ଲୋୟର ପିଏମ୍‌ଜିରେ ସ୍ବାଭିମାନ ସମାବେଶ

ଭୁବନେଶ୍ୱର : ଏସ୍‌ସି ଏସ୍‌ଟି ନିର୍ଯାତନା ନିବାରଣ (ସଂଶୋଧନ)ଆଇନ -୨୦୧୫କୁ ସମ୍ପୂର୍ଣ୍ଣ ଲାଗୁ କରିବା ପାଇଁ ଆଜି ଏସ୍‌ସି ଏସ୍‌ଟି, ଓବିସି, ମାଇନରିଟି ଜଏଣ୍ଟ ଆକ୍ସନ କମିଟି ପକ୍ଷରୁ ସ୍ବାଭିମାନ ସମାବେଶ ଆୟୋଜିତ ହୋଇଯାଇଛି। ଏଥିରେ ଏହି ସଂଶୋଧିତ ଆଇନକୁ ନେଇ ତର୍ଜମା ହେବା ସହ ୧୧ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ସରକାରଙ୍କୁ ପ୍ରଦାନ କରାଯାଇଛି। ନିର୍ଯାତିତ ଓ ସାକ୍ଷୀମାନଙ୍କର ଅଧିକାର କାର୍ଯ୍ୟକାରୀ କରିବାକୁ ବିଜ୍ଞପ୍ତି ଜାରି କରିବା, ୭ ଦିନ ମଧ୍ୟରେ ରିଲିଫ୍‌ ପ୍ରଦାନ, ୨ ମାସରେ ତଦନ୍ତ, ୨ ମାସରେ ବିଚାର ‌ଶେଷ, ଠିକା ନିଯୁକ୍ତି ଓ ଘରୋଇ କ୍ଷେତ୍ରରେ ସଂରକ୍ଷଣ, ଏକକ ଶିକ୍ଷା ପ୍ରଣାଳୀ, ସରକାରୀ ସହାୟତାରେ ଉଚ୍ଚ ଓ ବୈଷୟିକ ଶିକ୍ଷା ପ୍ରଦାନ, ଭୂମିହୀନ ଓ ବାସହୀନଙ୍କୁ ଭୂମି ଓ ବାସଗୃହ, ପାରମ୍ପରିକ ଅଣଆଦିବାସୀ ଓ ଜଙ୍ଗଲ ଅଧିବାସୀମାନଙ୍କୁ ଜମି ଅଧିକାର ପ୍ରଦାନ, ଅନୁସୂଚିତ ଜାତି ଓ ଜନଜାତି ଉପଯୋଜନାକୁ ଆଇନରେ ପରିଣତ କରିବା ପ୍ରମୁଖ ରହିଛି। କମିଟିର ଶତାଧିକ ସଦସ୍ୟ ଏକ ଶୋଭାଯାତ୍ରାରେ ଆସି ଲୋୟର ପିଏମ୍‌ଜିରେ ଏକାଠି ହେବା ସହ ବିକ୍ଷୋଭ ସଭା ଆୟୋଜନ କରିଥିଲେ। ଏଥିରେ କମିଟି ସଂଯୋଜକ ସଂଗ୍ରାମ ମଲ୍ଲିକ ଓ ଅଭିରାମ ମଲ୍ଲିକ ଯୁଗ୍ମ ସଂଯୋଜନା କରିଥିବା ବେଳେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭଜମନ ବେହେରା, ପୂର୍ବତନ ସାଂସଦ ମୋହନ ଜେନା, ନାସନାଲ ଦଳିତ ମୁଭ୍‌ମେଣ୍ଟ ଫର୍‌ ଜଷ୍ଟିସ୍‌ ସାଧାରଣ ସମ୍ପାଦକ ରବେଶ ନାଥନ୍‌, ସୁଶ୍ରୀ ଅବିରାମୀ, ସମାଜବାଦୀ ପାର୍ଟି ସଭାପତି ରବି ବେହେରା, ପଦ୍ମିନୀ ନାୟକ, ଶେଖ୍‌ ଅବଦୁଲ୍ଲା, ଉମାବତୀ ସାମଲ, ବନ୍ଧୁ ସେଠୀ, କିସାନ ପଟ୍ଟନାୟକ, ସଞ୍ଜୟ ମଲ୍ଲିକ, ବଟକୃଷ୍ଣ ସାମଲ, ପ୍ରତାପ ସାହୁ, ଆବୁଲ କଲାମ ଆଜାଦ, ନୟନା ନାଏକ, ଲିଙ୍ଗରାଜ ଭୋଇ, ଅନିଲ ମଲ୍ଲିକ ପ୍ରମୁଖଙ୍କ ସମେତ ୧୭ ଜିଲ୍ଲାରୁ ପ୍ରତିନିଧି ଯୋଗ ଦେଇଥିଲେ। ଏକ ପ୍ରତିନିଧିଦଳ ରାଜସ୍ବ ସଚିବ ନିକୁଞ୍ଜ ଧଳ ଓ ସାମାଜିକ ସୁରକ୍ଷା ସଚିବ ନୀତୀନ୍‌ ଚନ୍ଦ୍ରାଙ୍କୁ ଭେଟି ଦାବି ପୂରଣ ନେଇ ଆଲେଚନା କରିଥିଲେ।

ସମ୍ବନ୍ଧିତ ଖବର