ନିର୍ବାଚନ ଇତିହାସ ସୃଷ୍ଟି କଲା ସ୍ବାଭିମାନ ଅଂଚଳ: ୨୦୧୯ରେ ୨୬ ପ୍ରତିଶତ, ୨୦୨୪ରେ ୭୧% ଭୋଟିଂ

୨୦୧୯ରେ ୧୨ଟି ବୁଥରେ ଭୋଟିଂ ହୋଇନଥିଲା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଶାନ୍ତିଶୃଙ୍ଖଳାରେ ନିର୍ବାଚନ ସରିଲା। ଚଳିତ ନିର୍ବାଚନରେ ନକ୍ସଲ ନା ପୋଷ୍ଟର ମାରିପାରିଲେ ନା କୌଣସି ଅଘଟଣ ଘଟାଇବାରେ ସଫଳ ହୋଇପାରିଲେ। ଏଥିପାଇଁ ଜିଲ୍ଲା ପୁଲିସ, ବିଏସଏଫ ଏବଂ ଜିଲ୍ଲା ପ୍ରଶାସନର ଅଗାଢ଼ ପରିଶ୍ରମ ରହିଛି। ସୁରକ୍ଷାକର୍ମୀ ଦିନରାତି ଏକ କରି ସାରା ଜିଲ୍ଲାକୁ ଜଗି ରହିଥିଲେ। ନକ୍ସଲଙ୍କୁ ଜିଲ୍ଲା ଭିତରକୁ ପଶିବାକୁ ଦେଇନଥିଲେ। ଫଳରେ ନର୍ବାଚନ ସୁରୁଖୁରୁରେ ସମାପ୍ତ ହୋଇପାରିଲା।

ଚଳିତ ନିର୍ବାଚନ କିନ୍ତୁ ସ୍ବାଭିମାନ ଅଂଚଳ ପାଇଁ ଇତିହାସ ସୃଷ୍ଟି କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଗତ ୨୦୧୯ ସାଧାରଣ ନିର୍ବାଚନ ଓ ୨୦୨୪ ନିର୍ବାଚନ ମଧ୍ୟରେ ବହୁତ ଫରକ ରହିଛି। ୨୦୧୯ ନିର୍ବାଚନରେ ୨୬ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ୨୦୨୪ ନିର୍ବାଚନରେ ୭୧ ପ୍ରତିଶତ ଭୋଟିଂ ହୋଇଥିଲା, ଯାହାର ଶ୍ରେୟ ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ଯିବ। ଲଗାତାର ସ୍ବାଭିମାନ ଅଂଚଳ ଗସ୍ତ କରି ଲୋକଙ୍କୁ ସଚେତନ କରାଇବା ସହ ସମସ୍ତ ୨୩ଟି ଯାକ ବୁଥରେ ଯେପରି ଲୋକେ ପ୍ରବଳ ସଂଖ୍ୟାରେ ଉପସ୍ଥିତ ହୋଇ ଭୋଟ ଦେବେ ସେଥିପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା।

ପ୍ରକାଶ ଥାଉକି ସ୍ବାଭିମାନ ଅଂଚଳରେ ରହିଥିବା ୨୩ଟି ବୁଥରେ ମୋଟ ୧୯,୫୭୭ ଜଣ ଭୋଟର ରହିଛନ୍ତି। ସ୍ବାଭିମାନ ଅଂଚଳର ୯ଟି ପଞ୍ଚାୟତର ବୁଥଗୁଡିକ ମଧ୍ୟରୁ ଯନ୍ତ୍ରୀରେ ୨ଟି ବୁଥ, ଅଣ୍ଡ୍ରାପାଲୀରେ ଗୋଟିଏ, ପଣସପୁଟରେ ୪ଟି, ଧୂଳିପୁଟରେ ୬ଟି, ବଡ଼ପଡ଼ାରେ ୨ଟି, ଗାଜଲମାମୁଡ଼ିରେ ୨ଟି, ଯଡ଼ାମ୍ବରେ ୨ଟି ଏବଂ ରାଲଗେଡ଼ାରେ ୨ଟି ବୁଥ କରାଯାଇଛି। ୨୦୨୪ ନିର୍ବାଚନରେ ୧୯,୫୭୭ ଭୋଟରମାନଙ୍କ ମଧ୍ୟରୁ ୧୩,୯୧୩ ଜଣ ବୋଟର ମତଦାନ କରିଛନ୍ତି।ଅର୍ଥାତ ୭୧ ପ୍ରତିଶତ ଭୋଟିଂ ହୋଇଛି।କିନ୍ତୁ ଗତ ୨୦୧୯ ନିର୍ବାଚନରେ ଭୋଟର ଥିଲେ ୧୮,୫୨୭। କିନ୍ତୁ ଭୋଟ ଦେଇଥିଲେ ୪,୮୩୭ ଜଣ ଭୋଟର।ମାତ୍ର ୨୬ ପ୍ରତିଶତ ଭୋଟିଂ ହୋଇଥିଲା।

୨୦୧୯ ନିର୍ବାଚନରେ ୧୨ଟି ବୁଥରେ ନିର୍ବାଚନ ହୋଇପାରିନଥିଲା।ଅନ୍ୟ ୧୧ଟି ବୁଥରେ କମ୍ ସଂଖ୍ୟକ ଲୋକେ ନକ୍ସଲ ଭୟରେ ଆସିଥିଲେ।ସ୍ବାଭିମାନ ଅଂଚଳରେ ମହିଳା ଭୋଟରଙ୍କ ସଂଖ୍ୟା ୧୦,୨୫୪ ଥିବା ବେଳେ ନୂତନ ଭୋଟର ୬୩୯ ରହିଛି।ନକ୍ସଲଙ୍କ ଅଡ୍ଡା ଭାବେ ପରିଚିତ ଯନ୍ତ୍ରୀରେ ୭୫ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ସନ୍ୟାସୀଗୁଡାରେ ୬୮ ପ୍ରତିଶତ ଭୋଟିଂ ହୋଇଥିଲା।ଯାହାକି ଇତିହାସ ପାଲଟିଲା। ଯନ୍ତ୍ରୀ ପଞ୍ଚାୟତର ଏହି ଦୁଇଟି ବୁଥରେ ପ୍ରାୟ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରି ଲୋକେ ମତଦାନ କରିନଥିବା ବେଳେ ଏଥର ସୁରକ୍ଷାକୁ କଡାକଡି କରାଯିବାରୁ ଲୋକେ ନକ୍ସଲକୁ ଭୟ ନକରି ଭୋଟ ଦେଇଥିଲେ। ଏଥିପାଇଁ ସମସ୍ତ ଶ୍ରେୟ ବିଡିଓ ତନ୍ମୟ ପାତ୍ର, ଜିଲ୍ଲାପାଳ ସଚିନ ପାଵାର ଏବଂ ଏସପି ନୀତିଶ ଵାଧଵାନିଙ୍କୁ ଯିବ।କିନ୍ତ ବିଏସଏଫ ମଧ୍ୟ ପ୍ରମୁଖ ଭୁମିକା ଗ୍ରହଣ କରିଥିବାରୁ ତାଂକୁ ମଧ୍ୟ ପ୍ରଶଂସା କରାଯାଇଛି।

ସମ୍ବନ୍ଧିତ ଖବର