‘ସମ୍ବାଦ’ ଓ ‘ଆମ ଓଡ଼ିଶା’ର ସ୍ବାଭିମାନ ଦିବସ, ବକ୍ତୃତାମାଳା : ଆମ ସଂସ୍କୃତିକୁ ନଜାଣିବା ଏକ ଅପରାଧ

ଯେଉଁ ଜାତିର ସାଂସ୍କୃତିକ ବିସ୍ମୃତି ହୋଇଛି ସେ ଜାତି ସ୍ବାଭିମାନୀ ହୋଇପାରିବ ନାହିଁ, ସମୟ ସହ ତାଳ ଦେଇ ଚାଲୁଥିବା ସଂସ୍କୃତି ବେଶି ଆଦୃତ ହୁଏ

ଭୁବନେଶ୍ବର : ଓଡ଼ିଶାରେ ସାଂସ୍କୃତିକ ପରମ୍ପରାର ନିଦର୍ଶନ ଦେଖିବାକୁ ମିଳେ ଖଣ୍ଡଗିରି ଓ ଉଦୟଗିରିର ଗୁମ୍ଫାରେ, କୋଣାର୍କ ଗାତ୍ରରେ, ହଳିଆର ଗୀତରେ, ଜେଜେ ମା’ର କାଞ୍ଜିପାଣିରେ, ଓଡ଼ିଆଣୀର କାନିରେ, ମଠବାଡ଼ିର କାନ୍ଥରେ, ଆଦିବାସୀର ନାଚରେ ଏବଂ ଓଡ଼ିଆ ବୋହୂର ଚିତାରେ। ଅନେକତା ବା ବହୁଳତା ହିଁ ଓଡ଼ିଆ ସଂସ୍କୃତିର ବିଶେଷତ୍ବ। ସଂସ୍କୃତି ବିନା ସ୍ବାଭିମାନ ବୃଦ୍ଧି ହୁଏ ନାହିଁ। ସ୍ବାଭିମାନ ବିନା ମଧ୍ୟ ସଂସ୍କୃତି ପରିଚୟ ପାଏ ନାହିଁ। ଯେଉଁ ଜାତିର ସାଂସ୍କୃତିକ ବିସ୍ମୃତି ହୋଇଛି ସେ ଜାତି ସ୍ବାଭିମାନୀ ହୋଇପାରିବ ନାହିଁ ବୋଲି କହିଛନ୍ତି ଭାରତୀୟ ପ୍ରତ୍ୟକ୍ଷ କର ବୋର୍ଡର ସଦସ୍ୟ ତଥା ବରିଷ୍ଠ ରାଜସ୍ବ ସେବା ଅଧିକାରୀ ପ୍ରସନ୍ନ କୁମାର ଦାଶ।

‘ସମ୍ବାଦ’ ଓ ‘ଆମ ଓଡ଼ିଶା’ ରାଜ୍ୟସ୍ତରୀୟ ସ୍ବାଭିମାନ ଦିବସ ଏବଂ ‘ଆମ ଓଡ଼ିଶା ବକ୍ତୃତାମାଳା’ରେ ‘ଓଡ଼ିଆ ସଂସ୍କୃତି ଓ ସ୍ବାଭିମାନ’ ଶୀର୍ଷକ ବିଷୟରେ ମତ ରଖି ଶ୍ରୀ ଦାଶ କହିଲେ, ସଂସ୍କୃତି କୌଣସି ଜାତି ବା ଗୋଷ୍ଠୀର ଅନ୍ତରାତ୍ମା ବା କୋମଳ ଶକ୍ତକୁ ବୁଝାଏ। ସବୁବେଳେ ଅନ୍ୟ ସଂସ୍କୃତିର ସଂଗମରେ ସଂସ୍କୃତିର ବିକାଶ ହୁଏ। ଓଡ଼ିଆ ସଂସ୍କୃତିରେ ପାରିପାର୍ଶ୍ବିକ ପ୍ରଭାବ ଦେଖିବାକୁ ମିଳେ। ଓଡ଼ିଆ ଭାଷାରେ ପାଲି, ପ୍ରାକୃତ ଓ ସଂସ୍କୃତ ଭାଷାର ପ୍ରଭାବ ଏବଂ ପାଲାରେ ମୁସଲମାନ ସଂସ୍କୃତିର ପ୍ରଭାବ ଏସବୁର ସୂଚନା ଦିଏ। ସଂସ୍କୃତି କେବେ ପୂର୍ଣ୍ଣ ବା ଅନ୍ତିମ ନୁହେଁ ବରଂ ଗତିଶୀଳ। ତେବେ ଯେଉଁ ସଂସ୍କୃତି ସମୟ ସହ ତାଳ ମିଳାଇ ଚାଲେ ସେ ସଂସ୍କୃତି ସେତେ ଆଦର ପାଏ। ଓଡ଼ିଆ ସଂସ୍କୃତି ବଣିକମାନଙ୍କ ବେପାର ବାକ୍ସରେ, ବୌଦ୍ଧ ଭିକ୍ଷୁଙ୍କ ଭିକ୍ଷାଥାଳରେ, ଓଡ଼ିଆ ଶ୍ରମିକଙ୍କ ବଟୁଆ ଭିତରେ ଏବଂ ପ୍ରବାସୀ ଓଡ଼ିଆଙ୍କ କମ୍ପ୍ୟୁଟର ଭିତରେ ଦେଶବିଦେଶକୁ ବିସ୍ତାର କରେ। ସେହିଭଳି ଦୁ‌େର୍ଯ୍ୟାଧନର ଅହଙ୍କାର ବା ରାବଣର ଗର୍ବକୁ ସ୍ବାଭିମାନ କୁହାଯିବ ନାହିଁ। ସ୍ବାଭିମାନ ହେଉଛି କୌଣସି ବ୍ୟକ୍ତି, ଜାତି ବା ଗୋଷ୍ଠୀର ଆତ୍ମସମ୍ମାନବୋଧ। ସ୍ବାଭିମାନ ଶବ୍ଦରେ ତ୍ୟାଗର ଭାବ ଅନ୍ତନିର୍ହିତ। ସ୍ବାଭିମାନୀ ଓଡ଼ିଆ କହ‌ିଲେ, ମଧୁବାବୁଙ୍କ ଛବି ଆଖି ଆଗରେ ନାଚିଯାଏ। ନିଜର କାର୍ଯ୍ୟବ୍ୟସ୍ତତା ଭିତରେ ମଧୁ ବାବୁ ସ୍ବତନ୍ତ୍ର ପ୍ରଦେଶ ଗଠନ ପାଇଁ କଂଗ୍ରେସର ବିରୋଧ କରି ସାଇମନ କମିସନର ସମର୍ଥନ କରିବା ସ୍ବାଭିମାନୀ ଓଡ଼ିଆର ପରିଚୟ। ଭୀମ‌ ଭୋଇଙ୍କ ପଙ୍କ୍ତି ‘ମ‌ୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ.. ଏବଂ ଉତ୍କଳମଣି ଗୋପବନ୍ଧୁ ନିଜ ଅନ୍ତିମ ସମୟରେ ବନ୍ୟା ପ୍ରପୀଡ଼ିତ ଜନସାଧାରଣଙ୍କ ସେବା କରିବା ସ୍ବାଭିମାନୀ ଓଡ଼ିଆର ପରିଚୟ। ସ୍ବାଭିମାନୀ ନିଜ ସଂସ୍କୃତି ବା ମୂଲ୍ୟବୋଧ ପାଇଁ ଜୀବନ ତ୍ୟାଗ କରିପାରେ କିନ୍ତୁ ସଂସ୍କୃତିକୁ ପରିତ୍ୟାଗ କରିବା ତା ପକ୍ଷେ ଅସମ୍ଭବ। ସେ ଏକଥା ମଧ୍ୟ କହିଲେ, ସାଂସ୍କୃତିକ ସୁରକ୍ଷା ପାଇଁ ପାଠାଗାର ଓ ସଂଗ୍ରହାଳୟର ଯଥେଷ୍ଟ ଭୂମିକା ରହିଛି। ଯେଉଁ ରାଜ୍ୟରେ ପାଠାଗାରର ପ୍ରସାର ଅଧିକ ସେ ରାଜ୍ୟରେ ଶିକ୍ଷା ଓ ସଂସ୍କୃତିର