ସେ ଥିଲେ ଅନେକ କିମ୍ବଦନ୍ତୀ ଆଉ ଐତିହାସିକ ଘଟଣାର ନାୟକ। ତାଙ୍କୁ ନେଇ ପ୍ରଚଳିତ ଅନେକ ରୋଚକ କାହାଣୀ ଏବେ ବି ଓଡ଼ିଆ ମନ ଆଉ ପ୍ରାଣରେ ପ୍ରେରଣାର ଆଧାର। ସେ ଥିଲେ ନବ ଉତ୍କଳ ନିର୍ମାଣର ଅନ୍ୟତମ ପ୍ରମୁଖ ବିନ୍ଧାଣୀ। ସେ ଥିଲେ ଓଡ଼ିଆ ଜାତିର ଗୌରବ। ଉତ୍କଳ ମାଟିର ଗୌରବ। ଅନେକ କ୍ଷେତ୍ରରେ ତ ସିଏ ଥିଲେ ପ୍ରଥମ ଓଡ଼ିଆ। ଆଜି ବି ନିଜର ପୂର୍ବସୂରୀଙ୍କୁ ସ୍ମୃତି ଅର୍ଘ୍ୟ ଅର୍ପଣ କଲା ବେଳେ ଓଡ଼ିଆ ଜନମାନସରେ ପ୍ରଥମ ଚେହେରା ଭାବେ ସିଏ ହିଁ ଉଦ୍ଭାସିତ ହୁଅନ୍ତି। ସିଏ ଥିଲେ ଓଡ଼ିଆ ଜାତିର ମୁରବି, କୁଳବୃଦ୍ଧ ମଧୁସୂଦନ ଦାସ। କିନ୍ତୁ ଏହି ମହାନ ବ୍ୟକ୍ତିତ୍ବଙ୍କ ସ୍ମୃତିଚାରଣ କଲା ବେଳେ, ଜନ୍ମଭୂମିରୁ କର୍ମଭୂମି ଯାଏ ତାଙ୍କ ସ୍ମୃତିର ସ୍ବାକ୍ଷରକୁ ସାଉଁଟିବା ବେଳେ ଟିକେ ଅଟକି ଯିବାକୁ ପଡ଼େ। ଉତ୍କଳ ଗୌରବଙ୍କ ସ୍ମୃତିକୁ ସମ୍ମାନ ଦେବାରେ, ତାହାକୁ ପରବର୍ତ୍ତି ପିଢି ପାଇଁ ସୁରକ୍ଷିତ ରଖିବାରେ ଏ ଜାତି ନିଜର ଉତ୍ତରଦାୟିତ୍ବ ନିର୍ବାହ କରିପାରିଛି ତ? ଜୟନ୍ତୀରେ ସଶ୍ରଦ୍ଧ ଶ୍ରଦ୍ଧାଞ୍ଜଳି ଅର୍ପଣ ସହିତ ସବୁ ଓଡ଼ିଆର ପ୍ରିୟ ମଧୁ ବାବୁଙ୍କ ସ୍ମୃତିଚିହ୍ନର ସ୍ଥିତିକୁ ନେଇ ‘ସମ୍ବାଦ’ର ଏହି ସ୍ବତନ୍ତ୍ର ଆଲେଖ୍ୟ।
ସଂକ୍ଷେପରେ ମଧୁବାବୁ
ଜନ୍ମ: ୨୮ ଏପ୍ରିଲ, ୧୮୪୮
ଜନ୍ମସ୍ଥାନ: ସତ୍ୟଭାମାପୁର, କଟକ
ପିତା: ଚୌଧୁରୀ ରଘୁନାଥ ଦାସ
ମାତା: ପାର୍ବତୀ ଦେବୀ
ଓଡ଼ିଶାରେ ପ୍ରଥମ: ପ୍ରଥମ ଓଡ଼ିଆ ଗ୍ରାଜୁଏଟ୍, ଓଡ଼ିଶାର ପ୍ରଥମ ଏମ୍.ଏ, ପ୍ରଥମ ଏଲ୍.ଏଲ୍.ବି, ପ୍ରଥମ ଓଡ଼ିଆ ବ୍ରିଟେନ୍ ଯାତ୍ରୀ, ବିହାର-ଓଡ଼ିଶା ବିଧାନସଭାର ପ୍ରଥମ ଓଡ଼ିଆ ସଦସ୍ୟ, ଭାଇସ୍ରଏଙ୍କ ପରିଷଦର ପ୍ରଥମ ଓଡ଼ିଆ ସଦସ୍ୟ।
ପରଲୋକ: ୪ ଫେବ୍ରୁଆରି, ୧୯୩୪
ବିକଶିତ ଗୋରା କବର କେବେ?
