ଐତିହ୍ୟ ବିନା ଭବିଷ୍ୟତର ବିଶ୍ବ ଅସମ୍ପୂର୍ଣ୍ଣ: ପ୍ରଫେସର ବଶା

ଜଗନ୍ନାଥଙ୍କୁ ଅସ୍ତ୍ର ଭାବେ ବ୍ୟବହାର କରାନଯାଉ: ସୌମ୍ୟରଂଜନ

ଭୁବନେଶ୍ବର: ବର୍ତ୍ତମାନ ଓ ଭବିଷ୍ୟତ ପାଇଁ ଅତୀତ ହେଉଛି ଏକ ମୂଲ୍ୟବୋଧର ସାଧନ। ଭବିଷ୍ୟତର ବିଶ୍ବ କିପରି ହେବ, ସେହି ଆକାଂକ୍ଷାକୁ ଉଜ୍ଜୀବିତ କରିବା ପାଇଁ ଅତୀତର ଜ୍ଞାନ ଏକ ଉତ୍ସ। ତେଣୁ ଯଦି ଭବିଷ୍ୟତର ବିଶ୍ବକୁ ବହୁଳବାଦୀ ଓ ସହିଷ୍ଣୁ ସମାଜର ଏକ ଶାଣିତ ରୂପରେଖ ବୋଲି ଭାବିବା, ଐତିହ୍ୟ ଏ ବିଷୟରେ କିଛି ଉପାଦେୟ ତଥ୍ୟ ଦେଇପାରେ। କୋଣାର୍କ ବିଶ୍ବ ଐତିହ୍ୟ ଭାବରେ ଗଣାହେବା ଦ୍ବାରା ତାହା ଆଉ କେବଳ ଓଡ଼ିଶାର ଐତିହ୍ୟ ହୋଇ ରହିନାହିଁ। ତାହା ବିଶ୍ବ ଦରବାରରେ ସମଗ୍ର ମାନବଜାତିର କଳାକୃତିର ଏକ ଚରମ ନିଦର୍ଶନ ହୋଇଛି। ଐତିହ୍ୟ ବିନା ଭବିଷ୍ୟତର ବିଶ୍ବ ଏକ ଅସମ୍ପୂର୍ଣ୍ଣ, ଅସହିଷ୍ଣୁ ଓ ମାନବିକତାବିହୀନ ହେବ। ଭୀମଭୋଇଙ୍କ ଅମରବାଣୀ ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ’ ଉପରେ ଓଡ଼ିଶାର ମୂଲ୍ୟବୋଧ ପର୍ଯ୍ୟବେସିତ। ତେଣୁ ଏକ ସମ୍ପୂର୍ଣ୍ଣ, ସହିଷ୍ଣୁ, ସକାରାତ୍ମକ ଓ ମାନବିକତାପୂର୍ଣ୍ଣ ବିଶ୍ବ ନିର୍ମାଣର ଆକାଂକ୍ଷାକୁ ଉଜ୍ଜୀବିତ କରି ରଖିବାରେ ଓଡ଼ିଶାର ଐତିହ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ‘ଓଡ଼ିଶାର ଐତିହ୍ୟ: ଅତୀତ, ବର୍ତ୍ତମାନ ଓ ସମ୍ଭାବନା’ ଉପରେ ବକ୍ତବ୍ୟ ପ୍ରଦାନ କରି ଏଭଳି ମତ ଦେଇଛନ୍ତି ଐତିହାସିକ ତଥା ଗବେଷକ ପ୍ରଫେସର କିଶୋର କୁମାର ବଶା।