ମାନ ସେତେ ଅଧିକ। ୧ଲକ୍ଷ ଜନସଂଖ୍ୟାରେ ବ୍ରସେଲ୍‌ ସହରରେ ୧୦ଟି, ପ୍ୟାରିସରେ ୮ଟି ଓ କୋରିଆର ସିଓଲରେ ୧୧ଟି ପାଠାଗାର ରହିଛି । ହେଲେ ୨୦୦୨ରୁ ଓଡ଼ିଶା ପବ୍ଲିକ୍‌ ଲାଇବ୍ରେରି ଅଧିନିୟମ ପ୍ରସ୍ତୁତ ହୋଇଥିଲେ ମଧ୍ୟ ଏପର୍ଯନ୍ତ ଏଠି ଲାଗୁ କରାଯାଇପାରିନାହିଁ। ସେହିଭଳି ପ୍ୟାରିସ୍‌ରେ ୧୩୦ଟି ସଂଗ୍ରହାଳୟ ଥିବା ବେଳେ ରାଜଧାନୀରେ କାହିଁକି ୧୫ଟି ପାଠାଗାର ହୋଇପାରିବ ନାହିଁ ? ଏଥିପାଇଁ ସରକାରଙ୍କ ଉପରେ ନିର୍ଭର କରିବା ପରିବର୍ତେ ଓଡ଼ିଶାର ଶିଳ୍ପପତିଙ୍କ ସହଯୋଗରେ କାହିଁକି ଏସବୁ ନହେବ ବୋଲି ସେ ସ୍ବାଭିମାନୀ ଓଡ଼ିଆଙ୍କୁ ପ୍ରଶ୍ନ କରିଛନ୍ତି। ଆମ ରାଜ୍ୟର ବିଶିଷ୍ଟ ବର୍ଗ ଓ ଯୁବପିଢ଼ି ଆମ ଭାଷା ଓ ସଂସ୍କୃତିକୁ ନଜାଣିବା ଆମ ଜାତି ପାଇଁ ଏକ ଅପରାଧ ବୋଲି ସେ କହିଛନ୍ତି।

ଏଥିସହ ଓଡ଼ିଶୀ ସଂଗୀତର ଶାସ୍ତ୍ରୀୟ ମାନ୍ୟତା ପାଇଁ ଗୁରୁମାନେ ସଂଗୀତର ବିଭିନ୍ନ ଦିଗ ଓ ଧାରା ଉପରେ ଏକମତ ହେବାକୁ ମତ ରଖିବା ସହ ଓଡ଼ିଆ ସଂସ୍କୃତିର ବିଶିଷ୍ଟ ଅଙ୍ଗ ପାଲା, ଦାସକାଠିଆ, ଘୋଡ଼ାନାଚ, ଭାରତଲୀଳା, ସଖୀନାଚ, ସାହିଯାତ, ଡାଲ୍‌ଖାଇକୁ ପୁନର୍ଜୀବିତ କରିବାକୁ ପ୍ରୋତ୍ସାହିତ କରିବାକୁ ପରାମର୍ଶ ଦେଇଛନ୍ତି।

ସେ ପୁଣି କହିଲେ, ବେଙ୍ଗଲି ଓ ଓଡ଼ିଶା ରସଗୋଲା ଲଢ଼େଇରୁ ସ୍ବାଭିମାନୀ ଓଡ଼ିଆମାନଙ୍କ ସଂସ୍କୃତି ପାଇଁ ଏକବଦ୍ଧ ହେବାର ଦୃଷ୍ଟାନ୍ତ ମିଳେ। ତେବେ କେବଳ ରସଗୋଲା ନୁହେଁ, ଛେନାପୋଡ଼, ଛେନାଗଜା, ଛେନା ଝିଲ୍ଲୀ ସମେତ ବୋମକାଇ ଓ ସମ୍ବଲପୁରୀ ଶାଢ଼ି, ମାଣିଆ ବନ୍ଧ ପାଟ, ବଡ଼ମ୍ବା କସ୍ତା ଶାଢ଼ି, କୋଟପାଡ଼ ଶାଢ଼ିର ମଧ୍ୟ ଜିଆଇ ଟ୍ୟାଗିଂ ହେବା ଆବଶ୍ୟକ ବୋଲି ସେ କହିଥିଲେ।

‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ସଭାକୁ ପୌରହିତ୍ୟ କରି କହିଲେ, ନିଜ ଅତୀତ ସମ୍ପର୍କରେ ସଚେତନ ନହେଲେ ଆମେ ସ୍ବାଭିମାନୀ ହୋଇପାରିବା ନାହିଁ। ସ୍ବାଭିମାନୀ ହେବା ପାଇଁ ଭବିଷ୍ୟତ ଯେତିକି ଆବଶ୍ୟକ ନୁହେଁ ଅତୀତ ତା’ଠୁ ଅଧିକ ଆବଶ୍ୟକ। କିନ୍ତୁ ଆମେ ଯେଉଁମାନେ ଗଳା ଫଟାଇ ସ୍ବାଭିମାନୀ ବୋଲି ଉଦ୍‌ଘୋଷଣା କରୁଛୁ ସେମାନେ ନିଜ ଅତୀତ ସମ୍ପର୍କରେ ଯେତିକି ସଚେତନ ହେବା କଥା ହୋଇନାହାନ୍ତି। ଆମର ଅତି ଅତୀତ ଗୌରବମୟ ଥିଲା ସତ, କିନ୍ତୁ ଅତୀତ ସେତିକି ଗୌରବମୟ ନୁହେଁ। ତେଣୁ ନୂଆପିଢ଼ି ମଧୁବାବୁଙ୍କ ସ୍ମରଣ କରି ଓଡ଼ିଆ ସଂସ୍କୃତିର ଉତ୍କର୍ଷ ବିଷୟରେ ଜାଣିବା ଉଚିତ୍‌। ସେ ଏକଥା ବି କହିଲେ, ଆମେ ଓଡ଼ିଆ‌ମାନେ ଯେତେ ଗରିବ ହେଲେ ମଧ୍ୟ ଆମର ସର୍ବଶ୍ରେଷ୍ଠ ସମ୍ପତି ‘ଜଗନ୍ନାଥ’। ଭୋଟ କାଙ୍ଗାଳ ନେତାମାନେ ସଂପ୍ରତି ଭାରତକୁ ବିଭାଜନ କରି ଭୋଟ୍‌ ବାକ୍ସ ଭରିବାକୁ ଏବଂ ପ୍ରଦେଶକୁ ବିଭାଜନ କରି ସ୍ବାର୍ଥକୁ ସୁରକ୍ଷିତ କରିବାକୁ ଚାହୁଁଥିବା ବେଳେ ଏହି ସମସ୍ୟାର ‌ମହୋଷଧୀ ହେଲା ‘ଜଗନ୍ନାଥ ସଂସ୍କୃତିର ସର୍ବଧର୍ମ ସମନ୍ବୟ ମନୋଭାବ’। ‌କୌଣସି ପ୍ରାନ୍ତୀୟ ଜାତି ଏ କ୍ଷେତ୍ରରେ ଆମଠୁ ଆଗରେ ରହିପାରିବ ନାହିଁ ବୋଲି ସେ କହିଥିଲେ। ସଭା ପ୍ରାରମ୍ଭରେ ‘ଆମ ଓଡ଼ିଶା’ର ସମ୍ପାଦକ ସ୍ବରାଜ ମିଶ୍ର ଅତିଥି ପରିଚୟ ସହ କାର୍ଯ୍ୟକ୍ରମର ବିବରଣୀ ଉପସ୍ଥାପନ କରିଥିଲେ। ଶେଷରେ ଆମ ଓଡ଼ିଶା ପ୍ରକାଶନ ବିଭାଗ ଓ ‘ପୌରୁଷ’ର ସମ୍ପାଦକ ଅସିତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ବହୁ ବିଶିଷ୍ଟ ଚିନ୍ତାନାୟକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର