ସୁନ୍ଦରଗଡ ଜିଲ୍ଲାରେ ୧୦ କରୋନା ପଜିଟିଭ୍‌ ଚିହ୍ନଟ ପରେ କଣ୍ଟେନମେଣ୍ଟ ଜୋନ୍‌ରେ ସ୍ୱାବ୍‌ ନମୁନା ସଂଗ୍ରହ

ରାଉରକେଲା : ସୁନ୍ଦରଗଡ ଜିଲ୍ଲାରେ ୧୦ କରୋନା ପଜିଟିଭ୍‌ ଚିହ୍ନଟ ପରେ କଣ୍ଟେନମେଣ୍ଟ ଜୋନ୍‌ରେ ସ୍ୱାବ୍‌ ନମୁନା ସଂଗ୍ରହ ଚାଲିଛି। ସଂଗୃହୀତ ନମୁନା ପରୀକ୍ଷଣ ପାଇଁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍‌)କୁ ପଠାଯାଉଛି। ବିଶ୍ରା କଣ୍ଟେନମେଣ୍ଟ ଜୋନ୍‌ରୁ ସଂଗୃହିତ ଜଣେ ଲୋକଙ୍କ ସ୍ୱାବ୍‌ ନମୁନା ହଜିଯାଇଥିବା ଅଭିଯୋଗ ଆଣିଛନ୍ତି କଣ୍ଟେନମେଣ୍ଟ ଅଞ୍ଚଳର ଜଣେ ଯୁବକ। ସେ କହିଛନ୍ତି, ଗତ ୨୧ରେ ସେ ଓ ତାଙ୍କର ଦୁଇଜଣ ସାଙ୍ଗଙ୍କର ବିଶ୍ରା ସରକାରୀ ବାଳିକା ବିଦ୍ୟାଳୟ ଅସ୍ଥାୟୀ ମେଡିକାଲ୍‌ କ୍ୟାମ୍ପରେ ସ୍ୱାବ୍‌ ସଂଗ୍ରହ ହୋଇଥିଲା। ସ୍ୱାବ୍‌ ନମୁନା ସଂଗ୍ରହ କରୁଥିବା ସ୍ବାସ୍ଥ୍ୟକର୍ମୀ ୩ ଦିନ ଭିତରେ ରିପୋର୍ଟ ଆସିବ ଓ ରିପୋର୍ଟ ପଜିଟିଭ୍‌ ଆସିଲେ ଡକାଯିବ, ନହେଲେ ନାହିଁ ବୋଲି କହିଥିଲେ। କିନ୍ତୁ ଆଜି ସକାଳେ ଅସ୍ଥାୟୀ ମେଡିକାଲ କ୍ୟାମ୍ପରୁ ପୁଣି ଯୁବକ ଜଣଙ୍କୁ କଲ୍‌ ଆସିଥିଲା। କୁହାଯାଇଥିଲା, ‘‘ତୁମର ସ୍ୱାବ୍‌ ନମୁନା ହଜିଯାଇଛି। କ୍ୟାମ୍ପକୁ ଆସନ୍ତୁ, ପୁଣି ତୁମର ସ୍ବାବ୍‌ ନମୁନା ନିଆଯିବ।’’ ସ୍ୱାସ୍ଥ୍ୟକର୍ମୀଙ୍କ ଠାରୁ ଏମିତି କଥା ଶୁଣି ଯୁବକ ଜଣକ ଚକିତ ହୋଇଯାଇଥିଲେ। ପୂର୍ବରୁ ଦେଇଥିବା ସ୍ୱାବ୍‌ ନମୁନା କୁଆଡେ ଗଲା ବୋଲି ସ୍ୱାସ୍ଥ୍ୟ କର୍ମୀଙ୍କୁ ପ୍ରଶ୍ନ କରିଥିଲେ। ସ୍ୱାସ୍ଥ୍ୟକର୍ମୀ ଜଣଙ୍କ କିନ୍ତୁ କୌଣସି ସନ୍ତୋଷ ଜନକ ଉତ୍ତର ଦେଇନଥିଲେ। କେବଳ କହିଥି‌ଲେ ଯେ ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବାନୁଯାୟୀ ଡକା ହୋଇଛି। ତେବେ ଏ ସଂକ୍ରାନ୍ତରେ ଫୋନ୍‌କରି ଡକାଇଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ପଚାରିବାରୁ ସେ କହିଛନ୍ତି, ଯୁବକଙ୍କ ସ୍ୱାବ୍‌ ନମୁନା ହଜିବା ସଂକ୍ରାନ୍ତରେ ସେ କିଛି ଜାଣି ନାହାନ୍ତି। ସ୍ୱାସ୍ଥ୍ୟ ଅଧିକାରୀ କହିଥିବାରୁ ସେ ଯୁବକ ଜଣଙ୍କୁ ମେଡିକାଲ କ୍ୟାମ୍ପକୁ ଡାକିଥିଲେ।

କରୋନା ବିରୋଧରେ ଏ ଲଢ଼େଇରେ ସ୍ବାସ୍ଥ୍ୟକର୍ମୀମାନେ ନିଜ ଜୀବନକୁ ଖାତିର ନକରି ଯେଭଳି ଭାବେ କର୍ତ୍ତବ୍ୟ କରୁଛନ୍ତି, ତାକୁ ଯେତେ ପ୍ରଶଂସା କଲେ ମଧ୍ୟ କମ୍‌ ହେବ। ସ୍ବାବ୍‌ ନମୁନା ହଜିବାର ଉପରୋକ୍ତ ଅଭିଯୋଗର ସତ୍ୟତା ମଧ୍ୟ ନିର୍ଦ୍ଦିଷ୍ଟ ଭାବେ ଏଯାଏ ଜଣା ପଡ଼ିନାହିଁ, କିନ୍ତୁ ଏହା ଯଦି ସତ୍ୟ ହୋଇଥାଏ, ତେବେ ସଂପୃକ୍ତ ଲୋକଙ୍କ ନିଷ୍ଠା ଉପରେ ପ୍ରଶ୍ନବାଚୀ ସୃଷ୍ଟିହେବ ନିଶ୍ଚୟ।

ସମ୍ବନ୍ଧିତ ଖବର