ରାଉରକେଲା: ଓଡ଼ିଶା ହେଉଛି ପ୍ରଥମ ଭାଷାଭିତ୍ତିକ ରାଜ୍ୟ। ସ୍ବତନ୍ତ୍ର ପ୍ରଦେଶ ଗଠନ କରିବାରେ ଯାହାର ପ୍ରମୁଖ ଭୂମିକା ରହିଥିଲା, ସେ ହେଉଛନ୍ତି ପଗଡ଼ି ପୁରୁଷ ମଧୁବାବୁ। ସେ ଥିଲେ ଓଡ଼ିଶାର ସ୍ବାଭିମାନର ଉଦ୍‌ଗାତା। ଲର୍ଡ କର୍ଜନଙ୍କ ଭଳି ଜଣେ ପରାକ୍ରମଶାଳୀ ଭାଇସ୍‌ ଚାନ୍‌ସିଲରଙ୍କୁ ଓଡ଼ିଶା ଆଣିଥିଲେ। ତାଙ୍କୁ ଓଡ଼ିଶାର ପରମ୍ପରା, ସଂସ୍କୃତି ଓ ଭାଷା ସମ୍ପର୍କରେ ପ୍ରଥମେ ଜ୍ଞାନ ପ୍ରଦାନ କରିଥିବାରୁ ଓଡ଼ିଶା ପ୍ରଦେଶ ଗଠନ ହୋଇପାରିଛି। ଆଜି ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ରାଉରକେଲା ‘ସମ୍ବାଦ’ କାର୍ଯ୍ୟାଳୟରେ ସ୍ବାଭିମାନ ଦିବସ ପାଳନ ଅବସରରେ ବକ୍ତାମାନେ ଏହା କହିଛନ୍ତି। ସମସ୍ତ ଅତିଥି ଓ ସମ୍ବାଦର କର୍ମଚାରୀମାନେ ମଧୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଛେଣ୍ଡ ହୃଷୀକେଶ ରାୟ ମହାବିଦ୍ୟାଳୟର ଅଧ୍ୟକ୍ଷ ଭବେଶ ଚନ୍ଦ୍ର ସାହୁ କହିଲେ, କୋଣାର୍କ ଯେମିତି ଓଡ଼ିଆଙ୍କ ଅସ୍ମିତାର ପ୍ରତୀକ, ସେମିତି ଓଡ଼ିଆ ଭାଷା ହେଉଛି ଆମର ଅସ୍ମିତାର ପରିଚୟ।

Advertisment

କୋଣାର୍କ ମନ୍ଦିର ଅଧାଗଡା ରହିଥିଲା ଭଳି ଓଡ଼ିଆ ଭାଷା ଆଜି ପର୍ଯ୍ୟନ୍ତ ଗଣ ଜୀବନର ଭାଷା ହୋଇପାରି ନାହିଁ। ତେବେ ‘ସମ୍ବାଦ-ଆମ ଓଡ଼ିଶା’ ଓଡ଼ିଆ ଭାଷାକୁ ଜନସାଧାରଣ ଓ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚାଇବାକୁ ପ୍ରମୁଖ ଭୂମିକା ଗ୍ରହଣ କରି ରାଜ୍ୟରେ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛି ବୋଲି ସେ କହିଥିଲେ। ସିଆଇଟିୟୁର ସର୍ବଭାରତୀୟ ଉପସଭାପତି ବିଷ୍ଣୁ ମହାନ୍ତି କହିଲେ, ମଧୁବାବୁ ଓଡ଼ିଆ ଭାଷା ଓ ସଂସ୍କୃତି ବଞ୍ଚାଇ ରଖିବାକୁ ସଦାସର୍ବଦା ପ୍ରୟାସ ଜାରି ରଖିଥିଲେ। ମଧୁବାବୁଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ସେତେ‌‌ବେଳେ ହେବ, ଯେତେବେଳେ ସମ୍ପୂର୍ଣ୍ଣ ଓଡ଼ିଶା ଗଠନ ଓ ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ଏକାଠି ହେବା ସହ ସମସ୍ତ ଓଡ଼ିଆ ଜାଗ୍ରତ ହେ‌‌ବେ। ସମେସ୍ତ ଏକାଠି ହୋଇ ଲଢ଼େଇ ଜରିବାରକୁ ଆଜିର ଦିନର ସଂକଳ୍ପ ନେବାର ସମୟ ଆସିଛି ବୋଲି ସେ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ,ଓଡ଼ିଆ ଭାଷାଭାଷି ଅଞ୍ଚଳକୁ କେମିତି ଏକାଠି କରିହେବ, ଆଜି ଦିନର ସରକାର ଅନୁଭବ କରିବାର ଦରକାର। ଖଣିଜ ସମ୍ପଦ ଭରପୂର ଥିବା ସତ୍ବେ ଓଡ଼ିଶା ଆଜି ଗରିବ। ତେଣୁ ରାଜ୍ୟର ବିକାଶ ପାଇଁ ଓଡ଼ିଶାବାସୀ ମଧୁବାବୁଙ୍କ ପରି ଏକାଠି ହୋଇ ଲଢ଼େଇ କରିବାର ଦରକାର।

ସମାଜସେବୀ ଡ.ପଦ୍ମିନୀ ପାଣିଗ୍ରାହୀ, ରାଉରକେଲା ବଣିକ ସଂଘର ସଭାପତି ସୁବ୍ରତ ପଟ୍ଟନାୟକ, ରାଉରକେଲା ହୋଟେଲ ଆଣ୍ଡ ରେସ୍ତୋରାଁ ସଂଘର ଶୈଳେନ୍ଦ୍ର ମହାନ୍ତି, ସିଆଇଟିୟୁର ନେତା ବିମାନ ମାଇତି, ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ବୀରେନ ସେନାପତି, ରଘୁନାଥପାଲି କଂଗ୍ରେସର ବରିଷ୍ଠ ନେତା ପ୍ରଶାନ୍ତ ସେଠୀ ମଧ୍ୟ ଓଡ଼ିଶା ପ୍ରତି ମଧୁବାବୁଙ୍କ ଭୂମିକା ସଂକ୍ରାନ୍ତରେ ବକ୍ତବ୍ୟ ରଖିଥିଲେ। ସେମାନେ କହିଥିଲେ, ସ୍ବାଭିମାନୀ ପୁରୁଷ ମଧୁବାବୁଙ୍କ ଜୟନ୍ତୀ ପାଳନର ପ୍ରାସଙ୍ଗିତା ବଢ଼ିଯାଇଛି। ଓଡ଼ିଆ ଜାତିର ସ୍ବାଭିମାନ ପାଇଁ ‌ସେ ଜୀବନବ୍ୟାପୀ ସଂଗ୍ରାମ ଜାରି ରଖିଥିଲେ। ତାଙ୍କର ଆଦର୍ଶକୁ ଓଡ଼ିଆବାସୀ ଆଜିର ଦିନର ଅନୁକରଣ କରିବାକୁ ସଂକଳ୍ପ ନେବା ଦରକାର। ଏଥିସହ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଶିକ୍ଷା ଦ୍ବାରା ଓଡ଼ିଆ ଭାଷା ଓଡ଼ିଶାରେ ଏତେଟା ଗୁରୁତ୍ବ ଦିଆଯାଉ ନଥିଲା ଭଳି ମନେହେଉଛି। ଏଥିପ୍ରତି ସରକାର ଧ୍ୟାନ ଦେବାର ଆବଶ୍ୟକତା ରହିଛି। ସର୍ବୋପରି ବିଖଣ୍ଡିତ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକାଠି କରିବା ସହ ଓଡ଼ିଆ ଭା‌ଷାକୁ ସାର୍ବଜନୀନ କରିବାକୁ ସବୁ ସ୍ତରରେ ଉଦ୍ୟମ ହେବାର ଦରକାର ବୋଲି ସମସ୍ତେ ମତବ୍ୟକ୍ତ କରିଥିଲେ। ‘ସମ୍ବାଦ’ ରାଉରକେଲା ସଂସ୍କରଣର ସହକାରୀ ମହାପ୍ରବନ୍ଧକ (ନ୍ୟୁଜ୍‌) ଆଶିଷ କୁମାର ଗଡନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସହ ସମ୍ପାଦକ ଅଶୋକ ପାତ୍ର ଧନ୍ୟବାଦ ଦେଇଥିଲେ। ‘ସମ୍ବାଦ’ ବେଦବ୍ୟାସ ପ୍ରତିନିଧି ମହେନ୍ଦ୍ର ମହାନ୍ତିଙ୍କ ସମେତ ରାଉରକେଲା କାର୍ଯ୍ୟାଳୟ ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।