ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାର ପ୍ରଥମ କରୋନା ସଂକ୍ରମିତ ରୋଗୀ ପଶ୍ଚିମବଙ୍ଗରୁ ଆସିଥିବା ନେଇ ସମସ୍ତେ ଆଶ୍ବସ୍ତ ହୋଇଥିବା ବେଳେ ଦ୍ବିତୀୟ ସଂକ୍ରମିତ ରୋଗୀ କେଉଁଠାରୁ ସଂକ୍ରମିତ ହୋଇଛି ତାହା ଏ ପର୍ଯ୍ୟନ୍ତ ଜଣା ପଡ଼ିନଥିବାରୁ ଏହା ପ୍ରଶାସନର ମୁଣ୍ଡବ୍ୟଥାର କାରଣ ହୋଇଛି। ଏକ ମଫସଲ ଗ୍ରାମର ଏହି ମହିଳା କିଭଳି ଓ କାହାଠାରୁ ସଂକ୍ରମିତ ହୋଇଛନ୍ତି ସେ ନେଇ ଆଜି ବି ସ୍ବାସ୍ଥ୍ୟ ବିଭାଗ ପାଖରେ କୌଣସି ତଥ୍ୟ ନାହିଁ।
ଜିଲ୍ଲାରେ ଦୁଇଟି ସ୍ଥାନରୁ ଦୁଇଟି ସଂକ୍ରମିତ ରୋଗୀ ଚିହ୍ନଟ ହେବାପରେ ଉଭୟ ସ୍ଥାନକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରାଯାଇ ଲୋକଙ୍କୁ ଏକ ପ୍ରକାର ବନ୍ଦୀ କରି ଦିଆଯାଇଛି। କହାରିକୁ ଘରୁ ବାହାରିବାକୁ ଅନୁମତି ନାହିଁ। ତେବେ ଏହି ଅଞ୍ଚଳରୁ ସଂଗ୍ରହ ହୋଇଥିବା ସ୍ବାବ୍ ଗୁଡ଼ିକର ରିପୋର୍ଟ ଆଜି ପର୍ଯ୍ୟନ୍ତ ଆସିନଥିବାରୁ ଉଭୟ ଅଞ୍ଚଳରେ ଏବେ ଏହି ସଂକ୍ରମଣକୁ ନେଇ ସଠିକ୍ ତଥ୍ୟ ମିଳି ପାରିନାହିଁ। ବ୍ରଜରାଜନଗର ଓରିଏଣ୍ଟ ଥାନା ବୁଢ଼ିଜାମ୍ କ୍ୟାମ୍ପ ଠାରେ ଜଣେ ଯୁବତୀଙ୍କ ଠାରେ କରୋନା ସଂକ୍ରମିତ ହୋଇଥିବା ଗତ ୨୯ ତାରିଖ ରେ ଜଣାପଡ଼ିଥିଲା। ସେହି ଦିନ ରାତିରୁ ଏହି ଅଞ୍ଚଳକୁ ପ୍ରଶାସନ ପକ୍ଷରୁ କଣ୍ଟେନ୍ମେଣ୍ଟ୍ ଓ ବଫର ଜୋନ୍ ଘୋଷଣା କରି କାହାରିକୁ ଭିତରୁ ବାହାରକୁ ଏବଂ ବାହାରୁ ଭିତରକୁ ଛାଡ଼ା ଯାଉନାହିଁ।
ଦୀର୍ଘ ୧୧ ଦିନ ହେଲା ଏହି ଅଞ୍ଚଳର ଲୋକେ ଏକ ପ୍ରକାର ଅଣନିଃଶ୍ବାସୀ ହୋଇଯାଇଥିବା କହିବା ଆରମ୍ଭ କଲେଣି। ଏହି ଅଞ୍ଚଳ ଭିତରେ ବ୍ୟାଙ୍କ, ଏଟିଏମ୍ ସବୁ ବନ୍ଦ ଅଛି। ଅତ୍ୟାବଶ୍ୟକୀୟ ଜିନିଷପତ୍ର କିଣିବା ପାଇଁ ଲୋକଙ୍କ ପାଖରେ ଟଙ୍କା ମଧ୍ୟ ସରିଯାଇଥିବା ଜଣାପଡ଼ିଛି। ଆଜି ଏଠାରେ ଥିବା ଏକ ଏଟିଏମ୍କୁ ମଧ୍ୟ ପ୍ରଶାସନ ପକ୍ଷରୁ ସିଲ୍ କରି ଦିଆଯାଇଛି। କଣ୍ଟେନ୍ମେଣ୍ଟ୍ ଜୋନ୍ର ଅବଧି ଅନିର୍ଦ୍ଧିଷ୍ଟ କାଳ ରହିବାକୁ ଘୋଷଣା ହୋଇଛି। ତେବେ ଏହି ଅଞ୍ଚଳରୁ ସଂଗ୍ରହ ହୋଇଥିବା ସ୍ବାବ୍ ଗୁଡ଼ିକର ରିପୋର୍ଟ ଆସିବାରେ ବିଳମ୍ବ ହେଉଥିବା ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାଯାଇଛି।
ଓରିଏଣ୍ଟ କଣ୍ଟେନ୍ମେଣ୍ଟ ଅଞ୍ଚଳରୁ ଗତ କାଲି ପର୍ଯ୍ୟନ୍ତ ମୋଟ ୧୩୫ ଜଣଙ୍କ ସ୍ବାବ୍ ସଂଗ୍ରହ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ଏଥିରୁ ୬୫ ଜଣଙ୍କ ରିପୋର୍ଟ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗକୁ ଆସିଛି। ଏହି ସବୁ ରିପୋର୍ଟ ନେଗେଟିଭ୍ ଥିବା ଜଣାପଡ଼ିଛି। ସଂକ୍ରମିତ ଯୁବତୀଙ୍କ ପରିବାର ସଦସ୍ୟଙ୍କ ପ୍ରଥମ ପରୀକ୍ଷାର ରିପୋର୍ଟ ମଧ୍ୟ ନେଗେଟିଭ୍ ଥିବା ବେଳେ ଦ୍ବିତୀୟ ଥର ପାଇଁ ପରୀକ୍ଷା କରାଯିବାର ବ୍ୟବସ୍ଥା କରାଯାଇଛି। ତେବେ ପଠାଯାଇଥିବା ୧୩୫ ରୁ ଆଉ ୭୦ ରିପୋର୍ଟକୁ ଅପେକ୍ଷା କରାଯାଇଥିବା ବେଳେ ପ୍ରତିଦିନ କିଛି କିଛି ନୂଆଁ ସ୍ବାବ୍ ମଧ୍ୟ ସଂଗ୍ରହ ହେଉଛି। ସେହିପରି ଲଖନପୁର ବ୍ଲକ କୋଡ଼ାଲୋଇ ପଞ୍ଚାୟତର ଡହଲଡେରା ଅଞ୍ଚଳରେ ଜଣେ ମହିଳା ସଂକ୍ରମିତ ହେବାପରେ ଏହି ଅଞ୍ଚଳକୁ ମଧ୍ୟ କଣ୍ଟେନ୍ମେଣ୍ଟ୍ ଜୋନ୍ ଘୋଷଣା କରାଯାଇ ୩ ତାରିଖରୁ ବନ୍ଦ କରି ଦିଆଯାଇଛି। ଏହି ମହିଳା ସୁନ୍ଦରଗଡ଼ ଜିଲ୍ଲା ବନ୍ଧପାଲି ଗ୍ରାମରେ ୪ ଦିନ ରହିଥିବା ବେଳେ ତାଙ୍କ ସଂପର୍କିୟ ଜଣଙ୍କୁ ସହଯୋଗ କରିବା ପାଇଁ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟର ପ୍ରସୂତୀ ୱାର୍ଡ଼ରେ ରହିଥିଲେ।
ସେଠାରୁ ସେ ସୁନ୍ଦରଗଡ଼ ୨ ନମ୍ବର ୱାର୍ଡ଼ ଯାଇଥିବା ବେଳେ ନବଜାତକ ସହିତ ପ୍ରସୂତୀକୁ ନେଇ ପୁଣି ବୁଢ଼ିଜାମ୍ ଏକ ଅଟୋରେ ଫେରିଥିଲେ। ଏହି ମହିଳା କାଳେ ସୁନ୍ଦରଗଡ଼ରେ ସଂକ୍ରମିତ ହୋଇଥାଇ ପାରନ୍ତି ବୋଲି ଆଶଙ୍କା କରାଯାଉଥିଲା। ତେବେ ସୁନ୍ଦରଗଡ଼ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ମହିଳାଙ୍କ ସଂସ୍ପର୍ଶରେ ଆସିଥିବା ସୁନ୍ଦରଗଡ଼, ସବଡେଗା, ବନ୍ଧପାଲି ଗ୍ରାମ ସମେତ ଡାକ୍ତରଖାନା ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଚିହ୍ନଟ କରି ୧୮୨ ଜଣଙ୍କ ସ୍ବାବ୍ ସଂଗ୍ରହ କରି ଆଜିଏଚ୍ ରାଉରକେଲାରେ ପରୀକ୍ଷା କରାଇଥିଲେ। ଏହି ସବୁ ରିପୋର୍ଟ ନେଗେଟିଭ ଥିବା ଗତ ୫ ତାରିଖ ଠାରୁ ଜଣାପଡ଼ି ସାରିଛି।
ମାତ୍ର ଝାରସୁଗୁଡ଼ା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଂଗ୍ରହ ହୋଇଥିବା ୧୪୦ ଗୋଟି ସ୍ବାବ୍ ପରୀକ୍ଷା ପାଇଁ ଗତ ୪ ତାରିଖ ଠାରୁ ଯାଇଥିଲେ ମଧ୍ୟ ତାର ସବୁ ରିପୋର୍ଟ ଆସିନାହିଁ। କେବଳ ୩୯ ଗୋଟି ରିପୋର୍ଟ ଆସିଥିବା ବେଳେ ମହିଳାଙ୍କ ପରିବାର ସଦସ୍ୟ ମାନଙ୍କ ରିପୋର୍ଟ ମଧ୍ୟ ଆସିନଥିବା ଜଣାପଡ଼ିଛି। ଝାରସୁଗୁଡ଼ା ଜିଲ୍ଲାରେ ସ୍ବାବ୍ ସଂଗ୍ରହ ଧିମା ଗତିରେ ଚାଲିଥିବା ବେଳେ ରିପୋର୍ଟ ମଧ୍ୟ ସେମିତି ଧିମାରେ ଆସୁଛି। ଜିଲ୍ଲାରେ ଗତ ମାର୍ଚ୍ଚ ୨୭ ତାରିଖ ଠାରୁ ସ୍ବାବ୍ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଗତ କାଲି ସୁଦ୍ଧା ଜିଲ୍ଲାରୁ ମୋଟ ୧୦୩୪ ଜଣଙ୍କ ସ୍ବାବ୍ ସଂଗ୍ରହ ହୋଇ ଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ ୭୨୩ ଜଣଙ୍କ ରିପୋର୍ଟ ଆସିଛି। ଏବେ ଜିଲ୍ଲାକୁ କୋଟାରୁ ଆସିଥିବା ଛାତ୍ରଛାତ୍ରୀ ଓ କିଛି ଅଭିଭାବକଙ୍କ ସ୍ବାବ୍ ସଂଗ୍ରହ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ବେଲପାହାଡ଼ କ୍ବାରାଣ୍ଟିନ୍ କେନ୍ଦ୍ରରେ ରହୁଥିବା ୩୩ ଜଣଙ୍କ ସଂଗ୍ରହ ପରେ ହୋମ୍ କ୍ବାରାଣ୍ଟିନ୍ରେ ରହୁଥିବା ଛାତ୍ରଛାତ୍ରୀଙ୍କ ସ୍ବାବ୍ ପରୀକ୍ଷା କରାଯିବ ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/a121ce0d-d725-4545-8af0-09f4f5efad6d-2.jpg)