ଅର୍ଥୋକେୟାର ଟେଣ୍ଡର୍‌ ପକାଇଥିଲେ। aଏହି ଧରଣର ଯନ୍ତ୍ରପାତି ଯୋଗାଣରେ ବିଆର ବାୟୋମେଡିକାଲର ପୂର୍ବ ଅଭିଜ୍ଞତା ରହିଥିବା ସତ୍ତ୍ବେ ଏହାର ଟେଣ୍ଡର୍‌କୁ ବୈଷୟିକ କାରଣ ଦର୍ଶାଇ ନାକଚ କରି ଦିଆଯାଇଥିଲା। ମାତ୍ର ଅଭିଜ୍ଞତା ନ ଥାଇ ମଧ୍ୟ ଅନ୍ୟ ୨ଟି ସଂସ୍ଥାର ଟେଣ୍ଡର୍‌କୁ ବିଚାରକୁ ନିଆଯାଇଥିଲା। ତେଣୁ ଏଥିରେ ବ୍ୟାପକ ଅନିୟମିତତା ହୋଇଥିବା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଥିବା ଶ୍ରୀ ମହାନ୍ତ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଶିକ୍ଷାବିତ୍ ସଚ୍ଚୀନ୍ଦ୍ର ରାଉଳ, ଶଙ୍କର୍ଷଣ ମିଶ୍ର, ବିଶିଷ୍ଟ ସମାଜସେବୀ ସେଖ୍ ଫିର୍ଦୋଶ ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର