ସମ୍ବାଦ-ଆମ ଓଡ଼ିଶା ପକ୍ଷରୁ ସ୍ବାଭିମାନ ଦିବସ: ‘ମଧୁକୁଞ୍ଜ’କୁ ଜାତୀୟ ସ୍ମାରକୀ ପାଇଁ ବାଲେଶ୍ବରରୁ ଆରମ୍ଭ ହେଉ ପ୍ରୟାସ’

ବାଲେଶ୍ବର: ଓଡ଼ିଆ ଜାତିକୁ ମୁଣ୍ଡ ଟେକି ବଞ୍ଚିବା ଶିଖାଇଥିଲେ ମଧୁବାବୁ। ସେ ତାଙ୍କ ଜୀବନରେ ଅନେକ ଲଢ଼େଇ କରିଥିଲେ ଓ ଦୁଃଖ ସହିଥିଲେ। ହେଲେ କାହାକୁ କେବେ ଆଘାତ ଦେଇନଥିଲେ। ସ୍ବାଭିମାନର ପ୍ରତୀକ ହୋଇ ଆମମାନଙ୍କ ପାଇଁ ସେ ଯେଉଁ କାମ କରିଯାଇଛନ୍ତି ବୋଧହୁଏ ତାହା ଆଉ କେହି କରିବା ସମ୍ଭବ ନୁହେଁ ବୋଲି କହିଥିଲେ ଫକୀରମୋହନ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ।

ଗୁରୁବାର ସକାଳେ ବାଲେଶ୍ବର ସମ୍ବାଦ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ତଥା ସ୍ବାଭିମାନ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଫକୀରମୋହନ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଶ୍ରୀ ତ୍ରିପାଠୀ ଯୋଗଦେଇ ତାଙ୍କ ବକ୍ତବ୍ୟରେ କହିଲେ, ଓଡ଼ିଶାରେ ବର୍ତ୍ତମାନ ଓଡ଼ିଆଙ୍କ ସ୍ବାଭିମାନରେ କେଉଁଠି କେଉଁଠି ଟିକେ ଊଣା ରହିଯାଇଥିବା ଭଳି ମନେହେଉଛି। ମଧୁବାବୁଙ୍କ ସ୍ମୃତିରକ୍ଷା ପାଇଁ ଯେତିକି ପଦକ୍ଷେପ ନିଆଯିବା ଦରକାର ତାହା ନିଆ ଯାଇନାହିଁ। ୧୯୯୨ ମସିହାରେ ଯଦିଓ ସରକାର ଘୋଷଣା କରିଥିଲେ କିନ୍ତୁ କଟକରେ ତାଙ୍କ ବାସଗୃହ ‘ମଧୁକୁଞ୍ଜ’କୁ ଏ ପର୍ଯ୍ୟନ୍ତ ଜାତୀୟ ସ୍ମାରକୀ କରା ଯାଇପାରିଲା ନାହିଁ।

ଯଦି ଏଠାରେ ମୁଖ୍ୟମନ୍ତ୍ରୀଙ୍କ ଜେଜେବାପାଙ୍କ ନାମରେ ରହିଥିବା କୋଠାକୁ ଐତିହ୍ୟସ୍ଥଳର ମାନ୍ୟତା ଦିଆ ଯାଇପାରୁଛି ତାହାହେଲେ ଆମ ସମସ୍ତଙ୍କ ଅଣଜେଜେବାପା ଉତ୍କଳ ଗୌରବ ମଧୁସୂଦନଙ୍କ ନାଁରେ ରହିଥିବା କୋଠାକୁ ମାନ୍ୟତା ଦେବାରେ ସରକାର ଏତେ ଉଦାସୀନ କାହିଁକି ବୋଲି ସେ କ୍ଷୋଭ ପ୍ରକାଶ କରିଥିଲେ। ତେଣୁ ମଧୁସ୍ମୃତିକୁ ଜାତୀୟ ସ୍ମାରକୀରେ ପରିଣତ କରିବାର ପ୍ରୟାସ ବାଲେଶ୍ବର ମାଟିରୁ ଆରମ୍ଭ ହେଉ ବୋଲି ସେ ଆହ୍ବାନ ଦେଇଥିଲେ। ଯେହେତୁ ମଧୁବାବୁ ପ୍ରଥମେ ଉତ୍କଳ ସମ୍ମିଳନୀ ବାଲେଶ୍ବର ମାଟିରୁ ଆରମ୍ଭ କରିଥିଲେ ଏଠାକାର ସାହିତ୍ୟିକ, ଛାତ୍ରଛାତ୍ରୀ, ଯୁବପିଢ଼ି, ବୁଦ୍ଧିଜୀବୀ ଓ ଶିକ୍ଷାବିତ୍‌ଙ୍କ ଠାରୁ ଆରମ୍ଭ କରି ସବୁବର୍ଗର ଲୋକେ ମଧୁବାବୁଙ୍କ ଜନ୍ମସ୍ଥାନକୁ ଐତିହ୍ୟପୀଠର ମାନ୍ୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଦାବି ଜଣାଇଲେ ଉଦ୍ୟମ ନିଶ୍ଚିତ ସଫଳ ହେବ ବୋଲି ସେ କହିଥିଲେ। ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍‌ ଡ. ସୁବାସ ଚନ୍ଦ୍ର ପାତ୍ର ମଧୁବାବୁଙ୍କ ସ୍ମୃତିଚାରଣ କରି କହିଲେ ମଧୁବାବୁ ଯେଉଁ ଉଦ୍ଦେଶ୍ୟରେ ଆମମାନଙ୍କୁ  ସ୍ବାଭିମାନର ମନ୍ତ୍ର ଶିଖାଇଥିଲେ ବର୍ତ୍ତମାନ ସେଥିରେ କେଉଁଠି ନା କେଉଁଠି ଟିକେ ଊଣା ରହିଯାଉଥିବା ଭଳି ମନେ ହେଉଛି।