ତୁଳସୀପୁର ସ୍ଥିତ ଗୋରା କବରରେ ମଧୁ ବାବୁଙ୍କ ସମାଧି ସ୍ଥଳ ରହିଛି। ମଧୁ ବାବୁଙ୍କ ସମାଧି ନିକଟରେ ତାଙ୍କ ଝିଅ ଶୈଳବାଳା ଦାସଙ୍କ ସମାଧି ରହିଛି। କିନ୍ତୁ ଉତ୍କଳ ଗୌରବଙ୍କ ସମାଧିପୀଠର ଉନ୍ନତିକରଣ ଏଯାଏ ସମ୍ଭବ ହୋଇପାରିଲା ନାହିଁ। ସମାଧିପୀଠ ପରିସରକୁ ଯେଭଳି ଆକର୍ଷଣୀୟ କରାଯିବା କଥା, ତାହା ସମ୍ଭବ ହୋଇନାହିଁ। କେବଳ ମଧୁ ଜୟନ୍ତୀ ଓ ପୁଣ୍ୟତିଥିରେ ଝାଡ଼ୁ ମାରି ଦାୟିତ୍ବ ସାରି ଦିଆଯାଉଛି। ବର୍ଷା ଦିନେ ସମାଧି ସ୍ଥଳରେ ପାଣି ଜମି ରହୁଛି। ସା˚ସଦ ପାଣ୍ଠିରୁ ୧୦ ଲକ୍ଷ ଟଙ୍କାରେ ଏଠାରେ ଏକ ବିଶ୍ରାମ ସ୍ଥାନର ନିର୍ମାଣ କାମ ତିନି ବର୍ଷ ତଳେ ସିଏମ୍ସି ଦ୍ବାରା ଆରମ୍ଭ ହୋଇଥିଲା। ମାତ୍ର କାମ ଶେଷ ପାଇଁ ଅଧିକ ଟଙ୍କା ଆବଶ୍ୟକ ଥିବା ବେଳେ ଏହା ଏବେ ଅଧା ହୋଇ ପଡ଼ିଛି। ଅନେକ କିମ୍ବଦନ୍ତୀର ନାୟକ ଉତ୍କଳ ଗୌରବଙ୍କ ସମାଧିପୀଠକୁ ଦେଶ ତଥା ରାଜ୍ୟର ଅନ୍ୟ ସ୍ଥାନରେ ଥିବା ନେତୃବୃନ୍ଦଙ୍କ ଶେଷ ବିଶ୍ରାମସ୍ଥଳ ଭଳି ଆକର୍ଷଣୀୟ କରି ଗଢି ତୋଳିବା ଦିଗରେ ସକରାର କେବେ ତତ୍ପର ହେବେ ବୋଲି ପ୍ରଶ୍ନ ଉଠୁଛି।
/sambad/media/post_attachments/wp-content/uploads/2022/04/44-16.jpg)
ନାମରେ ନାମିତ...
ଚହଟା-ନୂଆପାଟଣା ମଧୁସୂଦନ ସେତୁ: ମହାନଦୀରେ ନିର୍ମିତ ଏହି ସେତୁକୁ ୨୦୧୯ ଏପ୍ରିଲ ୧ ତାରିଖ ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଥିଲେ। ସେତୁର ଲମ୍ବ ୨ କିଲୋମିଟର ୫୮୩ ମିଟର ଥିବା ବେଳେ ଚଉଡା ୧୪.୮ ମିଟର ରହିଛି। ସେତୁ ନିର୍ମାଣରେ ୧୫୭ କୋଟି ୪୭ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି।
ମଧୁସୂଦନ ନବ ଉଦ୍ୟାନ: କଟକ ମହାନଗର ନିଗମ ପକ୍ଷରୁ ୨୦୦୮ରେ ତୁଳସୀପୁର ସ୍ଥିତ ଡିଅର ପାର୍କର ପଛପଟେ ନିର୍ମାଣ ହୋଇଛି ‘ମଧୁସୂଦନ ନବ ଉଦ୍ୟାନ’। ଉଦ୍ୟାନ ମଧୢରେ ମଧୁ ବାବୁଙ୍କ ଏକ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି।
ମଧୁସୂଦନ ନଗର: ମହାନଗର ନିଗର ୧୬ ନ˚ ଵାର୍ଡରେ ରହିଛି ମଧୁସୂଦନ ନଗର। ୨୦ବର୍ଷରୁ ଅଧିକ ବର୍ଷ ହେବ ଵାର୍ଡର ତୁଳସୀପୁର ଅଞ୍ଚଳ କିଛି ସ୍ଥାନକୁ ମଧୁସୂଦନଙ୍କ ନାମରେ ନାମିତ କରାଯାଇଛି। ଏଠାରେ ଏବେ ୫ଶହରୁ ଅଧିକ ପରିବାର ବାସ କରୁଛନ୍ତି। ଏହାର ପରିସୀମା ମଧୢରେ ମଧୁ ପାର୍କ, ପାଠାଗାର, ମଧୁ ବାବୁଙ୍କ ସମାଧି ସ୍ଥାନ ରହିଛି।
ମଧୁସୂଦନ ଛକ: କ୍ୟାଣ୍ଟନ୍ମେଣ୍ଟ ରୋଡରେ ରହିଛି ମଧୁସୂଦନ ଗୋଲେଇ ଛକ। ବାରବାଟୀ ଷ୍ଟାଡିୟମ, ମଙ୍ଗଳାବାଗ ଛକ ଓ ବକ୍ସିବଜାରକୁ ସ˚ଯୋଗ କରୁଥିବା ଏହି ତିନି ଛକି ଠାରେ ରହିଛି ମଧୁ ସୂଦନଙ୍କ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି। ୧୯୮୭ ମସିହା ଏପ୍ରିଲ ୧ ତାରିଖରେ ପ୍ରତିମୂର୍ତ୍ତିଟି ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା।
ମଧୁସୂଦନ ପାଠାଗାର: ତୁଳସୀପୁର, ମଧୁସୂଦନ ନଗର ଠାରେ ରହିଛି ମଧୁସୂଦନ ପାଠାଗାର। ୧୯୯୨ରେ ସ୍ଥାପିତ ହୋଇଥିବା ଏହି ପାଠାଗାରରେ ୧୦ ହଜାରରୁ ଅଧିକ ସ˚ଖ୍ୟାର ବହି ରହିଛି। ପ୍ରତ୍ୟେକ ସ˚ଧୢା ୫ରୁ ରାତି ସାଢେ ୮ ପର୍ଯ୍ୟନ୍ତ ଏହା ପାଠକଙ୍କ ପାଇଁ ଖୋଲା ରହେ। ୨୦୦୩ ମସିହାରେ ପାଠାଗାର ନୂତନ ଗୃହକୁ ଉଦ୍ଘାଟନ କରାଯାଇଥିଲା।
ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ: ଓଡ଼ିଶାର ସର୍ବପୁରାତନ ଆଇନ କଲେଜ ଭାବେ ପରିଚିତ ଏମ୍ଏସ୍ ଲ’ କଲେଜକୁ ୨୦୨୧ରେ ବିଶ୍ବବିଦ୍ୟାଳୟରେ ପରିଣତ କରାଗଲା। ଏପ୍ରିଲ ୫, ୨୦୨୧ରେ ଏଥିପାଇଁ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇ ଥିବା ବେଳେ ସେହି ବର୍ଷ ମଧୁ ଜୟନ୍ତୀ, ଏପ୍ରିଲ ୨୮ରେ ଏହାକୁ ବିଶ୍ବବିଦ୍ୟାଳୟ ଭାବେ ଘୋଷଣା କରାଯାଇଥିଲା। ପ୍ରଥମେ ୧୮୬୯ ମସିହରେ ରେଭେନ୍ସା କଲିଜିଏଟ୍ ସ୍କୁଲରେ ଆଇନ୍ରେ ଡିପ୍ଲୋମା କୋର୍ସ ଆରମ୍ଭ କରାଯାଇଥିଲା। ଏହାପରେ ୧୮୮୧ରେ ଆଇନରେ ସ୍ନାତକ ପାଠ୍ୟକ୍ରମ ରେଭେନ୍ସା କଲେଜରେ ଆରମ୍ଭ କରାଗଲା। ଏହାପରେ କଲେଜଟି ନିଜସ୍ବ ସ୍ଥାନରେ ଆରମ୍ଭ ହୋଇଥିଲା। କଲେଜଟି ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରଥମ ସିଟିଙ୍ଗ୍ ବିଭାଗ ଭାବେ ନିଜର ଗୌରବ ରଖିଛି। ଏବେ ଏଠାରେ ତିନି ବର୍ଷିଆ ବିଏ ଏଲ.ଏଲ. ବି, ୫ ବର୍ଷିଆ ଇଣ୍ଟିଗ୍ରେଟେଡ୍ ବିଏ ଏଲ.ଏଲ.ବି, ଦୁଇ ବର୍ଷିଆ ଏମ୍.ଏ.ଏଲ.ଏଲ.ବି ପାଠ୍ୟକ୍ରମରେ ୧୦୬୦ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/45-17.jpg)