ଆଜି ସନ୍ଧ୍ୟାରେ ‘ସମ୍ବାଦ-ଆମ ଓଡ଼ିଶା’ କାର୍ଯ୍ୟାଳୟ ପରିସରରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୪ ତମ ଜୟନ୍ତୀ ଅବସରରେ ଆୟୋଜିତ ‘ସ୍ବାଭିମାନ ଦିବସ ଓ ଆମ ଓଡ଼ିଶା ବକ୍ତୃତାମାଳା’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ୧୮ ତମ ‘ଆମ ଓଡ଼ିଶା ବକ୍ତୃତାମାଳା’ ପ୍ରଦାନ କରିଥିଲେ ପ୍ରଫେସର ବଶା। ଏଥିରେ ସେ ଓଡ଼ିଶାର ଐତିହ୍ୟ: ଅତୀତ, ବର୍ତ୍ତମାନ ଓ ସମ୍ଭାବନା ଉପରେ ତଥ୍ୟପୂର୍ଣ୍ଣ ବକ୍ତବ୍ୟ ପ୍ରଦାନ କରିଥିଲେ। ସେ ଉନବିଂଶ ଶତାବ୍ଦୀରେ ରାଜେନ୍ଦ୍ରଲାଲ୍‌ ମିତ୍ର ଓ ଫର୍ଗୁସନ୍‌ଙ୍କ ମଧ୍ୟରେ କିପରି ଐତିହ୍ୟକୁ ନେଇ ମତଭେଦ ରହିଛି, ତା’ର ବର୍ଣ୍ଣନା କରିଥିଲେ। ଏଥିସହ ପ୍ରତ୍ନତତ୍ତ୍ବ ଓ ଓଡ଼ିଆ ଜାତୀୟତାବାଦ, ରାଜନୈତିକ ବୈଧତାପାଇଁ ଜଗନ୍ନାଥ ସଂସ୍କୃତିର ବ୍ୟବହାର, ଐତିହ୍ୟକୁ ଉଜ୍ଜୀବିତ ରଖିବାରେ ସଂଗ୍ରହାଳୟର ଭୂମିକା, ଅସ୍ପର୍ଶନୀୟ ଐତିହ୍ୟ, ବିଶ୍ବ ଐତିହ୍ୟ ସ୍ଥାନ, ଶିମିଳିପାଳ ଜୀବମଣ୍ଡଳ ରକ୍ଷଣ, ଐତିହ୍ୟ ଓ ଭାରତୀୟ ବୈଦେଶିକ ନୀତି, ଓଡ଼ିଆ ଭାଷା ଓ ସାହିତ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମରେ ‘ସମ୍ବାଦ’ର ସମ୍ପାଦକ ତଥା‌ ‘ସମ୍ବାଦ-ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ସଭାପତିତ୍ବ କରିଥିଲେ। ସେ କହିଲେ ଯେ ୧୭୫ ବର୍ଷ ତଳେ ଯଦି ମଧୁବାବୁ ଜନ୍ମ ନେଇନଥା’ନ୍ତେ, ତେବେ ଓଡ଼ିଶାର ସ୍ଥିତି କ’ଣ ହୋଇଥା’ନ୍ତା, ତାହା ଚିନ୍ତା କରାଯାଇ ପାରିବନାହିଁ। ଯେଉଁମାନେ ଓଡ଼ିଶାରେ କ୍ଷମତାରେ ରହିଛନ୍ତି, ଓଡ଼ିଶାକୁ ନେଇ ଗର୍ବ କରିବାକୁ ଚାହୁଁଛନ୍ତି, ଯେଉଁମାନଙ୍କର ପରିଚିତି ଓଡ଼ିଶାକୁ ନେଇ, ଓଡ଼ିଆ ଭାଷାକୁ ନେଇ, ଓଡ଼ିଶା ଭୂଖଣ୍ଡକୁ ନେଇ ହୋଇଛି, ସେମା‌ନେ ଜାଣିବା ଉଚିତ ଯେ ଆମର ଶ୍ରେଷ୍ଠ ସମ୍ପଦ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। କିନ୍ତୁ ସମସ୍ତେ ଜଗନ୍ନାଥଙ୍କୁ ଅସ୍ତ୍ର ଭାବେ ବ୍ୟବହାର କରିବାରେ ବ୍ୟସ୍ତ। ଜଗନ୍ନାଥଙ୍କୁ ନେଇ ରାଜନୈତିକ ଦଳମାନେ ବିବାଦ କରୁଛନ୍ତି, ଯାହା ସ୍ପୃହଣୀୟ ହେଉନାହିଁ। ମଧୁବାବୁ ବାଧ୍ୟବାଧକତାରେ ହିନ୍ଦୁ ଧର୍ମ ଛାଡ଼ି ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିଲେ। କିନ୍ତୁ ଯେତେବେଳେ ଜଗନ୍ନାଥଙ୍କ ପ୍ରତି ବିପଦ ଆସିଲା, ତାଙ୍କର ସୁରକ୍ଷା ପାଇଁ ଲଢ଼େଇ କରି ସେ ବିଜୟ ଲାଭ କରିଥିଲେ। ଏଭଳି ଦୃଷ୍ଟାନ୍ତ ବିରଳ। ଆଜି ଧର୍ମକୁ ନେଇ ‌ଭାଗ ଭାଗ କରିବାକୁ, ନିଜ ଆଧିପତ୍ୟକୁ ଜାହିର କରିବାକୁ ଚେଷ୍ଟା କରାଯାଉଛି। ଅନ୍ତତଃ ଜଗନ୍ନାଥଙ୍କୁ ଚାହିଁ ଏସବୁ ଛାଡ଼ି ମଧୁବାବୁଙ୍କ ଆଦର୍ଶକୁ ଅନୁସରଣ କରି, କାନ୍ଧକୁ କାନ୍ଧ ମିଶାଇ ଉତ୍କଳ ଜନନୀର ସେବା କରିବା ପାଇଁ ଆଗକୁ ଆସିବା ଏବଂ ଓଡ଼ିଆ ଭାଷାକୁ ଆହୁରି କିପରି ସମୃଦ୍ଧ କରିହେବ, ସେଥିପ୍ରତି ଚେଷ୍ଟା କରିପାରିଲେ ମଧୁବାବୁଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ କହିଥି‌ଲେ।

କାର୍ଯ୍ୟକ୍ରମରେ ‘ଆମ ଓଡ଼ିଶା’ର ସମ୍ପାଦକ ସ୍ବରାଜ ମିଶ୍ର ସ୍ବାଗତ ଭାଷଣ ସହିତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ‘ପୌରୁଷ’ର ସମ୍ପାଦକ ଅସିତ୍‌ ମହାନ୍ତି ଧନ୍ୟବାଦ ଦେଇଥିଲେ। ଶେଷରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମଧ୍ୟ ପ୍ରାସଙ୍ଗିକ ହୋଇଥିଲା। ଏଥିରେ ଗୋପାଳ ମହାପାତ୍ର, ନିର୍ମଳ ଚନ୍ଦ୍ର ଦାଶ, ବିମଳ ପ୍ରସାଦ ଦାସ, ରଙ୍ଗାଧର ସାହୁ ଏବଂ ଶିଶିର କୁମାର ପଣ୍ଡ‌ା ପ୍ରମୁଖ ଅଂଶଗ୍ରହଣ କରିଥିଲେ।

 

 

ସମ୍ବନ୍ଧିତ ଖବର