ଓଡ଼ିଆ ଭାଷାକୁ ଆଗକୁ ବଢ଼ାଇବା ସହ ଓଡ଼ିଶାକୁ ଗର୍ବର ସହ ମୋ ମାଟି ବୋଲି କହିବା ପାଇଁ ଯୁବପିଢ଼ି ତଥା ଛୋଟପିଲାମାନଙ୍କ ମନରେ ଯଦି ଆମେ ଗୋଟିଏ ସ୍ବତଃସ୍ଫୁରଣ ଭାବ ସୃଷ୍ଟି କରିପାରିବା ତାହାହେଲେ ସ୍ବାଭିମାନ ଦିବସ ପାଳନ ସଫଳ ହେବ। ‘ସମ୍ବାଦ’ ଉତ୍ତର ଓଡ଼ିଶା ସଂସ୍କରଣ ମୁଖ୍ୟ ଗୌତମ ଶଙ୍କର ସ୍ବାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ-ସହସମ୍ପାଦକ ସୁଦାମବନ୍ଧୁ ଭଟ୍ଟମିଶ୍ର ଅତିଥି ପରିଚୟ ଓ ମଧୁବାବୁଙ୍କ ରଚିତ ‘ସନ୍ତାନର ଉକ୍ତି’ ଓ ‘ଉତ୍କଳ ସନ୍ତାନ’ କବିତା ପାଠ କରିଥିଲେ। ଏହି ଅବସରରେ ବିଶିଷ୍ଟ ସାହିତ୍ୟିକ ଡ. ହରିଶ୍ଚନ୍ଦ୍ର ବେହେରା ମଧୁବାବୁଙ୍କ ଉପରେ ସ୍ବରଚିତ କବିତା ପାଠ କରିଥିଲେ। ଶେଷ‌େର ବାଲେଶ୍ବର ଜିଲ୍ଲା ପ୍ରତିନିଧି ମନୋଜ କୁମାର ରାଉଳ ଧନ୍ୟବାଦ ଦେଇଥିଲେ।

ଆୟୋଜିତ କାର୍ଯ୍ୟକ୍ରମରେ କବି ପ୍ରଶାନ୍ତ ଦାସ, ଡକ୍ଟର ହରିଶ୍ଚନ୍ଦ୍ର ବେହେରା, ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଗିରୀଶ ଚନ୍ଦ୍ର ଦାଶ, କାଉନସିଲର ପଦ୍ମଲୋଚନ ଲେଙ୍କା, ବରିଷ୍ଠ ସାମ୍ବାଦିକ ଗଙ୍ଗାଧର ରାଉତ, ଆଇନଜୀବୀ ନିରଞ୍ଜନ ପରିଡ଼ା, ବରିଷ୍ଠ ସାମ୍ବାଦିକ ଦେବବ୍ରତ ପାଣିଗ୍ରାହୀ, ପିସିସି ସମ୍ପାଦିକା ଅର୍ଚ୍ଚନା ନନ୍ଦୀ, କଂଗ୍ରେସ ଜିଲ୍ଲା ସଭାନେତ୍ରୀ ପ୍ରଜ୍ଞା ପାରମିତା ବିଶ୍ବାଳ, ସାମାଜିକ କର୍ମୀ ସାହିରୁଲ ହକ୍‌, ରାଜେଶ କୁମାର ଗିରି, ରଣଜିତ କୁମାର ପୃଷ୍ଟି, ସୁଶାନ୍ତ କୁମାର ରଣା, ଆଦିତ୍ୟ ନାରାୟଣ ଦାସ, ରାମଚନ୍ଦ୍ର ମାହାର୍ଣ୍ଣା, ରଞ୍ଜନ କୁମାର ଦାସ, ତୁଷାରକାନ୍ତି ତପସ୍ବୀ, ଗଣେଶ୍ବର ରାଉତ, ବିନାୟକ ମହାପାତ୍ର, ବିକ୍ରମ ପଣ୍ଡା, ମାନସ କୁମାର ସେଠୀ, ପ୍ରଶାନ୍ତ ପଟେଲ, ବିଶ୍ବଜିତ ମହାପାତ୍ର, ମହେଶ୍ବର ବେହେରା, ଦେବଦତ୍ତ ଦାସ, ଗୌରାଙ୍ଗ ପାଣିଗ୍ରାହୀ, ପ୍ରେମରଂଜନ ପାତ୍ର, ସୀତାରାମ ପ୍ରଧାନ, ଜାନୁ ମୁଖୀ ପ୍ରମୁଖ ଯୋଗଦେଇ ମଧୁସୂଦନ ଦାସଙ୍କ ଜୀବନୀ ଓ କୀର୍ତ୍ତି ବିଷୟରେ ଆଲୋଚନା କରିଥିଲେ। ସଂସ୍କରଣର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର